ଲଣ୍ଡନ: ଭାରତରେ ଦେଖାଦେଇଥିବା ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହରର ଭୟାବହତା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଭାରତର ତ୍ରୁଟିପୂର୍ଣ୍ଣ ଅନ୍‌ଲକ୍‌ ପ୍ରକ୍ରିୟାକୁ ଦାୟୀ କରିଛି। ଦେଶରୁ ପ୍ରଥମ ଲହରର ପ୍ରାଦୁର୍ଭାବ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ହୋଇନଥିବା ବେଳେ ଦୈନନ୍ଦିନ ଜୀବନରେ ସ୍ବାଭାବିକତା ଫେରାଇ ଆଣିବା ପାଇଁ ସରକାର ଦ୍ବିତୀୟ ଲହରର ଆବିର୍ଭାବକୁ ଠିକ୍‌ରେ ଆକଳନ କରିପାରିନଥିଲେ। ଫଳରେ ଏପରି ଆଗୁଆ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ କରିଦେବା ସହ ପାର୍ବଣ ଋତୁ ଓ ସାମାଜିକ ଉତ୍ସବରେ ସମାବେଶକୁ ଅନୁମତି ଦେଇ କୋଭିଡ୍‌ କଟକଣା କୋହଳ କରିଦେବାରୁ ଦ୍ବିତୀୟ ଲହର ସଂକ୍ରମଣ ତ୍ବରିତ ବେଗରେ ବ୍ୟାପିଥିଲା।

ଏଥି ସହିତ ଡେଲ୍‌ଟା ପରି ଘାତକ ନୂତନ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁର ଆବିର୍ଭାବ ସାଙ୍ଗକୁ ଅସମାନ ଟିକାବଣ୍ଟନ ମଧ୍ୟ ଦ୍ବିତୀୟ ଲହର ଭୟାବହତାକୁ ଯଥେଷ୍ଟ ବଢ଼ାଇଦେଲା ବୋଲି ଲଣ୍ଡନରେ ଅନୁଷ୍ଠିତ ଜି-୭ ବୈଠକରେ ‘ହୁ’ର ଜରୁରୀକାଳୀନ ସ୍ବାସ୍ଥ୍ୟ ଯୋଜନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିଆନ୍‌ ଚିନ୍ତା ପ୍ରକଟ କରିଛନ୍ତି। ଭାରତରେ ମହାମାରୀର ପ୍ରକୋପ ଜାରି ରହିଛି ଏବଂ ଗ୍ରାମା଼ଞ୍ଚଳକୁ ବ୍ୟାପିବା ଦ୍ବାରା ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି ବୋଲି ସେ କହିଛନ୍ତି। ଅପରପକ୍ଷେ, ଭାରତର ଏହି ସ୍ଥିତି ପାଇଁ ଅନୁରୂପ ଭାବେ ସାମାଜିକ ସମାବେଶ ଓ ଚାରିପ୍ରକାର ରୂପାନ୍ତରିତ କରୋନାଭୂତାଣୁକୁ ଦାୟୀ କରିଛନ୍ତି ‘ହୁ’ର କୋଭିଡ୍‌ ପରିଚାଳନାର ବୈଷୟିକ ମୁଖ୍ୟ ମାରିଆ ଭାନ୍‌ କେର୍କୋଭ୍‌ । ସେହି ପ୍ରଜାତିଗୁଡ଼ିକ ମଧ୍ୟରେ ୟୁକେରେ ପ୍ରଥମେ ଠାବ ହୋଇଥିବା ଆଲ୍‌ଫା ପ୍ରଜାତି, ଦକ୍ଷିଣ ଆଫ୍ରିକାର ବିଟା ପ୍ରଜାତି, ବ୍ରାଜିଲର ଗାମା ପ୍ରଜାତି ଓ ଭାରତର ଡେଲ୍‌ଟା ପ୍ରଜାତି ରହିଛନ୍ତି। ଏହି ରୂପାନ୍ତରିତ ନୂତନ ପ୍ରଜାତିର କରୋନାଭୂତାଣୁମାନେ ସଂକ୍ରମଣକୁ କ୍ଷିପ୍ର କରିଦେବା ସାଙ୍ଗକୁ ଲୋକେ ସାମାଜିକ ଦୂରତ୍ବ ବଜାୟ ରଖିବା ଛାଡ଼ିଦେଲେ। ସେହିପରି ଭାରତରେ ଉପଲବ୍‌ଧ ଦୁର୍ବଳ ଜନସ୍ବାସ୍ଥ୍ୟ ସେବା ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସମାବେଶରେ ଲୋକଙ୍କ ଅବାଧ ମିଳାମିଶା ପରିସ୍ଥିତିକୁ ଆହୁରି ଭୟଙ୍କର କରିଦେଲା ବୋଲି କେର୍କୋଭ୍‌ କହିଛନ୍ତି।

The post ଦ୍ବିତୀୟ ଲହର ପାଇଁ ଆଗୁଆ ଅନ୍‌ଲକ୍‌ ଓ ସାମାଜିକ ସମାବେଶ ଦାୟୀ: ହୁ first appeared on Sambad.

from କରୋନା | Sambad https://ift.tt/3gm16Vh