ରାଜ୍ୟରେ ଚିକିତ୍ସାଧୀନଙ୍କ ସଂଖ୍ୟା କମୁଛି, ସଂକ୍ରମଣ ହାର ଆହୁରି କମିବ: ଡିଏମ୍‌ଇଟି

ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଲା
ଦୈନିକ ସଂକ୍ରମଣ ୪ହଜାର ଉପରେ ସ୍ଥିର, ଆଉ ୪୪ ମୃତ ଘୋଷଣା

ଭୁବନେଶ୍ବର : ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୮ଲକ୍ଷ ଟପିଛି। ସୋମବାର ରାଜ୍ୟରେ ୮୧୮୨ ‌ରୋଗୀ ସୁସ୍ଥ ହେବା ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮ଲକ୍ଷ ୪ହଜାର ୯୮୧କୁ ବୃଦ୍ଧି ପାଇଛି। ଫଳରେ ମୋଟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୭,୭୪୧କୁ ଖସି ଆସିଛି। ଅର୍ଥାତ ରାଜ୍ୟରେ ଏବେ ୫.୫୭ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଛନ୍ତି। ରାଜ୍ୟ ପାଇଁ ‌ଏହା ଏକ ଶୁଭ ଖବର। ରାଜ୍ୟରେ ଏବେ ସଂକ୍ରମିତଙ୍କ ତୁଳନାରେ ଅଧିକ ସଂଖ୍ୟାରେ ରୋଗୀ ସୁସ୍ଥ ହେବା ଫଳରେ ଚଳିତମାସ ଶେଷ ସୁଦ୍ଧା ଏହି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ଘଣ୍ଟାରେ ୬୮,୫୩୫ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ୪୩୩୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ୬.୩ ପ୍ରତିଶତକୁ ଖସି ଆସିଛି। ମାତ୍ର ୮ଟି ଜିଲ୍ଲାରେ ସଂକ୍ରମଣ ହାର ରାଜ୍ୟ ହାରଠାରୁ ଢେର ଅଧିକ ରହିଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୩.୪ ପ୍ରତିଶତ, ଯାଜପୁର ୧୨.୮ ପ୍ରତିଶତ, ପୁରୀ ୧୧.୯ ପ୍ରତିଶତ, କଟକ ୧୦.୨ ପ୍ରତିଶତ, ନୟାଗଡ଼ ୧୦, ବାଲେଶ୍ବର ୯.୪ ପ୍ରତିଶତ, ବୌଦ୍ଧ ୮.୬ ପ୍ରତିଶତ ଓ ଜଗତସିଂହପୁରରେ ୮ ପ୍ରତିଶତ ରହିଛି। ଅପରପକ୍ଷରେ ରାଜ୍ୟର ଅନ୍ୟ ୧୮ଟି ଜିଲ୍ଲାରେ ୫ କିମ୍ବା ୫ ପ୍ରତିଶତରୁ କମ୍ ସଂକ୍ରମଣ ହାର ରେକର୍ଡ କରାଯାଇଛି। ଏ ନେଇ ଡିଏମ୍‌ଇଟି ପ୍ରଫେସର ଡ.ସିବିକେ ମହାନ୍ତି କହିଛନ୍ତି, ରାଜ୍ୟରେ ଏବେ ସଂକ୍ରମଣ ହାର କମୁଛି ଓ ଆହୁରି କମିବ ବୋଲି ଆଶା କରାଯାଉଛି। ଲକ୍‌ଡାଉନ ଓ ଅନଲକ୍‌ ଏକ ନିୟମିତ ପ୍ରକ୍ରିୟା। ଏହା ସଂକ୍ରମିତଙ୍କ ସଂଖ୍ୟା ଉପରେ ଓ ଲୋକଙ୍କ ବ୍ୟବହାର ଉପରେ ନିର୍ଭର କରୁଛି। ପରିସ୍ଥିତିକୁ ଲକ୍ଷ୍ୟ କରି ସମୀକ୍ଷା କରାଯିବ। ଅନଲକ୍‌ କଲେ ସଂକ୍ରମଣ ଆଉ ଥରେ ହେବାର ଆଶଙ୍କା ଉପରେ ଅନୁଧ୍ୟାନ କରାଯିବ। ରାଜ୍ୟ ସରକାର ଏହା ଉପରେ ପଦକ୍ଷେପ ନେବେ। ସେ ଆହୁରି କହିଛନ୍ତି ଯେ ଭୂତାଣୁର ବହୁତ ଅଧିକ ମ୍ୟୁଟାଣ୍ଟ ରହିଛି। ନର୍ମାଲ ସାଇକେଲ ବେଳେ ମ୍ୟୁଟେସନ୍ ଗୋଟେ ସାଧରଣ ପ୍ରକ୍ରିୟା। ସେଥିମଧ୍ୟରୁ କେତେକ ପ୍ରଭାବୀ ଓ ଆଉ କେତେକ ପ୍ରଭାବଶୂନ୍ୟ। ଡେଲ୍‌ଟା ପ୍ରଜାତିର ମ୍ୟୁଟାଣ୍ଟର ଅଧିକ ପ୍ରଭାବ ରହଥିଲା ବୋଲି ଡା.ମହାନ୍ତି କହିଛନ୍ତି।

