ନୂଆଦିଲ୍ଲୀ: କେତେକ ଆଞ୍ଚଳିକ ନେପାଳୀ ଗଣମାଧ୍ୟମ କୋଭିଡ୍‌-୧୯ ନିରୋଧୀ ଟିକା ‘ସାଇନୋଫାର୍ମ’ର ଖରିଦ ମୂଲ୍ୟ ପ୍ରକାଶ କରିଦେବା କାରଣରୁ କାଠମାଣ୍ଡୁ ଉପରେ ବେଜିଙ୍ଗ୍‌ ଉତ୍‌କ୍ଷିପ୍ତ ହୋଇଛି। ଚୀନ୍‌ ନେପାଳକୁ ଡୋଜ୍‌ପିଛା ୧୦ ଡଲାର୍‌ ମୂଲ୍ୟରେ ‘ସାଇନୋଫାର୍ମ’ ଟିକା ବିକ୍ରୟ କରୁଛି ବୋଲି ଆଞ୍ଚଳିକ ସେଠାକାର ଆଞ୍ଚଳିକ ଗଣମାଧ୍ୟମ ସବୁ ପ୍ରକାଶ କରିଛନ୍ତି।

ପୂର୍ବ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ଟିକା ‘ସାଇନୋଫାର୍ମ’ ପାଇବା ଲାଗି ନେପାଳ ଚୀନା କମ୍ପାନି ସହିତ ଏକ ରାଜିନାମାରେ ସ୍ବାକ୍ଷର କରିଥିଲା। ଟିକାର ଖରିଦ ମୂଲ୍ୟ ପ୍ରଘଟ ନ କରିବା ପାଇଁ ଉକ୍ତ ରାଜିନାମାରେ ସର୍ତ୍ତ ରହିଥିଲା। କିନ୍ତୁ, ଏହି ରାଜିନାମାର ବୈଧ୍ୟତା ବିଷୟରେ ସାଧାରଣରେ ସନ୍ଦେହ ଉପୁଜିଥିଲା।

ଉକ୍ତ ରାଜିନାମା ବଳବତ୍ତର ଥାଇ ସୁଦ୍ଧା ‘ଦି କାଠମାଣ୍ଡୁ ପୋଷ୍ଟ୍‌’ରେ ପ୍ରକାଶିତ ଆଲେଖ୍ୟରେ ‘ସାଇନୋଫାର୍ମ’ର ଖରିଦ ମୂଲ୍ୟ ଉଲ୍ଲେଖ କରାଯାଇଛି। ଡୋଜ୍‌ ପିଛା ୧୦ ଡଲାର୍‌ ବା ଟ. ୭୫୦/-ରେ ନେପାଳ ୪ ନିୟୁତ ଡୋଜ୍‌ ଚୀନ୍‌ର ‘ସାଇନୋଫାର୍ମ’ ଟିକା ଖରିଦ କରିଛି। ଅବଶ୍ୟ ଆଲେଖ୍ୟରେ ଉଲ୍ଲେଖ ଅଛି ଯେ, ଏହା ଟିକାର ଆନୁମାନିକ ଖରିଦ ମୂଲ୍ୟ। ରାଜିନାମା ଅନୁସାରେ ଏହାର ମୂଲ୍ୟ କେତେ ତାହା ଜଣାପଡ଼ିନାହିଁ। କିନ୍ତୁ, ଡୋଜ୍‌ପିଛା ୧୦ ଡଲାର୍‌ ହୋଇଥାଇ ପାରେ।

Image Courtesy of Madhyamam

ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଚୀନ୍‌ର ଅନେକ ସରକାରୀ ଅଧିକାରୀ ନେପାଳକୁ ସେମାନଙ୍କର ଅସନ୍ତୋଷ ଜଣାଇଛନ୍ତି। ‘ସାଇନୋଫାର୍ମ’ ମଧ୍ୟ  ଅସନ୍ତୋଷ ବ୍ୟକ୍ତ କରିଛି। କାଠମାଣ୍ଡୁସ୍ଥିତ ଚୀନା ଦୂତାବାସ ମଧ୍ୟ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଟିକା ରାଜିନାମା କଥା ସ୍ମରଣ କରାଇ ଦେଇଛି।

ନେପାଳର ସରକାରୀ କର୍ତ୍ତୃପକ୍ଷମାନ‌େ ବି ଗଣମାଧ୍ୟମ ରିପୋର୍ଟ ବିଷୟରେ ଚିନ୍ତିତ ‌ହୋଇପଡ଼ିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ର ଡାକ୍ତର କୃଷ୍ଣପ୍ରସାଦ ପୌଦେଲ୍‌ କହିଛନ୍ତି, ଗଣମାଧ୍ୟମ ଯେପରି ଭାବେ ଟିକାର ଦର ଏବଂ ଅନ୍ୟାନ୍ୟ ପରିବହନ ବ୍ୟୟ ଉଲ୍ଲେଖ କଲା ତାହା ଚିନ୍ତା ଉଦ୍ରେକକାରୀ। କାରଣ ଏସବୁ ସ୍ପର୍ଶକାତର ମାମଲା।

କିନ୍ତୁ, କ୍ୟାବିନେଟ୍‌ ବୈଠକରେ ଉପସ୍ଥିତ ଥିବା ଦୁଇ ଜଣ ମନ୍ତ୍ରୀ ଏବଂ ଦୁଇ ଜଣ ସରକାରୀ ସଚିବଙ୍କ ଠାରୁ ପ୍ରାପ୍ତ ତଥ୍ୟ ଆଧାରରେ ଏହି ରିପୋର୍ଟ କରାଯାଇଥିବା ଦର୍ଶାଇ ‘ଦି କାଠମାଣ୍ଡୁ ପୋଷ୍ଟ୍‌’ ପ୍ରକାଶିତ ରିପୋର୍ଟ ଉପରେ ଦାମ୍ଭିକତା ପ୍ରଦର୍ଶନ କରୁଛି।

The post ନେପାଳୀ ଗଣମାଧ୍ୟମ ‘ସାଇନୋଫାର୍ମ’ ଟିକାର ଖରିଦ ମୂଲ୍ୟ ପ୍ରକାଶ କରିଦେବାରୁ ଚୀନ୍‌ କ୍ଷୁବ୍ଧ first appeared on Sambad.

from କରୋନା | Sambad https://ift.tt/3qjT1nu