ନୂଆଦିଲ୍ଲୀ: କରୋନା ଭାଇରସ୍‌ର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନଙ୍କ ଉପରେ କିଭଳି ପ୍ରଭାବ ପଡ଼ିବ ସେ ନେଇ ବ୍ୟାପକ ଅଧ୍ୟୟନ ଜାରି ରହିଛି । ଏ ନେଇ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନେ ଭିନ୍ନ ମତ ରଖୁଥିବା ବେଳେ ଆଜି ଏମ୍‌ସ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ମିଳିତ ସର୍ବେକ୍ଷଣ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ ତୃତୀୟ ଲହର ଭାରତରେ ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରିବା ସମ୍ଭାବନା ନାହିଁ। ବର୍ତ୍ତମାନର ସଂକ୍ରମଣ ଏବଂ ସେରୋସର୍ଭେ ରିପୋର୍ଟଗୁଡ଼ିକ ଆଧାରରେ ଏଭଳି ଆକଳନ କରାଯାଇଛି । ୫ଟି ରାଜ୍ୟରେ ୧୦ ହଜାର ଲୋକଙ୍କ ସେରୋ ପଜିଟିଭ୍‌ ହାରକୁ ଆଧାର କରି ଉଭୟ ସଂସ୍ଥା ଏଭଳି ମତ ରଖିଛନ୍ତି।

ଦେଶରେ କରୋନାର ଦ୍ବିତୀୟ ଲହାର ପୂର୍ବରୁ ଦକ୍ଷିଣ ଦିଲ୍ଲୀର ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ମଧ୍ୟରେ ସେରୋ ପଜିଟି ହାର ୭୩.୯ ରହିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି । ଗୋରଖପୁରରେ ଏହା ୯୦.୩ ପ୍ରତିଶତ ରହିଥିବା ବେଳେ ଫରିଦାବାଦରେ ୫୯.୩ ପ୍ରତିଶତ ସେରୋ ପଜିଟିଭ ହାର ରହିଥିବା ଜଣାପଡ଼ିଥିଲା। ଗ୍ରାମାଞ୍ଚଳରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ ୬୨.୩ ପ୍ରତିଶତଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଛି। ତେଣୁ ଶିଶୁଙ୍କ କ୍ଷେତ୍ରରେ ତୃତୀୟ ଲହର କୌଣସି ବିଶେଷ ଉଦ୍‌ବେଗଜନକ ସ୍ଥିତି ଆଣିବ ନାହିଁ ବୋଲି ଏମ୍‌ସ-ହୁ ଅଧ୍ୟୟନ ରିପୋର୍ଟରେ କୁହାଯାଇଛି।

The post ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-ଏମ୍‌ସ ସର୍ଭେ ରିପୋର୍ଟ: ତୃତୀୟ ଲହର ଶିଶୁଙ୍କୁ ଅଧିକ ପ୍ରଭାବିତ କରିବା ସମ୍ଭାବନା ନାହିଁ first appeared on Sambad.

from କରୋନା | Sambad https://ift.tt/2S8ZKUA