ଆଜି ରାଜ୍ୟରେ ସର୍ବାଧିକ ସଂକ୍ରମିତ ଖୋର୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ୭ଶହ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୨୭ହଜାର ୪୧୮କୁ ବୃଦ୍ଧି ପାଇଛି। ଏହାସହ କଟକ ୪୮୦, ବାଲେଶ୍ବର ୨୯୬, ପୁରୀ ୨୫୫, ଅନୁଗୁଳ ୨୨୬, ଭ୍ରଦକ ୨୦୯, ଯାଜପୁର ୨୦୭, କେନ୍ଦ୍ରାପଡ଼ା ୧୮୧, ସୁନ୍ଦରଗଡ଼ ୧୭୮, ମୟୂରଭଞ୍ଜ ୧୫୮, ଜଗତସିଂହପୁର ୧୪୩, ଢେଙ୍କାନାଳ ୧୪୪, ନୟାଗଡ଼ ୧୪୯ ଓ ଷ୍ଟେଟ୍‌ ପୁଲରୁ ୧୦୯ଜଣଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୫୬ହଜାର ୧୨୧କୁ ବୃଦ୍ଧି ପାଇଛି।

ରାଜ୍ୟରେ ପୁଣି ୪୪ କରୋନା ରୋଗୀ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଧାରୁ ସର୍ବାଧିକ ୫, ସୁନ୍ଦରଗଡ଼, ରାୟଗଡ଼ା, ପୁରୀ, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବରଗଡ଼, ବାଲେଶ୍ବରରେ ୩ ଲେଖାଏ, ଅନୁଗୁଳ, କଳାହାଣ୍ଡି, ନୟାଗଡ଼ରେ ୨ ଲେଖାଏଁ, ସମ୍ବଲପୁର, ଝାରସୁଗୁଡ଼ା, ଗଞ୍ଜାମ, ଢେଙ୍କାନାଳ, ବଲାଙ୍ଗୀର, ଭଦ୍ରକରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୩୩୪୬କୁ ବୃଦ୍ଧି ପାଇଛି। ରାଜ୍ୟରେ କେସ୍‌ ଫାଟାଲିଟି ରେଟ୍‌ ବା ସିଏଫ୍‌ଆର ୦.୪ ପ୍ରତିଶତ ରହିଛି।

The post ରାଜ୍ୟରେ ଚିକିତ୍ସାଧୀନଙ୍କ ସଂଖ୍ୟା କମୁଛି, ସଂକ୍ରମଣ ହାର ଆହୁରି କମିବ: ଡିଏମ୍‌ଇଟି first appeared on Sambad.

from କରୋନା | Sambad https://ift.tt/3pRBmTV

Post a Comment

0 Comments