ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଓ ସରକାରଙ୍କ ତଥ୍ୟ ମେଳ ଖାଉନଥିବାରୁ କେବଳ ରାଜ୍ୟବାସୀ ବିଭ୍ରାନ୍ତ ହେଉନାହାନ୍ତି, କରୋନାରେ ବାପା ମା’ଙ୍କୁ ହରାଉଥିବା ଶିଶୁ ଅନୁକମ୍ପା ରାଶି ଓ ଅନ୍ୟାନ୍ୟ ସହଯୋଗରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଯାହା ଏକ ଧର୍ତବ୍ୟ ଏବଂ ଜଘନ୍ୟ ଅପରାଧ ବୋଲି ବିଜେପି ବିଧାୟକମାନେ କହିଛନ୍ତି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାର ତଥ୍ୟକୁ ସଂଶୋଧନ କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସୁବିଧା ସୁଯୋଗରୁ ବଂଚିତ ଅନାଥ ଶିଶୁମାନଙ୍କ ତାଲିକା ପ୍ରସ୍ତୁତ କରାଯାଉ। ଏସଂପର୍କରେ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ବିଜେପି ବିଧାୟକମାନେ ଦାବି କରିଛନ୍ତି। ଏ ନେଇ ଶନିବାର ୮ରୁ ଊର୍ଦ୍ଧ୍ବ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ଓଡ଼ିଶା ସରକାର କରୋନାକୁ ‘ବିପର୍ଯ୍ୟୟ’ ଭାବେ ଘୋଷଣା କରିଛନ୍ତି। ତେଣୁ ଅନ୍ୟ ରାଜ୍ୟ ଯଥା – ଆସାମ, ରାଜସ୍ଥାନ ଓ ବିହାର ରାଜ୍ୟ ପରି ମୃତ ବ୍ୟକ୍ତିର ପରିବାରକୁ ବିପର୍ଯ୍ୟୟ ଆଇନ ଅନୁଯାୟୀ ଅନୁକମ୍ପା ରାଶି ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ବିଜେପି ବିଧାୟକମାନେ ଆହୁରି କହିଛନ୍ତି ଯେ ଦେଶର ଅଧିକାଂଶ ରାଜ୍ୟ କେନ୍ଦ୍ରୀୟ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ନିଜ ରାଜ୍ୟରେ କାର୍ଯ୍ୟକାରୀ କରି ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ କରୁଛନ୍ତି। କିନ୍ତୁ ଓଡ଼ିଶା ସରକାରଙ୍କ ରାଜନୈତିକ ଅଭିସନ୍ଧି ଯୋଗୁଁ ଏହି ଯୋଜନାକୁ କାର୍ଯ୍ୟକାରୀ ନ କରିବା ଫଳରେ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଓଡ଼ିଶାବାସୀ ଏଥିରୁ ବଂଚିତ ହେଉଛନ୍ତି। ଆୟୁଷ୍ମାନ କାର୍ଯ୍ୟକାରିତାକୁ ନେଇ କଣ ସମସ୍ୟା ହେବ ସେ ନେଇ ବିଧାନସଭାରେ ମଧ୍ୟ ସରକାର ଠିକ୍‌ ଉତ୍ତର ଦେବାକୁ ଅସମର୍ଥ ହୋଇଛନ୍ତି। ଏବେ କୋଭିଡ୍‌ ଚିକିତ୍ସା ପାଇଁ ଏହି ଯୋଜନା ଶୁଭଙ୍କର ହୋଇଥିବାରୁ ରାଜନୀତିରୁ ଊର୍ଦ୍ଧରେ ରହି ରାଜ୍ୟ ସରକାର ଏହି ଯୋଜନା ଜରିଆରେ ସ୍ୱାସ୍ଥ୍ୟର ବିକାଶ କରନ୍ତୁ ବୋଲି ବିଜେପି ବିଧାୟକ ମୋହନ ଚରଣ ମାଝୀ, କୁସୁମ ଟେଟେ, ବୁଢ଼ାନ ମୁର୍ମୁ, ଶଙ୍କର ଓରାମ୍‌, ଭବାନୀ ଶଙ୍କର ଭୋଇ, ସୁବାସ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ବିଧାୟକମା‌ନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

କରୋନା ଭଳି ବିପର୍ଯ୍ୟୟ ସମୟରେ ବିଜେପି ରାଜନୀତି କରୁଛି: ବିଜେଡି
ଭୁବନେଶ୍ବର : ବାତ୍ୟା, ବନ୍ୟା ଓ କୋଭିଡ୍‌ ମହାମାରୀ ଭଳି ଦୈବୀ ଦୁର୍ବିପାକ ଉପରେ ରାଜନୀତି କରାଯିବା ଉଚିତ ନୁହେଁ। ବିଜେଡି ମଧ୍ୟ ଏଭଳି ରାଜନୀତିରେ ଆଦୌ ବିଶ୍ୱାସ କରେ ନାହିଁ। ଓଡ଼ିଶା ବିଜେପିର ବିଧାୟକମାନେ କୋଭିଡ ମହାମାରୀକୁ ନେଇ ଯେଭଳି ନିମ୍ନମାନର ରାଜନୀତି କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

ଶନିବାର ବିଜେପି ବିଧାୟକମାନେ ସାମ୍ବାଦିକ ସମ୍ମିଳନୀ କରିବା ସହ କୋଭିଡ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହାର ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି, ସଫଳ କୋଭିଡ ପରିଚାଳନା ପାଇଁ ଓଡ଼ିଶା ସବୁ ମହଲରେ ପ୍ରଶଂସିତ ହେଉଛି। ଏଭଳି ସମୟରେ ବିଜେପି ରାଜନୀତି କରିବା ପାଇଁ ଏହାକୁ ଅଣଦେଖା କରୁଛି। କରୋନା ଭଳି ବିଶ୍ୱ ମହାମାରୀକୁ ନେଇ ଶସ୍ତା ରାଜନୀତି କରୁଥିବା ବିଜେପିକୁ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ। ଉଚିତ ସମୟରେ ଏହାର ଠିକଣା ଜବାବ ଦେବେ ବୋଲି ସେ ଏକ ପ୍ରେସ୍‌ ବିବୃତିରେ ଉଲ୍ଲେଖ କରିଛନ୍ତି।

The post କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ସରକାର: ବିଜେପି first appeared on Sambad.

from କରୋନା | Sambad https://ift.tt/3gDTyxh