କୋଭିଡ୍‌-୧୯ଜନିତ ମୃତ୍ୟୁ ବାବଦକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇ ହେବନି; ବିପର୍ଯ୍ୟୟ ପାଣ୍ଠି ଖାଲି ହୋଇଯିବ: ସୁପ୍ରିମ୍‌ କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠି ଶୂନ୍ୟ ହୋଇଯିବା ଦର୍ଶାଇ କୋଭିଡ୍-୧୯ଦ୍ବାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସମସ୍ତଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇ ହେବ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।

‘ରିଲିଫ୍‌ର ସର୍ବନିମ୍ନ ମାନକ’ ଏବଂ ‘କୋଭିଡ୍-୧୯ଜନିତ ମୃତ୍ୟୁ ବାବଦ କ୍ଷତିପୂରଣ’ ଦାବି କରି ଦାଏର ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଉତ୍ତର ଦେଇ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ଗତ ବିଳମ୍ବିତ ରାତ୍ରୀରେ ଦାଖଲ କରିଥିବା ୧୮୩ ପୃଷ୍ଠାର ସତ୍ୟପାଠରେ ଉପରୋକ୍ତ କଥା ଉଲ୍ଲେଖ ଅଛି। ସୋମବାର ଦିନ ସୁପ୍ରିମ୍‌ କୋର୍ଟ ଏହି ମାମଲାର ଶୁଣାଣି କରିବେ।

କେନ୍ଦ୍ର ସରକାର କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ, ଅନୁକମ୍ପାମୂଳକ ବା କ୍ଷତିପୂରଣ ରାଶି କେବଳ ଭୂମିକମ୍ପ ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରଯୁଜ୍ୟ ହୋଇଥିବାରୁ କୋଭିଡ୍-୧୯ଜନିତ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇ ପାରିବ ନାହିଁ।

ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ତଥ୍ୟାବଳି ଅନୁସାରେ, ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ପ୍ରାୟ ୪ ଲକ୍ଷ ହେବ।

କେନ୍ଦ୍ର ସରକାର କହିଛନ୍ତି, କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ହୋଇ ଜୀବନ ହରାଇଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦିଆଗଲେ, କେବଳ ଏହି ଗୋଟିଏ ବିପର୍ଯ୍ୟୟ ବାବଦରେ ସମ୍ଭବତଃ  ସବୁତକ ‘ରାଜ୍ୟ ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠି’ ଖର୍ଚ୍ଚ ହୋଇଯିବ। ଆବଶ୍ୟକ ସ୍ଥଳେ ଏଥିପାଇଁ ଆହୁରି ଅଧିକ ଅର୍ଥ ମଧ୍ୟ ଦରକାର ହୋଇପାରେ।

Image Courtesy of NDTV

କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି‌ ଯେ, କ‌ୋଭିଡ୍-୧୯ ମୃତ୍ୟୁଜନିତ କ୍ଷତିପୂରଣ ବାବଦକୁ ‘ରାଜ୍ୟ ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠି’ ଖର୍ଚ୍ଚ ହୋଇଗଲେ, ରାଜ୍ୟମାନଙ୍କ ପାଖରେ କୋଭିଡ୍‌-୧୯ ମୁକାବିଲା, କେତକ ଅତ୍ୟାବଶ୍ୟକ ଡାକ୍ତରୀ ଓ ଅନ୍ୟାନ୍ୟ ସାମଗ୍ରୀ ଖର୍ଚ୍ଚ, ବନ୍ୟା ଓ ବାତ୍ୟା ଭଳି ଅନ୍ୟାନ୍ୟ ବିପର୍ଯ୍ୟୟ ଭରଣା ଖର୍ଚ୍ଚ ପାଇଁ ଯଥେଷ୍ଟ ପାଣ୍ଠି ନ ରହିପାରେ। ସୁତରାଂ, କୋଭିଡ୍‌-୧୯ଜନିତ ମୃତ୍ୟୁ ଘଟିଥିବା ବ୍ୟକ୍ତିବିଶେଷଙ୍କ ଲାଗି ଆବେଦନକାରୀ ଅନୁରୋଧ କରିଥିବା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବା ରାଜ୍ୟ ସରକାରମାନଙ୍କ ଆର୍ଥିକ କ୍ଷମତା ବାହାରେ।

କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍‌-୧୯ ଏକ ଗତିଶୀଳ ପରିସ୍ଥିତି ହୋଇଥିବାରୁ ଅନ୍ୟାନ୍ୟ ବିପର୍ଯ୍ୟୟ ଠାରୁ ଏ କ୍ଷେତ୍ରରେ ସର୍ବନିମ୍ନ ରିଲଫ୍‌ ଓ ଅନୁକମ୍ପା ରାଶି ମାନ ମଧ୍ୟରେ ତାରତମ୍ୟ ରହିବ।

ଏହାଛଡ଼ା, ଜିଲ୍ଲାପାଳମାନେ ‘ବୀମା ଦାବି’ର କାଗଜପତ୍ର ପ୍ରସ୍ତୁତ କରି ଦାବିଦାରମାନଙ୍କୁ ଅର୍ଥ ପ୍ରଦାନ ପାଇଁ ବୀମା କମ୍ପାନିମାନଙ୍କୁ ପଠାଉଛନ୍ତି ବୋଲି ମଧ୍ୟ କେନ୍ଦ୍ର ସରକାର କହିଛନ୍ତି। ଏ ବାବଦରେ ବୀମା କମ୍ପାନିମାନଙ୍କ ପାଇଁ ୪୪୨.୪ କୋଟି ଟଙ୍କା ରିଲିଜ୍ କରାଯାଇଛି।

ସେହିପରି, କୋଭିଡ୍‌-୧୯ ପରିଚାଳନା ଓ କଣ୍ଟେନ୍‌ମେଣ୍ଟ୍‌ ଲାଗି ୨୦୧୯-୨୦ ବର୍ଷରେ ‘ଜାତୀୟ ସ୍ବାସ୍ଥ୍ୟ ମିସନ୍’ ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ପାଣ୍ଠି ଭାବେ ୧,୧୧୩.୨୧ କୋଟି ଟଙ୍କା ପଠାଯାଇଛି।

ଏହା ବ୍ୟତିରେକେ, ‘ଜାତୀୟ ସ୍ବାସ୍ଥ୍ୟ ମିସନ୍’ ମାଧ୍ୟମରେ ‘ଇଣ୍ଡିଆ କୋଭିଡ୍‌-୧୯ ଏମର୍ଜେନ୍‌ସି ରେସ୍‌ପନ୍‌ସ୍‌ ଆଣ୍ଡ୍‌ ହେଲ୍‌ଥ୍‌ ସିଷ୍ଟମ୍‌ ପ୍ରିପାର୍ଡନେସ୍‌ ପ୍ୟାକେଜ୍‌’ରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୮,୨୫୭.୮୯ କୋଟି ଟଙ୍କା ପଠାଯାଇଛି।

The post କୋଭିଡ୍‌-୧୯ଜନିତ ମୃତ୍ୟୁ ବାବଦକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇ ହେବନି; ବିପର୍ଯ୍ୟୟ ପାଣ୍ଠି ଖାଲି ହୋଇଯିବ: ସୁପ୍ରିମ୍‌ କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର first appeared on Sambad.

from କରୋନା | Sambad https://ift.tt/3gPmroW

Post a Comment

0 Comments