
ଭୁବନେଶ୍ବର : କରୋନା ଟିକା ନେବା ପରେ ସଂକ୍ରମିତ ହେଉଥିବା(ବ୍ରେକ୍ ଥ୍ରୁ ଇନଫେକସନ୍) ମାତ୍ର ୧୦ ପ୍ରତିଶତ ଲୋକଙ୍କୁ ହସ୍ପିଟାଲରେ ଆଡମିଟ୍ ହେବାର ଆବଶକତା ପଡ଼ୁଛି। ଆରଏମ୍ଆରସି ପକ୍ଷରୁ ହୋଇଥିବା ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ମାର୍ଚ ୧ ତାରିଖରୁ ଜୁନ୍ ୧୦ ତାରିଖ ଭିତରେ ୨୭୪ ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟମାନଙ୍କ ସ୍ବାବ୍ ଓ ସେରମ୍ ନମୁନାରୁ ଏହା ସ୍ପଷ୍ଟ ହୋଇଛି।
କରୋନା ଟିକା ନେବାର ୧୪ ଦିନ ପରେ ଯଦି କୌଣସି ବ୍ୟକ୍ତି ସଂକ୍ରମିତ ହୁଅନ୍ତି, ତାହାଲେ ତାହାକୁ ବ୍ରେକ୍ ଥ୍ରୁ ସଂକ୍ରମଣ ବୋଲି ଧରାଯାଇଥାଏ। ସଂଗୃହୀତ ୨୭୪ ନମୁନା ଭିତରେ ୧୮୬ ପୁରୁଷ ଓ ୮୮ ମହିଳାଙ୍କ ନମୁନା ରହିଛି। ଏଥିରୁ ୨୩୯ଜଣ ‘କୋଭିସିଲ୍ଡ’ ଓ ୩୫ ‘କୋଭାକ୍ସିନ୍’ ଟିକା ନେଇଥିଲେ। ଏଥିରେ ୮୩.୨ ପ୍ରତିଶତଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନଥିବା ବେଳେ ମାତ୍ର ୯.୯ ପ୍ରତିଶତ ଲୋକଙ୍କୁ ହସ୍ପିଟାଲର ଆବଶ୍ୟକତା ପଡ଼ିଛି। ଏହାସହ ଯେଉଁମାନେ ବି ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି, ସେମାନଙ୍କୁ ସର୍ବାଧିକ ୧୧ଦିନ ହସ୍ପିଟାଲରେ ରହିବାକୁ ପଡ଼ିଛି। ଜଣେ ବ୍ୟକ୍ତିଙ୍କ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି। ‘କୋଭିସିଲ୍ଡ’ ଓ ‘କୋଭାକ୍ସିନ୍’ ଟିକା ନେଇ କରୋନା ସଂକ୍ରମିତ ହେବା ନେଇ ବିଶେଷ ଫରକ ନଜରକୁ ଆସିନାହିଁ। ଗବେଷଣା ସମୟରେ ୨ ଡୋଜ୍ ଟିକା ନେଇଥିବା ଜଣେ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଯେଉଁମାନେ ଟିକା ନେବା ପରେ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ କ୍ଷେତ୍ରରେ ଜ୍ବର(୮୮.୫%) ଲକ୍ଷଣ ଦେଖିବାକୁ ମିଳିଥିଲା। ଏହାବାଦ୍ କାଶ(୭୭.୬%) ଓ ଗଳା ଖରାପ(୫୯.୬%), ୬୪ଜଣ(୨୩.୩%)ଙ୍କଠାରେ ମଧୁମେହ, ଉଚ୍ଚ ରକ୍ତଚାପ, ଥାଇରଏଡ୍ ଓ ଆସ୍ଥମା ଭଳି ଜଟିଳ ରୋଗ ରହିଥିଲା।
ଅପରପକ୍ଷରେ ରାଜ୍ୟରେ ବ୍ରେକ୍ ଥ୍ରୁ ସଂକ୍ରମଣର ଡକ୍ୟୁମେଣ୍ଟେସନ୍ କମ୍ ସଂଖ୍ୟାରେ କରାଯାଇଛି। ଯେଉଁମାନେ ୨ଡୋଜ୍ ଟିକା ନେବା ପରେ ସଂକ୍ରମିତ ହୋଇଛନ୍ତି, ସେମାନେ ନିଜ ଆଡ଼ୁ କୋଭିଡ୍ ପରୀକ୍ଷା କରିଛନ୍ତି। ଏହାସହ ଗବେଷଣାରେ ଯେଉଁମାନଙ୍କଠାରେ ଲକ୍ଷଣ ନ ଥିଲା, ସେମାନଙ୍କ ସଂଖ୍ୟା ଅଧିକ ରହିଛି। ତେଣୁ ସ୍ବଳ୍ପ ଲକ୍ଷଣ ଥିବା ବ୍ୟକ୍ତିମାନେ ହୁଏତ ଟିକା ନେଇ ସଂକ୍ରମିତ ହେବା ପରେ ନିଜର ପରୀକ୍ଷା କରି ନଥିବା ମଧ୍ୟ ଆଶଙ୍କା ପ୍ରକାଶ ପାଇଛି।
ରାଜ୍ୟ ସରକାର ନିକଟରେ ରାଜ୍ୟରେ ବ୍ରେକ୍ ଥ୍ରୁ ସଂକ୍ରମଣ ସଂପର୍କରେ ଅଧିକ ଗବେଷଣା କରିବା ଲାଗି ଏକ ବୈଷୟିକ କମିଟି ଗଠନ କରିଛନ୍ତି। ନିକଟରେ ଏହି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଟିକା ନେବା ପରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ନାହିଁ। ତେଣୁ କିଭଳି ଢଙ୍ଗରେ ବ୍ରେକ୍ ଥ୍ରୁ ସଂକ୍ରମଣ ସଂପକରେ ତଥ୍ୟ ସଂଗ୍ରହ କରାଯିବ, ସେଥିପ୍ରତି ଗୁରୁତ୍ବ ଦିଆଯାଇଛି।
The post ୨ଡୋଜ୍ ଟିକା ନେବା ପରେ ସଂକ୍ରମଣ, ହସ୍ପିଟାଲରେ ଆଡମିଟ୍ ହେଉଛନ୍ତି ମାତ୍ର ୧୦% ଲୋକ first appeared on Sambad.from କରୋନା | Sambad https://ift.tt/2SrYcFd
0 Comments