ନୂଆଦିଲ୍ଲୀ: କେତେକ ରାଜ୍ୟରେ ନୂତନ ଚିହ୍ନିତ ‘ଡେଲ୍‌ଟା+ ଭେରିଆଣ୍ଟ୍‌’ ସଂକ୍ରମଣ ମାମଲା ଦେଖା ଦେଇଥିବାରୁ ଅବିଳମ୍ବେ ନିୟନ୍ତ୍ରଣାତ୍ମକ ପଦକ୍ଷେପ ଗ୍ରହଣ କରିବା ଲାଗି ଶୁକ୍ରବାର ଦିନ କେନ୍ଦ୍ର ସରକାର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦେଶ ଦେଇଛନ୍ତି। ଏଭଳି ସଂକ୍ରମଣ ରିପୋର୍ଟ ଆସୁଥିବା ଜିଲ୍ଲାଗୁଡ଼ିକରେ ଜନସମାଗମ କରାଇ ନ ଦେବା, କୋଭିଡ୍‌-୧୯ ପରୀକ୍ଷା ଏବଂ ଟିକାକରଣ ଅଭିଯାନ ଆଦି ତ୍ବରାନ୍ବିତ କରିବା ଭଳି ପଦକ୍ଷେପ ସବୁ କେନ୍ଦ୍ର ସରକାରଙ୍କ ନିର୍ଦେଶନାମାରେ ଅନ୍ତର୍ଭୁକ୍ତ ଅଛି।

ତାମିଲନାଡୁ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଜମ୍ମୁ ଓ କଶ୍ମୀର, ଗୁଜରାଟ ଏବଂ ହରିୟାଣା ସରକାରଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଲେଖିଥିବା ଉକ୍ତ ପତ୍ରରେ ପ୍ରାଥମିକତା ଭିତ୍ତିରେ ‘କଣ୍ଟେନ୍‌ମେଣ୍ଟ୍‌ ମେଜର୍‌’ ବା ଦମନମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି।

Image Courtesy of Mint

ଚିଠିରେ ସେ ଆହୁରି ମଧ୍ୟ କହିଛନ୍ତି, କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହେଉଥିବା ଲୋକମାନଙ୍କଠାରୁ ସଂଗୃହୀତ ନମୁନାଗୁଡ଼ିକୁ ‘ଡେଜିଗ୍‌ନେଟେଡ୍‌ ଲାବ୍ରଟରିଜ୍‌ ଅଫ୍ ଇଣ୍ଡିଆନ୍ ସାର୍ସ-କୋ-୨ ଜିନୋମିକ୍ କନ୍‌ସର୍ଟିଆ’କୁ ପଠାଇବାକୁ କହିଛନ୍ତି। ଫଳରେ, ନୈଦାନିକ ମହାମାରୀୟ ସମନ୍ବୟତା ରକ୍ଷା କରାଯାଇପାରିବ।

ଏହାଛଡ଼ା, କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ଯେ, ଦେଶରେ ଏଯାବତ୍ ‘ସିକ୍ବେନ୍‌ସ୍’ କରାଯାଇଥିବା ୪୫୦୦୦ ନମୁନାରୁ ୫୧ଟି ‘ଡେଲ୍‌ଟା+ ଭେରିଆଣ୍ଟ୍‌’ ଚିହ୍ନଟ ହୋଇଛି। ‘ଡେଲ୍‌ଟା+ ଭେରିଆଣ୍ଟ୍‌’ଦ୍ବାରା ସଂକ୍ରମିତମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମହାରାଷ୍ଟ୍ରର ଏବଂ ଅନ୍ୟ ଦୁଇଜଣ ମଧ୍ୟପ୍ରଦେଶର ବାସିନ୍ଦା।

The post ‘ଡେଲ୍‌ଟା ପ୍ଲସ୍‌ ଭେରିଆଣ୍ଟ୍‌’: ନିୟନ୍ତ୍ରଣ ନିମନ୍ତେ ଅବିଳମ୍ବେ ପଦକ୍ଷେପ ଗ୍ରହଣ କରିବା ଲାଗି ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଲେ କେନ୍ଦ୍ର ସରକାର first appeared on Sambad.

from କରୋନା | Sambad https://ift.tt/3wXn4Uw