ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀରେ ମୃତ୍ୟୁବରଣ କରୁଥିବା ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରିବା ନିମନ୍ତେ ୬ ସପ୍ତାହ ମଧ୍ୟରେ ମାର୍ଗଦର୍ଶିକା ପ୍ରସ୍ତୁତି କରିବା ଲାଗି ଆଜି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ଏ ପ୍ରକାରର ଅନୁକମ୍ପା ରାଶି ପ୍ରଦାନ କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର କରିଥିବା ନିବେଦନକୁ ମଧ୍ୟ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି। ସୁପ୍ରିମ୍‌ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଅନୁକମ୍ପା ଭାବେ ପ୍ରଦାନ ହେବାକୁ ଥିବା ଅର୍ଥରାଶିର ପରିମାଣ ‘ଏନ୍‌ଡିଏମ୍‌ଏ’ ଅଧୀନରେ ଥିବା ଜାତୀୟ କର୍ତ୍ତୃପକ୍ଷ ନିର୍ଦ୍ଧାରଣ କରିବେ।

‌କୋଭିଡ୍‌-୧୯ ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷଙ୍କ ପରିବାରର ସଦସ୍ୟମାନଙ୍କୁ ଅନୁକମ୍ପା ଅର୍ଥରାଶି ପ୍ରଦାନ କରିବା ବ୍ୟବସ୍ଥା ୬ ସପ୍ତାହ ମଧ୍ୟରେ କରିବା ଲାଗି ଉପରୋକ୍ତ ରାୟରେ ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ବାଧୀନ ତିନିଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ‘ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ଙ୍କୁ ନିର୍ଦେଶ ଦେଇଛନ୍ତି।

Image Courtesy of Mint

ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, କୋଭିଡ୍‌-୧୯ ଯୋଗୁଁ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଅନୁକମ୍ପା ଅର୍ଥରାଶି ସମେତ ସର୍ବନିମ୍ନ ମାନର ରିଲିଫ୍ ଯୋଗାଇ ନ ପାରିବା ହେଉଛି ‘ଏନ୍‌ଡିଏମ୍ଏ’ର ବୈଧାନିକ କର୍ତ୍ତବ୍ୟ ନିର୍ବାହ ବିଫଳତା।

କୋଭିଡ୍‌-୧୯ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ଅର୍ଥରାଶି ପ୍ରଦାନ କରାଯାଉ ବୋଲି ଫାଇଲ୍‌ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଉପରୋକ୍ତ ରାୟ ଦେଇଛନ୍ତି।

କୋଭିଡ୍-୧୯ ଜଟିଳତାଜନିତ ମୃତ୍ୟୁ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ପ୍ରମାଣ ପତ୍ର ଜାରି ବ୍ୟବସ୍ଥା ମଧ୍ୟ ସରଳ କରିବା ଲାଗି ମାର୍ଗଦର୍ଶିକା ପ୍ରସ୍ତୁତି ନିମନ୍ତେ ସୁପ୍ରିମ୍‌ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

The post ମୃତ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ପରିବାରବର୍ଗଙ୍କୁ ଅନୁକମ୍ପା ଅର୍ଥରାଶି ପ୍ରଦାନ ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତି କର: କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଲେ ସୁପ୍ରିମ୍‌ କୋର୍ଟ first appeared on Sambad.

from କରୋନା | Sambad https://ift.tt/363We1c