ନୂଆଦିଲ୍ଲୀ: ହୁଏ ତ ଶାରୀରିକ ଦୂରତ୍ବ ଏବଂ ମାସ୍କ ବ୍ୟବହାର ସାମ୍ପ୍ରତିକ କୋଭିଡ୍‌-୧୯ ସଙ୍କଟରୁ ଅନେକଙ୍କୁ ନିରାପଦ ରଖିଛି, କିନ୍ତୁ ଏସବୁ ପିଲାମାନଙ୍କର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ଦୁର୍ବଳ କରି ପକାଇଥିବା କଥା ଇଂଲଣ୍ଡ୍‌ର ବିଶେଷଜ୍ଞମାନଙ୍କର ମନେହେଉଛି।

ସେମାନଙ୍କ କହିବା ହିସାବରେ, ପ୍ରାୟ ଗତ ୧୫ ମାସ ହେବ ପିଲାଏ ଋତୁ ପରିବର୍ତ୍ତନକାଳୀନ ସର୍ଦ୍ଦି କରାଉଥିବା ଭୂତାଣୁ ସହ ବିଶେଷ ମୁକାବିଲା କରି ପାରିନାହାନ୍ତି। ଫଳତଃ, ମହାମାରୀତ୍ତୋର ଦିନମାନଙ୍କରେ ଭୂତାଣୁମାନଙ୍କ ସହ ଲଢ଼ିବା ପାଇଁ ସେମାନଙ୍କ ଦେହ ରୋଗ ପ୍ରତିରୋଧକ ଧାରା ସୃଷ୍ଟି କରିବାରେ ଅସମର୍ଥ ହୋଇପଡ଼ିଛି।

ତେଣୁ, ଏକ ବର୍ଷରୁ ସାନ ପିଲାଙ୍କୁ ଆକ୍ରାନ୍ତ କରି ଫୁସ୍‌ଫୁସ୍‌ ସଂକ୍ରମଣ ଏବଂ ବେଳେ ବେଳେ ମୃତ୍ୟୁ ଘଟାଉଥିବା ‘ଆର୍‌ଏସ୍‌ଭି’ ଭୂତାଣୁ ସଂକ୍ରମଣ କଥାରେ ସେଠାକାର ଭୂତାଣୁବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ସେଥିପାଇଁ ମଧ୍ୟ କୌଣସି ଟିକା ନାହିଁ ବୋଲି ‘ଗାର୍ଡିଆନ୍‌’ ଖବରକାଗଜ ରିପୋର୍ଟ କରିଛି।

Image Courtesy of The Conversation

ବିଶେଷଜ୍ଞମାନେ କହିଛନ୍ତି ଯେ, ପ୍ରାକ୍‌-କୋଭିଡ୍‌ ଦିନମାନଙ୍କରେ, ଅନ୍ୟ କୌଣସି ଋତୁ ପରିବର୍ତ୍ତନକାଳୀନ ଭୂତାଣୁ ସଂକ୍ରମଣ ଅପେକ୍ଷା ‘ଆର୍‌ଏସ୍‌ଭି’ ସଂକ୍ରମଣ ଯୋଗୁଁ ଅଧିକ ଶିଶୁ ଡାକ୍ତରଖାନାକୁ ଆସୁଥିଲେ। କିନ୍ତୁ, ମହାମାରୀ ସମୟରେ ମାସ୍କ୍‌ ଓ ଶାରୀରିକ ଦୂରତ୍ବ ପିଲାମାନଙ୍କୁ ଉକ୍ତ ରୋଗ ସଂକ୍ରମଣରୁ ନିରାପଦ ରଖିଛି।

ମାତ୍ର ସ୍ବାଭାବିକ ପରିସ୍ଥିତି ଆସିଗଲେ ‘ଆର୍‌ଏସ୍‌ଭି’ ଅଧିକ ମାରାତ୍ମକ ହୋଇପାରେ। ସେତେବେଳେ କୋଭିଡ୍‌ବିଜଡ଼ିତ ନିୟମାବଳି ଅନ୍ତର୍ଗତ ମାସ୍କ୍‌ ଓ ଶାରୀରିକ ଦୂରତ୍ବ ଆଦି ନ ଥିବାରୁ ପିଲାଏ ପୁଣି ରୋଗାକ୍ରାନ୍ତ‌ ହେବେ।

ଏ ସଂକ୍ରାନ୍ତରେ ନଟିଙ୍ଗ୍‌ହାମ୍‌ବିଶ୍ବ ବିଦ୍ୟାଳୟର ଭୂତାଣୁବିଜ୍ଞାନୀ ପ୍ରାଧ୍ୟାପକ ୱିଲିୟମ୍‌ ଇର୍‌ଭିଙ୍ଗ୍ କହିଛନ୍ତି, ଗତବର୍ଷ ଶୀତଋତୁରେ ଫ୍ଲୁ ହୋଇ ନ ଥିଲା। ଯଦି ଏଥର ହୁଏ, ବଡ଼ କଦର୍ଯ୍ୟ ଅବସ୍ଥା କରାଇବ।

The post ମାସ୍କ୍‌ ଏବଂ ଶାରୀରିକ ଦୂରତ୍ବ ପିଲାମାନଙ୍କର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ଦୁର୍ବଳ କରିଥାଇ ପାରେ: ରିପୋର୍ଟ first appeared on Sambad.

from କରୋନା | Sambad https://ift.tt/3gJGvJw