
କଟକ : କୋଭିଡ୍ ମୁକାବିଲା ତଥା ଟିକାକରଣ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି କଟକର ଶିଳ୍ପୋଦ୍ୟୋଗୀ। କୋଭିଡ୍ ଟିକାକରଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ୦.୫ ଏମ୍ଏଲ୍ ଏ.ଡି(ଅଟୋ ଡିଜେବୁଲ) ସିରିଞ୍ଜ୍ ଏବେ ସାରାଭାରତକୁ ଓଡ଼ିଶା ମଧ୍ୟ ଯୋଗାଇ ପାରିବ। ଭୁବନେଶ୍ବରର ପଟିଆସ୍ଥିତ ନୋବେଲ ଫାର୍ମା କେୟାର ଲିମିଟେଡ୍ର ଏମ୍ଡି ସୁବ୍ରତ ଗରାବଡୁ ଏଭଳି ସିରିଞ୍ଜ୍ ପ୍ରସ୍ତୁତ କରିବା ସହ ଏଥିପାଇଁ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେସନ୍( ସିଡିଏସ୍ସିଓ)ର ଅନୁମୋଦନ କ୍ରମେ ଓଡ଼ିଶା ସରକାରଙ୍କ ଠାରୁ ଅନୁମତି ପାଇଥିବା ଜଣାପଡିଛି।
ଉଲ୍ଲେଖଯୋଗ୍ୟ, ସାରା ଭାରତରେ ମାତ୍ର ୩ଟି ଏଡି ସିରିଞ୍ଜ୍ ପ୍ରସ୍ତୁତକାରୀ ସଂସ୍ଥା ରହିଛନ୍ତି, ଯେଉଁମାନଙ୍କଠାରୁ ୮୦ପ୍ରତିଶତ ସିରଞ୍ଜ୍ କେନ୍ଦ୍ର ସରକାର ନେଉଥିବାବେଳେ ବଳକା ୨୦ ପ୍ରତିଶତ ବିଦେଶକୁ ଯାଉଛି। ଏହାଫଳରେ ଟିକାକରଣ କାର୍ଯ୍ୟକ୍ରମରେ ଟିକା ଥିଲେ ସୁଦ୍ଧା ସିରିଞ୍ଜ୍ର ଅଭାବ ହୁଏତ ଦେଖିବାକୁ ମିଳିପାରେ। ନୋବେଲ ଫାର୍ମା କେୟାର ବିଗତ ୨୦ ବର୍ଷ ହେଲା ଜର୍ମାନ ଜ୍ଞାନକୌଶଳରେ ଓଡିଶାରେ ସିରିଞ୍ଜ୍ ଉତ୍ପାଦନ କରି ଦେଶ ବିଦେଶକୁ ଯୋଗାଇ ଆସୁଛି। ଏହି ସଂସ୍ଥା ବିଭିନ୍ନ ପ୍ରକାର ସିରିଞ୍ଜ ପ୍ରସ୍ତୁତ କରୁଥିବାବେଳେ ଏସବୁକୁ ଏମ୍ସ, ରେଳବାଇ, ଅନେକ ରାଜ୍ୟ ସରକାର ତଥା ବିଭିନ୍ନ ମେଡିକାଲକୁ ଯୋଗାଣ କରାଯାଉଛି। ଉଦ୍ୟୋଗରେ ଏଡି ସିରଞ୍ଜ ପ୍ରସ୍ତୁତ ହେବାର ବ୍ୟବସ୍ଥା ଥିଲେ ମଧ୍ୟ ଏଥିପାଇଁ ଲାଇସେନ୍ସ ମିଳି ନ ଥିବାରୁ ନୋବେଲ ଫାର୍ମା କେୟାର ଲିମିଟେଡ୍ ଏହି ସିରିଞ୍ଜ୍ ଉତ୍ପାଦନ କରୁ ନ ଥିଲା। କିନ୍ତୁ ତିନିଦିନ ତଳେ ଉକ୍ତ ସଂସ୍ଥାକୁ ଏଡି ସିରିଞ୍ଜ୍ ଉତ୍ପାଦନ ପାଇଁ ସିଡିଏସ୍ସିଓ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ଅନୁମତି ମିଳିଥିବା ଜଣାପଡିଛି।
କୋଭିଡ୍ ଟିକାକରଣ କାର୍ଯ୍ୟରେ ଟିକା ପ୍ରଦାନ ସମୟରେ ବ୍ୟବହୃତ ହେଉଥିବା ୦.୫ଏମ୍ଏଲ୍ ଅଟୋ ଡିଜେବୁଲ ବା ଏଡି ସିରିଞ୍ଜ ଏବେ ରାଜ୍ୟରେ ପ୍ରସ୍ତୁତ ହେବା ସହ ଓଡିଶା ସମେତ ସାରା ଭାରତକୁ ଏହି ସିରଞ୍ଜ ଯୋଗାଇଦେବା ପାଇଁ ଉକ୍ତ ସଂସ୍ଥା ଯୋଜନା ରଖିଛି। ଏହି ସିରିଞ୍ଜ ବ୍ୟବହାର ହେଲେ ଟିକା ପ୍ରଦାନ ସମୟରେ ମୂଲ୍ୟବାନ ଟିକାର ଯେଉଁ ଅପଚୟ ହେବାର ସମ୍ଭାବନା ଥିଲା ତାକୁ ରୋକାଯାଇପାରିବ ଓ ଯେତିକି ପରିମାଣର ଟିକା ଆବଶ୍ୟକ ଠିକ ସେତିକି ହିଁ ଉକ୍ତ ସିରିଞ୍ଜ ଦ୍ଵାରା ଟଣାଯିବ। ଅନ୍ୟ ସିରିଞ୍ଜରେ ଟିକା ଦେଲେ ସେଠାରେ ଲଗ୍ଇନ୍ର କୌଣସି ସିଷ୍ଟମ୍ ବା ବ୍ୟବସ୍ଥା ନାହିଁ, କିନ୍ତୁ ଏହି ୦.୫ଏମ୍ଏଲ୍ ଏଡି ସିରିଞ୍ଜ୍ରେ ଏହି ବ୍ୟବସ୍ଥା ଥିବାରୁ ଟିକା ଅପଚୟକୁ ରୋକାଯିବା ସହ କୌଣସି ପ୍ରକାର ଅପଚୟ ହେବାର ସମ୍ଭାବନା ଆଦୌ ରହିବ ନାହିଁ ବୋଲି ସଂସ୍ଥାର ଏମ୍ଡି ସୁବ୍ରତ ଗରାବଡୁ ସୂଚନା ଦେଇଛନ୍ତି। ଏବେ କୋଭିଡ୍ ଟିକା ପାଇଁ ଓଡ଼ିଶା ଭିତରେ ଏଡି ସିରଞ୍ଜ ପ୍ରସ୍ତୁତି ଓଡ଼ିଶା ପାଇଁ କୋଭିଡ୍ ମୁକାବିଲା ଓ ଟିକାକରଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
The post କୋଭିଡ୍ ଟିକାକରଣରେ ନୂଆ ଅଧ୍ୟାୟ: ରାଜ୍ୟରେ ଅଟୋ ଡିଜେବୁଲ ସିରିଞ୍ଜ ପ୍ରସ୍ତୁତ first appeared on Sambad.from କରୋନା | Sambad https://ift.tt/2SR5oLp
0 Comments