
ନୂଆଦିଲ୍ଲୀ: ଟିକା ନେବାକୁ କୁଣ୍ଠାବୋଧ ବା ମନା କରୁଥିବା ବ୍ୟକ୍ତିବିଶେଷଙ୍କର ‘ସିମ୍ କାର୍ଡ’ ବ୍ଲକ୍ କରି ଦିଆଯିବ ବୋଲି ପାକିସ୍ତାନ ଅନ୍ତର୍ଗତ ପଞ୍ଜାବର ପ୍ରାଦେଶିକ ସରକାର ଚେତାବନୀ ଦେଇଛନ୍ତି।
‘ଏଆର୍ୱାଇ ନିଉଜ୍’ରୁ ସଂଗୃହୀତ ତଥ୍ୟାନୁସାରେ, ପଞ୍ଜାବ ପ୍ରଦେଶର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତରାଣୀ ୟାସ୍ମିନ୍ ରଶିଦଙ୍କ ଅଧ୍ୟକ୍ଷତାରେ ଲାହୋରରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେ କହିଥିଲେ ଯେ, ଗଣଟିକାକରଣ ଏବଂ ସମୁଚ୍ଚିତ କୋଭିଡ୍-୧୯ ଆଚରଣ ଅନୁସରଣ କରିବା ଯୋଗୁଁ ପଞ୍ଜାବ ପ୍ରଦେଶରେ କରୋନାଭାଇରସ୍ ସଂକ୍ରମଣ ମାମଲା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି।
କିନ୍ତୁ, ପଞ୍ଜାବ ପ୍ରାଥମିକ ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଉପସ୍ଥାପନ କରି କହିଛି ଯେ, ଧାର୍ଯ୍ୟ କରୋନାଭାଇରସ୍ ଟିକାକରଣ ଲକ୍ଷ୍ୟ ହାସଲ କରିବାରେ ପ୍ରଦେଶ ବ୍ୟର୍ଥ ହୋଇଛି।
ସମ୍ବାଦପତ୍ର ‘ଡନ୍’ ରିପୋର୍ଟ ଅନୁସାରେ, ଫେବ୍ରୁଆରି ୨ରେ ପାକିସ୍ତାନରେ ଟିକାକରଣ ଅଭିଯାନ ପ୍ରାରମ୍ଭରେ ପ୍ରଥମ ଡୋଜ୍ ଟିକା ନେଇଥିବା ପ୍ରାୟ ୩ ଲକ୍ଷ୍ୟ ବ୍ୟକ୍ତି ଦ୍ବିତୀୟ ଡୋଜ୍ ଟିକା ନେବାକୁ ଆସିନାହାନ୍ତି।
ପାକିସ୍ତାନର ଜାତୀୟ ସ୍ବାସ୍ଥ୍ୟ ସେବା ମନ୍ତ୍ରାଳୟର ଜଣେ ଅଧିକାରୀ କୁଆଡ଼େ କହିଛନ୍ତି, ଦ୍ବିତୀୟ ଡୋଜ୍ ଟିକା ନେବା ପୂର୍ବରୁ ସେମାନଙ୍କ ମଧ୍ୟରୁ କେତେକ ବୋଧହୁଏ ମରିଯାଇଛନ୍ତି। କିଂବା ପ୍ରଥମ ଡୋଜ୍ ନେବା ପରେ ମଧ୍ୟ କୋଭିଡ୍-୧୯ ଆକ୍ରାନ୍ତ ହେବାରୁ ସେମାନେ ଦ୍ବିତୀୟ ଡୋଜ୍ ନେବା ପାଇଁ ଅନାଗ୍ରହୀ ହୋଇଥାଇ ପାରନ୍ତି। ଏହାଛଡ଼ା, ସେମାନେ କୋଭିଡ୍-୧୯ ଟିକାର ନକାରାତ୍ମକ ପ୍ରଚାରଦ୍ବାରା ମଧ୍ୟ ବିଭ୍ରାନ୍ତ ହୋଇଥିବେ।
The post ଟିକା ନ ନେଲେ ‘ସିମ୍ କାର୍ଡ’ ବ୍ଲକ୍ କରିବାକୁ ଚେତାବନୀ ଦେଲେ ପାକିସ୍ତାନର ପଞ୍ଜାବ ପ୍ରଦେଶ ସରକାର first appeared on Sambad.from କରୋନା | Sambad https://ift.tt/3cUkKWr
0 Comments