ସମ୍ବଲପୁର : ମାସେରୁ ଅଧିକ ହେଲା କୋଭିଡରେ ଆକ୍ରାନ୍ତ ହୋଇ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ସମ୍ବଲପୁରର ୩୧ ବର୍ଷୀୟ ଯୁବକ ସିଦ୍ଧାର୍ଥ ଶଂକର ମିଶ୍ର। ତାଙ୍କ ଫୁସଫୁସ ସଂକ୍ରମିତ ହୋଇ ଯାଇଥିବାରୁ ଏକ୍‌ମୋ ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର। ଏଥି ପାଇଁ ୮୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ସିଦ୍ଧାର୍ଥ ଓ ତାଙ୍କ ପରିବାର ପାଇଁ ଏତେ ଟଙ୍କା ଯୋଗାଡ଼ କରିବା ଅସମ୍ଭବ ହୋଇ ପଡ଼ିଛି। ତେଣୁ ଚିକିତ୍ସା ସହାୟତା ପାଇଁ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି ସିଦ୍ଧାର୍ଥଙ୍କ ପରିବାର।

ସିଦ୍ଧାର୍ଥଙ୍କ ପତ୍ନୀ ସୋନାଲି କହନ୍ତି, ୨୦୧୯ ମସିହାରେ ସେମାନଙ୍କ ବାହାଘର ହୋଇଥିଲା। କିନ୍ତୁ ସ୍ବାମୀ ସିଦ୍ଧାର୍ଥ ଏବେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଜୁଟାଇବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ଲୋକେ ଚାହିଁଲେ ସିଦ୍ଧାର୍ଥ ବଞ୍ଚି ପାରିବେ ବୋଲି ସୋନାଲି ଆକୁଳ ନିବେଦନ କରିଛନ୍ତି।

ଗତ ମେ’ ୧୬ ତାରିଖରେ ଉଭୟ ସ୍ବାମୀ, ସ୍ତ୍ରୀ କୋଭିଡ ସଂକ୍ରମିତ ହୋଇଥିଲେ। ୨୨ ତାରିଖରେ ସିଦ୍ଧାର୍ଥଙ୍କ ଅବସ୍ଥା ଗୁରୁତର ହେବାରୁ ସମ କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହେଲେ। ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ରଖି ଚିକିତ୍ସା କରାଗଲା। ସ୍ଥିତି‌ରେ ସୁଧାର ନହେବାରୁ ତାଙ୍କୁ ସମ୍‌ ଅଲ୍ଟିମେଟ୍‌ରେ ଭର୍ତ୍ତି କରାଗଲା। ସିଦ୍ଧାର୍ଥଙ୍କ ଫୁସଫୁସ ଗୁରୁତର ପ୍ରଭାବିତ ହୋଇଛି। ଏକ୍‌ମୋ ଲଗାଇଲେ ପ୍ରତିଦିନ ୧ ଲକ୍ଷ ଟଙ୍କା ଖର୍ଚ୍ଚର ଆକଳନ କରାଯାଉଛି। ସିଦ୍ଧାର୍ଥଙ୍କ ବାପା ସୁରେଶ ମିଶ୍ର ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ମା’ ଇନ୍ଦିରା ଗୃହିଣୀ। ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ଜନସାଧାରଣଙ୍କ ସହଯୋଗ ହିଁ ଏକମାତ୍ର ଭରସା ବୋଲି ପରିବାରବର୍ଗ କହିଛନ୍ତି।

ଓଡ଼ିଶାର ଆଉ କିଛି ଲୋକଙ୍କ ଭଳି ସିଦ୍ଧାର୍ଥଙ୍କ ପାଇଁ ବି ମି‌ଲାପ୍‌ ସଂଗଠନ ଲୋକଙ୍କଠାରୁ ସହଯୋଗ ପାଣ୍ଠି ସଂଗ୍ରହ କରୁଛି। ତାଙ୍କ ପାଇଁ ୮୦ ଲକ୍ଷ ଟଙ୍କା ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ଶୁକ୍ରବାର ରାତି ୧୦ଟା ୩୦ ସୁଦ୍ଧା ୧୫ ଲକ୍ଷ ୪୪ ହଜାର ୮୧୩ ଟଙ୍କା ସଂଗୃହୀତ ହୋଇଥିବା ଜଣା ପଡ଼ିଛି। ତେବେ ସିଦ୍ଧାର୍ଥଙ୍କୁ ବଞ୍ଚାଇବା ପାଇଁ ଆହୁରି ଅନେକ ଅର୍ଥର ଆବଶ୍ୟକତା ଥିବାରୁ ସମସ୍ତେ କିଛିକିଛି ସହାୟତା କରିବାକୁ ତାଙ୍କ ପିତାମାତା ନିବେଦନ କରିଛନ୍ତି।

The post ମାସେ ହେଲା କୋଭିଡ୍‌ ସହ ଲଢ଼ୁଛନ୍ତି ସିଦ୍ଧାର୍ଥ, ଏକ୍‌ମୋ ଚିକିତ୍ସା ପାଇଁ ୮୦ ଲକ୍ଷ ଲୋଡ଼ା first appeared on Sambad.

from କରୋନା | Sambad https://ift.tt/3gAtray