
ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳରେ ଏବେ କରୋନାର କୋପ ଥମିବାର ନାଁ ଧରୁନି। ଗତ ଦୁଇ ଦିନ ମଧ୍ୟରେ ବିଭିନ୍ନ ଗ୍ରାମରେ ୯୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ ୩୦ଜଣ ଗୁରୁତର ସଂକ୍ରମିତ ଚିକିତ୍ସା ଲାଗି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟ ସମସ୍ତ ସଂକ୍ରମିତଙ୍କୁ ଗୃହ ସଂଗରୋଧରେ ଚିକିତ୍ସିତ ହେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।
ଅପରପକ୍ଷେ ବେଣ୍ଟପୁର ପଞ୍ଚାୟତ ଅଧୀନ ବ୍ରାହ୍ମଣଷଡ଼ଙ୍ଗୀ ଗ୍ରାମରେ ସୁଲୋଚନା ଦେବୀ (୮୫)ଙ୍କ କୋଭିଡ୍ରେ ମୃତ୍ୟୁ ହୋଇଯାଇଛି। ସୁଲୋଚନା ପଜିଟିଭ ଚିହ୍ନଟ ହେବା ପରେ ଗୃହ ସଂଗରୋଧରେ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ବାଲିଅନ୍ତା ତହସିଲ ପ୍ରଶାସନ ପକ୍ଷରୁ ବିଏମସି ସ୍ବର୍ଗରଥରେ ଶବକୁ ସତ୍ୟନଗର ଶ୍ମଶାନ ନେଇ ସତ୍କାର କରାଯାଇଥିଲା। ଅନ୍ୟପକ୍ଷରେ ଗତ ଦୁଇଦିନ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅନୁପାତ ବୃଦ୍ଧି ହାର ସବୁ ଦିନର ରେକର୍ଡକୁ ଟପି ଯାଇଛି ବୋଲି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି।
ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ୧୧ଟି ଗ୍ରାମ ତଥା ସାହିକୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ତହସିଲଦାର ସରୋଜ କୁମାର ପଣ୍ଡା କହିଛନ୍ତି। ହେଲେ ସଂପୃକ୍ତ ଅଞ୍ଚଳ ସାନିଟାଇଜ୍ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଅପରପକ୍ଷେ ତହସିଲ ପ୍ରଶାସନ ପକ୍ଷରୁ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜୋରଦାର କରାଯାଇଛି। ୧୫ଟି ଦୋକାନ ସିଲ କରାଯାଇଛି।
The post ବାଲିଅନ୍ତାରେ ଦୁଇ ଦିନ ଭିତରେ ୯୬ ପଜିଟିଭ୍; ୧୧ ଗାଁ ଆବଦ୍ଧାଞ୍ଚଳ, ୧୫ ଦୋକାନ ସିଲ first appeared on Sambad.from କରୋନା | Sambad https://ift.tt/3xiBdLQ
0 Comments