
ବାଲେଶ୍ୱର/ସିମୁଳିଆ: ସତ୍ୟସାଇ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ, ସମାଜସେବୀ ତଥା ଯୁବନେତା ଡକ୍ଟର ବେଣୁମାଧବ ପଣ୍ଡାଙ୍କୁ ଆଜି ବାଲେଶ୍ବରରେ ଅନ୍ତିମ ବିଦାୟ ଦିଆଯାଇଛି। ଶୁକ୍ରବାର ଅପରାହ୍ଣରେ ତାଙ୍କ ମରଶରୀରକୁ ବାଲେଶ୍ବର ଅଣାଯାଇଥିବା ବେଳେ ଶୋକାକୁଳ ପରିବେଶରେ ଶୁଭେଚ୍ଛୁ ଓ ସମର୍ଥକମାନେ ତାଙ୍କର ଶେଷଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଥିଲେ।
ପରେ ପରେ ତାଙ୍କର ପାର୍ଥିବ ଶରୀରକୁ ଅଙ୍ଗାରଗଡ଼ିଆ ଶିଳ୍ପାଞ୍ଚଳ ସ୍ଥିତ ସତ୍ୟସାଇ ଯୁକ୍ତଦୁଇ ବିଜ୍ଞାନ କଲେଜ, କେନ୍ଦ୍ରୀୟ ବିଦ୍ୟାଳୟ ଛକ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ, ଚାନ୍ଦିପୁର ସ୍ଥିତ ସତ୍ୟସାଇ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କ୍ୟାମ୍ପସ ଏବଂ କଚେରୀ ନିକଟ ମିଶନ ସ୍କୁଲଠାରେ ଥିବା ତାଙ୍କ ବାସଭବନକୁ ନିଆଯାଇଥିଲା। ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇଥିଲେ। ଶୋକାକୁଳ ପରିବେଶ ତଥା ଅଶ୍ରୁଭରା ନୟନରେ ‘ବେଣୁ ଭାଇ ଅମର ରହେ’ ନାରା ଶୁଭୁଥିଲା। ପୁଷ୍ପଗୁଚ୍ଛ ଅର୍ପଣପୂର୍ବକ ଲୁହ ଛଳଛଳ ଅାଖିରେ ସମସ୍ତେ ବେଣୁମାଧବଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ‘ସମାଜ’ର ବାଲେଶ୍ୱର ସଂସ୍କରଣ ପରିଚାଳକ ମଧୁସୂଦନ ଦାସ, ସମାଜସେବୀ କିଶୋର ଦାସ, ଶିକ୍ଷାବିତ ଡ. ଶ୍ରୀମାନ ଶ୍ରୀଚନ୍ଦନ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସମେତ ଯୁବନେତା ବିକ୍ରମ ପଣ୍ଡା, ସାହିରୁଲ ହକ, ଅସିତ ଦାସ, ସନ୍ତୋଷ ଦାସ, ସମ୍ବିତ ଶ୍ରବଣ ବିଶ୍ୱାଳ, ଭାଗ୍ୟଉଦିତ ଦାସପଟ୍ଟନାୟକ, ସିମନ ଦାସମହାପାତ୍ରଙ୍କ ସମେତ ବାଲେଶ୍ବର ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି, ସତ୍ୟସାଇ ଇନ୍ଷ୍ଟିଚ୍ୟୁସନ୍ସର ଶିକ୍ଷକ, ଅଧ୍ୟାପକ, ପୂର୍ବତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ପ୍ରମୁଖ ବେଣୁମାଧବଙ୍କୁ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପାର୍ଥିବଶରୀର ସହ ସ୍ବର୍ଗତ ପଣ୍ଡାଙ୍କ ବଡ଼ଭାଇ ଅଣୁମାଧବ ପଣ୍ଡା, ସାନଭାଇ ନୀଳମାଧବ ପଣ୍ଡାଙ୍କ ସମେତ ସତ୍ୟସାଇ ସେବା ସଂଗଠନର ସମ୍ପାଦକ ବିଭୂତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
ଏହା ପରେ ପାର୍ଥିବ ଶରୀରକୁ ଜନ୍ମମାଟି ସିମୁଳିଆକୁ ନିଆଯାଇଥିଲା। ସେଠାରେ ମ୍ରିୟମାଣ ପିତା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଓ ମାତା କୁନ୍ତଳା ଦେବୀଙ୍କ ସମେତ ପରିବାରବର୍ଗ, ସମ୍ପର୍କୀୟମାନେ ମାର୍କୋଣା ସ୍ଥିତ ତାଙ୍କ ବାସଭବନରେ ଅପେକ୍ଷା କରିଥିବା ବେଳେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସେଠାରେ ପହଞ୍ଚି ବେଣୁମାଧବଙ୍କୁ ଶେଷଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ରାତି ସାଢ଼େ ୯ଟାରେ ମାର୍କୋଣାସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସାନଭାଇ ନୀଳମାଧବ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ପଣ୍ଡା କରୋନାରେ ଆକ୍ରାନ୍ତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହାଇଦ୍ରାବାଦର ଏଅାଇଜି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ବୁଧବାର ରାତି ସାଢ଼େ ୧୨ଟାରେ ତାଙ୍କର ମୃତ୍ୟୁ ଘଟିଥିଲା।
The post ଅନ୍ତିମ ବିଦାୟ ନେଲେ ବେଣୁମାଧବ, ଶେଷଦର୍ଶନ ପାଇଁ ଶୁଭେଚ୍ଛୁ ଓ ସମର୍ଥକଙ୍କ ସୁଅ ଛୁଟିଲା first appeared on Sambad.from କରୋନା | Sambad https://ift.tt/2SLeIAf
0 Comments