
ଭୁବନେଶ୍ବର : ରାଜ୍ୟରେ କରୋନାର ପ୍ରଥମ ଡେଲ୍ଟା ପ୍ଲସ୍(ଏୱାଇ.୧) ଆକ୍ରାନ୍ତ ଚିହ୍ନଟ ହେବା ପରେ ତନାଘନା ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଲାଗି ଶନିବାର ଏପିଡିଓମୋଲୋଜିଷ୍ଟ ଟିମ୍ ଦେବଗଡ଼କୁ ଯାଇଛନ୍ତି। ସଂପୃକ୍ତ ବ୍ୟକ୍ତିଜଣକ କାହା ସାଙ୍ଗରେ ମିଶିଥିଲେ, ସେ ଯାହା ସାଙ୍ଗରେ ମିଶିଥିଲେ, ସେମାନେ ସଂକ୍ରମିତ ହୋଇଛନ୍ତି କି ନାହିଁ ଓ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା କିଭଳି ରହିଛି, ସେ ସଂପର୍କରେ ଯାଞ୍ଚ କରିଛନ୍ତି। ତେବେ ଆକ୍ରାନ୍ତ ଜଣକ ସୁସ୍ଥ ହୋଇ ସାରିଛନ୍ତି ଓ ଏଥିପାଇଁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ସ୍ବାସ୍ଥ୍ୟ ବିଭାଗର ସୂଚନା ମୁତାବକ, ସଂପୃକ୍ତ ବ୍ୟକ୍ତିଜଣକ ଗତ ମାର୍ଚ ୩୦ରେ କରୋନା ଟିକା ନେଇଥିଲେ। ପରବର୍ତ୍ତୀ ସମୟରେ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ। ତାଙ୍କର କିଛି ଲକ୍ଷଣ ନଥିଲା। ଗତ ମେ’ ମାସରେ ତାଙ୍କର ନମୁନା ଜିନ୍ ଅନୁଶୀଳନ ପାଇଁ ପଠାଯାଇଥିଲା। ଟିକା ନେଇଥିବାରୁ ତାଙ୍କଠାରେ କିଛି ଲକ୍ଷଣ ଦେଖିବାକୁ ମିଳିନାହିଁ। ତେଣୁ ଟିକାର ପ୍ରଭାବ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଅପରପକ୍ଷରେ ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି, ଡେଲ୍ଟା ପ୍ଲସ୍ ଭାରିଏଣ୍ଟ ବିଶେଷ ଘାତକ ନୁହେଁ। ଯଦି ଘାତକ ହୋଇଥାନ୍ତା ତାହାଲେ ଦେବଗଡ଼ ଜିଲ୍ଲାରେ ବ୍ୟାପି ସାରନ୍ତାଣି। ହେଲେ ଆମକୁ ସତର୍କ ରହିବାକୁ ହେବ। ଯେହେତୁ ଆକ୍ରାନ୍ତ ଜଣକ ସୁସ୍ଥ ହୋଇ ସାରିଛନ୍ତି ବାର୍ତମାନ ଆଉ କଣ୍ଟାକ୍ଟ ଟ୍ରେସିଂର ଆବଶ୍ୟକତା ନାହିଁ। ରାଜ୍ୟରେ ୧୧ଶହ ନମୁନା ସଂଗ୍ରହ ହୋଇଥିଲା। ଏଥିରେ ଜଣେ ମାତ୍ର ଡେଲ୍ଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାରା ଦେଶରେ ୪୬ହଜାର ନମୁନା ସଂଗ୍ରହ କରାଯାଇଥିଲା ଓ ତହିଁରୁ ୪୮ଟି ମାମଲା ସାମ୍ନାକୁ ଆସିଛି। ଯାହାକି ସମୁଦାୟ ନମୁନାର ୦.୦୧ ପ୍ରତିଶତ। ତେବେ ଡେଲ୍ଟା ପ୍ଲସ୍ର କ’ଣ ପ୍ରଭାବ ରହିବ ତାହା ଉପରେ ଗବେଷଣା ଜାରି ରହିଛି। ଅନଲକ୍ ହେବା ପରେ ସମସ୍ତେ କୋଭିଡ ନିୟମ ମାନିବାକୁ ହେବ। ଅମାନିଆ ହେବା ଆମ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଡା.ପରିଡ଼ା କହିଛନ୍ତି।
ଆଇସିଏମ୍ଆର ପୂର୍ବତନ ଉପଦେଷ୍ଟା ଡା.ତ୍ରିଭୁବନ ମହାପାତ୍ର କହିଛନ୍ତି, ସଂପୃକ୍ତ ବ୍ୟକ୍ତି ରାଜ୍ୟ କିମ୍ବା ଅନ୍ୟତ୍ର ଯାଇ ନ ଥିବା କୁହାଯାଉଛି। ଯେହେତୁ ରୢାଣ୍ଡମ୍ ଜିନ୍ ଅନୁଶୀଳନ କରାଯାଇଛି ତେଣୁ ଡେଲ୍ଟା ପ୍ଲସ୍ ତାଙ୍କ ଶରୀରରେ ମ୍ୟୁଟେସନ୍ ହୋଇଛି କି ସ୍ଥାନୀୟ ଅଞ୍ଚଳରେ ଅନ୍ୟ କାହାଦ୍ବାରା ସଂପୃକ୍ତ ବ୍ୟକ୍ତିଙ୍କ ଶରୀରକୁ ଆସିଛି ତାହା କହିବା ମୁସ୍କିଲ୍। ତେଣୁ ସ୍ଥାନୀୟ ଅଞ୍ଚଳରେ ଅଧିକ ସଂଖ୍ୟାରେ ଜିନ୍ ଅନୁଶୀଳନ କରାଗଲେ ତାହା ସ୍ପଷ୍ଟ ହୋଇପାରିବ। ଯଦି ଅଧିକ ଡେଲ୍ଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ ନ ହୁଅନ୍ତି ତାହାଲେ ଏହାକୁ ନେଇ ଅଧିକ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡା.ମହାପାତ୍ର କହିଛନ୍ତି।
The post ଡେଲ୍ଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ ପରେ ତନାଘନା first appeared on Sambad.from କରୋନା | Sambad https://ift.tt/2UGmgVM
0 Comments