
ନୂଆଦିଲ୍ଲୀ: ଦେଶରେ କରୋନାର ଡେଲ୍ଟା ପ୍ଲସ୍ ପ୍ରଜାତି ୪ ଜଣଙ୍କ ଜୀବନ ନେଇଥିବା ବେଳେ ଅଧିକରୁ ଅଧିକ ରାଜ୍ୟରେ ଏହା ଚିହ୍ନଟ ହୋଇଛି। ଆଜି ସୁଦ୍ଧା ମୋଟ୍ ୫୨ଟି ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି। ଏହି ଡେଲ୍ଟା ପ୍ଲସ୍ ପ୍ରଜାତି ଡେଲ୍ଟାଠାରୁ ଅଧିକ ସଂକ୍ରାମକ ଏବଂ ଏହା ତୃତୀୟ ଲହରର ପ୍ରମୁଖ କାରଣ ହେବ ବୋଲି ବିଶେଷଜ୍ଞମାନେ କହି ସାରିଛନ୍ତି। ଦେଶରେ ୧୧ଟି ରାଜ୍ୟକୁ ଡେଲ୍ଟା ପ୍ଲସ୍ ବ୍ୟାପିଥିବା ଜଣାପଡ଼ିଛି। ତେବେ ସରକାର ୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି। ଯେଉଁ ଜିଲ୍ଳାମାନଙ୍କରେ ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି ସେଠାରେ ତୁରନ୍ତ କଣ୍ଟେନ୍ମେଣ୍ଟ୍ ପଦକ୍ଷେପ ଗ୍ରହଣ କରିବା ସହ ଭିଡ଼ କମାଇବା ଏବଂ ବ୍ୟାପକ ଟେଷ୍ଟିଂ ବୃଦ୍ଧି ସହ ଟିକାକରଣ ବୃଦ୍ଧି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ତାମିଲନାଡ଼ୁ, ରାଜସ୍ଥାନ, କର୍ଣ୍ଣାଟକ, ପଂଜାବ, ଆନ୍ଧ୍ରପ୍ରଦେଶ, ଜମ୍ମୁ କାଶ୍ମୀର, ଗୁଜରାଟ ଏବଂ ହରିୟାଣାକୁ ଚିଠି ଲେଖି ଏହି ପରାମର୍ଶ ଦେଇଛନ୍ତି। ଭୂଷଣ କହିଛନ୍ତି, ଆନ୍ଧ୍ରପ୍ରଦେଶର ତିରୁପତି, ଗୁଜରାଟର ସୁରତ, ହରିୟାଣାର ଫରିଦାବାଦ୍, ଜମ୍ମୁ କାଶ୍ମୀରର କଟରା, ରାଜସ୍ଥାନର ବିକାନେର, ପଂଜାବର ପଟିଆଲା ଏବଂ ଲୁଧିଆନା , କର୍ଣ୍ଣାଟକର ମହୀଶୁର, ତାମିଲନାଡ଼ୁର ଚେନ୍ନାଇ, ମଦୁରାଇ ଏବଂ କାଞ୍ଚିପୁରମ୍ରେ ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୨୨ ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ପରେ ତାମିଲନାଡ଼ୁର ମଦୁରାଇରେ ଆଜି ପ୍ରଥମ ଡେଲ୍ଟା ପ୍ଲସ୍ ମୃତ୍ୟୁ ହୋଇଛି।
୧୬୭ ଜିଲ୍ଲାରେ ପଜିଟିଭ୍ ହାର ୫%ରୁ ଅଧିକ
ନୂଆଦିଲ୍ଲୀ : ଦେଶରୁ କରୋନାର ଦ୍ବିତୀୟ ଲହର ଏଯାବତ୍ ଶେଷ ହୋଇନି। ଯଦିଓ ଦେଶର ଏକ ବୃହତ୍ ଅଂଶରେ ଦ୍ବିତୀୟ ଲହର ସଂକ୍ରମଣ ଦୁର୍ବଳ ହୋଇଛି। କିନ୍ତୁ ଏବେ ବି ଦେଶର ଅନେକ ସ୍ଥାନରେ ସଂକ୍ରମଣ ଅଧିକ ରହିଛି। ଦେଶରେ ଏବେ ୫୬୫ ଜିଲ୍ଲାରେ ଟେଷ୍ଟ୍ ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ ରହିଛି। କିନ୍ତୁ ୭୫ ଜିଲ୍ଲାରେ ଟେଷ୍ଟ୍ ପଜିଟିଭ୍ ହାର ୧୦ ପ୍ରତିଶତରୁ ଅଧିକ ରହିଥିବା ବେଳେ ୯୨ ଜିଲ୍ଲାରେ ଏହା ୫-୧୦ ପ୍ରତିଶତ ମଧ୍ୟରେ ରହିଛି। ଇତିମଧ୍ୟରେ ଆଇସିଏମ୍ଆର ଦ୍ବାରା ଏ ବାବଦରେ ଏକ ଅଧ୍ୟୟନ ହୋଇଛି ଏବଂ ଏହି ଅଧ୍ୟୟନ ଭାରତୀୟ ଚିକିତ୍ସା ଗବେଷଣା ପତ୍ରିକାରେ ପ୍ରକାଶ ପାଇଛି। ଏଥିରୁ ଜଣାପଡ଼ିଛି ଯେ, ଦେଶରେ ତୃତୀୟ ଲହର ଆସିବ କିନ୍ତୁ ଏହା ଦ୍ବିତୀୟ ଲହର ପରି ଘାତକ ହୋଇନପାରେ। ବିଶେଷଜ୍ଞମାନେ କହିଛନ୍ତି, ଆଗାମୀ ଲହର ଉପରେ ଟିକାକରଣ ଅତି ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପକାଇବ।
ଏକ ବିବୃତି ରଖି ଆଇସିଏମ୍ଆର ନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି, ଦେଶରେ ଦ୍ବିତୀୟ ଲହର ଏଯାବତ ସମ୍ପୂର୍ଣ୍ଣ ଶେଷ ହୋଇନି। ୫ ପ୍ରତିଶତରୁ ଅଧିକ ପଜିଟିଭ୍ ହାର ଥିବା ଜିଲ୍ଲାମାନଙ୍କରେ ଏବେ ବି ଦ୍ବିତୀୟ ଲହରର ପ୍ରକୋପ ଜାରି ରହିଛି। ଦୈନିକ ନୂଆ ମାମଲା ଗତ କିଛି ସପ୍ତାହ ଧରି କମିଥିଲେ ସୁଦ୍ଧା ଏବେ ବି ପ୍ରାୟ ୧୨୫ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ମାମଲା ୧୦୦ରୁ ଅଧିକ ରହୁଛି। ତେବେ ଡାକ୍ତର ଭାର୍ଗବ କହିଛନ୍ତି, ଲୋକମାନେ ଯଦି ସତର୍କ ରହିବେ ଏବଂ କରୋନା ନିୟମାବଳି ପାଳନ କରିବେ ତେବେ ତୃତୀୟ ଲହରକୁ ଏଡ଼ାଇ ହେବ।
The post ଭୟ ବଢ଼ାଉଛି ଡେଲ୍ଟା ପ୍ଲସ୍, ତ୍ବରିତ ପଦକ୍ଷେପ ପାଇଁ ୮ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ first appeared on Sambad.from କରୋନା | Sambad https://ift.tt/3h3skz6
0 Comments