ନୂଆଦିଲ୍ଲୀ: ‘କୋଭିସିଲ୍‌ଡ୍‌’ ଟିକାର ଦୁଇ ଡୋଜ୍‌ ମଧ୍ୟରେ ବ୍ୟବଧାନ ବଢ଼ାଇଯିବା ନିଷ୍ପତି ଅତି ସୁସ୍ପଷ୍ଟ ଏବଂ ବିଜ୍ଞାନସମ୍ମତ ତଥାବଳି ଆଧାରିତ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଟୁଇଟ୍‌ କରି କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ମଧ୍ୟ କେନ୍ଦ୍ର ସରକାରଙ୍କ ଟିକାକରଣ ପରାମର୍ଶଦାତା କମିଟିର ମୁଖ୍ୟ ଡାକ୍ତର ଏନ୍‌.କେ. ଅରୋରା ଏକଥା ଟୁଇଟ୍‌ କରି ସୂଚାଇ ଥିଲେ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଟୁଇଟ୍‌ କରିଛନ୍ତି, ଅତି ପ୍ରାଞ୍ଜଳ ଭାବେ ବିଜ୍ଞାନସମ୍ମତ ତଥ୍ୟାବଳିକୁ ଭିତ୍ତି କରି ‘କୋଭିସିଲ୍‌ଡ୍‌’ର ଦୁଇ ଡୋଜ୍‌ ମଧ୍ୟରେ ଅନ୍ତର ବୃଦ୍ଧି କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ତଥ୍ୟାବଳି ମୂଲ୍ୟାୟନ କରିବା ନିମନ୍ତେ ଭାରତର ବଳିଷ୍ଠ ବ୍ୟବସ୍ଥା ରହିଛି। ଏଭଳି ଗୋଟାଏ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ରାଜନୀତିକରଣ କରାଯିବା ଦୁଃଖଦାୟକ।

ଦୁଇ ଡୋଜ୍‌ ମଧ୍ୟସ୍ଥ ଟିକା ବ୍ୟବଧାନକୁ ୬-୮ ସପ୍ତାହରୁ ୧୨-୧୬ ସପ୍ତାହକୁ ବୃଦ୍ଧି କରିବା ନିମନ୍ତେ ସରକାରଙ୍କ ‘ନ୍ୟାସ୍‌ନାଲ୍‌ ଟେକ୍ନିକାଲ୍ ଆଡ୍‌ଭାଇଜରି ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେସନ୍‌’ (ଏନ୍‌ଟିଏଜିଆଇ) ପ୍ରକୃତରେ କିଛି ଆଲୋଚନା କରି ନାହିଁ ବୋଲି ପ୍ରକାଶିତ ରିପୋର୍ଟକୁ ସରକାର ମୁକାବିଲା କରୁଥିବା ବେଳେ ଡାକ୍ତର ବର୍ଦ୍ଧନ ଏଭଳି ସ୍ପଷ୍ଟିକରଣ ଦେଇଛନ୍ତି।

ସେମାନେ କେବଳ ଟିକାର ବ୍ୟବଧାନ ୮ରୁ ୧୨ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଆଲୋଚନା କରିଥିଲେ ବୋଲି ରାଷ୍ଟ୍ରାୟତ ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏପିଡେମିଓଲୋଜି’ର ପୂର୍ବତନ ନିର୍ଦେଶକ ଏମ୍‌ଡି ଗୁପ୍ତେଙ୍କ ସମେତ ତିନିଜଣ ବୈଜ୍ଞାନିକ କହିଥିବା ଆଜି ସକାଳେ ଏକ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଥିଲା। ସେମାନେ କୁଆଡ଼େ କହିଛନ୍ତି, ୮ ରୁ ୧୨ ସପ୍ତାହ ବୃଦ୍ଧି କଥା ଆମେ ସଭିଏଁ ଗ୍ରହଣ କରିଥିଲୁ। ୧୨ ରୁ ୧୬ ସପ୍ତାହ ବୃଦ୍ଧି କଥା ସରକାର କରିଛନ୍ତି। ତାହା ଠିକ୍‌ ହୋଇ ପାରେ ବା ନ ପାରେ। ଆମ ପାଖରେ କୌଣସି ସୂଚନା ନାହିଁ।

The post  ‘କୋଭିସିଲ୍‌ଡ୍‌’ ଡୋଜ୍‌ ବ୍ୟବଧାନ ବିବାଦ ସଂକ୍ରାନ୍ତରେ ସ୍ପଷ୍ଟିକରଣ ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ first appeared on Sambad.

from କରୋନା | Sambad https://ift.tt/3xvKUXn