ମେଡିକାଲ୍‌ ଚକ୍କର୍ କାଟିଲେଟି ବେସାହାରା ପରିବାର
ସରକାରୀ ସହାୟତା ପାଇଁ କୋହଭରା ନିବେଦନ

ଗୋଳନ୍ଥରା : କରୋନାରେ ମୃତ୍ୟୁ। କିନ୍ତୁ ପ୍ରମାଣପତ୍ର ମିଳିଛି ଅଣକୋଭିଡ୍‌ରେ ରୋଗୀଙ୍କ ମୃତ୍ୟୁ। ଫଳରେ ଏଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ସହାୟତା କେମିତି ମିଳିବ, ଏହାକୁ ନେଇ ଗୋଟିଏ ନୁହେଁ, ଗଞ୍ଜାମ ଜିଲ୍ଲାର ଶତାଧିକ ପରିବାର ଏବେ ସନ୍ଦିହାନ ଓ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

ଗୋଳନ୍ଥରା ଥାନା ଇଲାକାରେ ବାସ କରୁଥିବା ଦିବଙ୍ଗତ ଗୁରୁନାଥ (୪୫)ଙ୍କୁ ଉଦାହରଣ ଭାବେ ନିଆଯାଇପାରେ। ଗତ ଏପ୍ରିଲ୍ ୩୦ ତାରିଖରେ ଗୁରୁନାଥ ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମଧ୍ୟାହ୍ନ ୧୨ଟାରେ ବ୍ରହ୍ମପୁର ଏମ୍‌କେସଜି କାଜୁଆଲଟିରେ ଭର୍ତ୍ତି କରାଗଲା। ଆର୍ଟି‌ପିସିଆର୍ ଟେଷ୍ଟ୍ ପରେ ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା। ସେତେବେଳେ ଜିଲ୍ଲାରେ କରୋନା ଭୟଙ୍କର ଭାବେ କାୟା ବିସ୍ତାର କରିଥିବାବେଳେ ବହୁ କଷ୍ଟରେ ଗୁରୁନାଥଙ୍କୁ ଏମ୍‌କେସିଜି ଡିସିଏଚ୍‌-୧ରେ ଖଣ୍ଡିଏ ଶଯ୍ୟା ମିଳିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତ ମେ ୧୬ ତାରିଖରେ ଅଶ୍ବିନୀ କୋଭିଡ୍ ହସ୍ପିଟାଲ୍ ଆଇସିୟୁରେ ଭର୍ତ୍ତି କରାଗଲା। କିନ୍ତୁ ଦୀର୍ଘ ଏକମାସରୁ ଅଧିକ ସମୟ ଧରି ଜୀବନ ସହ ଲଢ଼ିବା ପରେ ଚଳିତ ମାସ ୪ ତାରିଖରେ ଗୁରୁନାଥ ଆଖି ବୁଜିଲେ। ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ୍ ପଛପଟେ କୋଭିଡ୍‌ ନିୟମ ଅନୁସାରେ ଶବ ଦାହ ହେଲା।

କିଛି ଦିନ ପରେ ପରିବାରବର୍ଗ ମୃତ୍ୟୁକାଳୀନ ସରକାରୀ ପ୍ରମାଣପତ୍ର ପାଇ ଘରେ ରଖିଦେଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଗତ କିଛି ଦିନ ତଳେ ‘ଆଶୀର୍ବାଦ’ ଯୋଜନା ଘୋଷଣା କଲେ। ଏଥିରେ କରୋନାରେ ମୃତକଙ୍କ ସନ୍ତାନଙ୍କୁ ସରକାରୀ ସହାୟତା ଘୋଷଣା କଲେ। ହେଲେ ଗୁରୁନାଥଙ୍କ ମୃତ୍ୟୁ ପ୍ରମାଣପତ୍ର ଦେଖିବା ବେଳକୁ ସେଥିରେ ତାଙ୍କ ମୃତ୍ୟୁର କାରଣ ‌ଅଣକୋଭିଡ୍ ବୋଲି ଦର୍ଶାଯାଇଥିଲା। ଏହା ଜାଣିବା ପରେ କୋଭିଡ୍‌ଜନିତ ମୃତ୍ୟୁ ପ୍ରମାଣପତ୍ର ପାଇଁ ଅଶ୍ବିନୀ କୋଭିଡ୍ ହସ୍ପିଟାଲ୍ ଓ ଏମ୍‌କେସିଜି ମେଡିକାଲ୍‌ କତ୍ତଁଅପକ୍ଷଙ୍କ ପାଖକୁ ଚକ୍କର୍ କାଟୁଛନ୍ତି। କୋଭିଡ୍‌ଜନିତ ମୃତ୍ୟୁ ପ୍ରମାଣପତ୍ର ଆମେ ଦେଇପାରୁନି ବୋଲି କର୍ତ୍ତୃପକ୍ଷ ରୋକ୍‌ଠୋକ୍ କହୁଛନ୍ତି। ଫଳରେ ଗୁରୁନାଥଙ୍କ ପରିବାର ତାଙ୍କ ମୃତ୍ୟୁର କାରଣ ଖୋଜିବାରେ ଲାଗିଛନ୍ତି। ପ୍ରଶାସନ ନିଜ ଇଚ୍ଛା ମୁତାବକ କୋଭିଡ୍ ପରିଚାଳନା କରୁଥିବା ଓ ମୃତ୍ୟୁ ସାର୍ଟିଫିକେଟ୍‌ ଦେଉଥିବା ଏହି ଗୋଟିଏ ଘଟଣାରୁ ସ୍ପଷ୍ଟ ହେଉଛି। ସରକାରୀ ଗୁପ୍ତ ନଥିରେ କାହାକୁ କୋଭିଡ୍‌ଜନିତ କାହାକୁ ଅଣ‌କୋଭିଡ୍ ଜନିତ ମୃତ୍ୟୁ ଘୋଷଣା କରାଯିବ ତାହା ବିଚାର ହେଉଛି ବୋଲି ମତପ୍ରକାଶ ପାଇଛି।

ଅନ୍ୟପକ୍ଷରେ, ଗଞ୍ଜାମରେ ଦିନକୁ ଶହ ଶହ ଜୁଇ ଜଳୁଥିବା ବେଳେ ମୃତ୍ୟୁ ସଂଖ୍ୟାକୁ ଜାଣିଶୁଣି ଲୁଚାଉଥିବା ଅଭିଯୋଗ ଆସିଥିଲା। କୋଭିଡ୍ ମୃତକଙ୍କ ପ୍ରମାଣପତ୍ରରେ ଅଣକୋଭିଡ୍ ମୃତ୍ୟୁ ବୋଲି ଲେଖିଦେଇ ଦା‌ୟିତ୍ବ ସାରିଦେଲେ ଅଧିକାରୀ। ଫଳରେ ପରିବାରବର୍ଗ ଏବେ ହନ୍ତସନ୍ତ ହେଉଛନ୍ତି। ଆଉ ଏଭଳି ସ୍ଥିତିରେ ସେମାନେ ସରକାରୀ ସହାୟତା କେମିତି ପାଇବେ ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

The post କୋଭିଡ୍‌ ମୃତ୍ୟୁ, ପ୍ରମାଣପତ୍ରରେ ଅଣକୋଭିଡ୍ first appeared on Sambad.

from କରୋନା | Sambad https://ift.tt/3AbqZyK