କଟକ : କଟକର ଏକ ଘରୋଇ ହସ୍ପିଟା‌ଲରେ ପ୍ରଥମଥର କରୋନା ଆକ୍ରାନ୍ତଙ୍କ ଦେହରେ ଟୋସଲିଜୁମାବ୍‌ ଇଂଜେକସନ୍ ପ୍ରୟୋଗ ହୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି, ମଙ୍ଗଳାବାଗ ଅଞ୍ଚଳର ଜଣେ ୨୭ ବର୍ଷର ଯୁବକ ଏବଂ ତୁଳସୀପୁରସ୍ଥିତ ସିଫା ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି।

ମୃତ ରୋଗୀଙ୍କ ସଂପର୍କରେ ଡାକ୍ତର ସାମି ସାଲିମ୍ ଦେଇଥିବା ସୂଚନା ଅନୁଯାୟୀ ଉକ୍ତ ଯୁବକ ମଧୁମେହ ରୋଗରେ ପୀଡ଼ିତ ଥିଲେ ଓ ତାଙ୍କ ଶରୀରରେ ଶର୍କରା ସ୍ତର ଅନିୟନ୍ତ୍ରିତ ରହୁଥିଲା। ସେ କୋଭିଡ ସଂକ୍ରମିତ ହୋଇ ଦଶ ଦିନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହୋଇଥିଲେ।

ପରେ ଘରକୁ ଯିବାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବ ସହ ସେ ନିଶ୍ୱାସ ଠିକ୍‌ଭାବରେ ନେଇ ପାରୁ ନଥିଲେ। ତାଙ୍କ ଅକ୍ସିଜେନ ସ୍ତର ୬୫ ରହିଥିଲା। ଏଭଳି ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ଅଣାଯାଇଥିଲା। ରେମଡେସିଭିର ଇଞ୍ଜେକସନ ଓ ବିଭିନ୍ନ ଷ୍ଟିରଏଡ଼ ଚିକିତ୍ସା ଦେବାପରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିନଥିଲା। ଶେଷରେ ରକ୍ତର ଇଣ୍ଟରଲ୍ୟୁକିନ ଟେଷ୍ଟରେ ଏହାର ସ୍ତର ମାତ୍ରାଧିକ ବାହାରିଥିଲା। ଫଳରେ ତାଙ୍କ ଜୀବନ ରକ୍ଷାପାଇଁ ଟୋସଲିଜୁମାବ୍‌ ଇଞ୍ଜେକସନ୍‌ ଦିଆଯିବା ନିମନ୍ତେ ଗଠନ ହୋଇଥିବା କମିଟିକୁ ଅନୁମୋଦନ ପାଇଁ ପଠାଯାଇଥିଲା। ବ୍ୟବସ୍ଥା ଅନୁଯାୟୀ ଯୁବକଙ୍କ ଜୀବନ ରକ୍ଷା ପାଇଁ ଏହି ଇଞ୍ଜେକ୍‌ସନ୍‌ ଦିଆଯାଇଥିଲେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଆସିଲା ନାହିଁ। ଆଜି ଉକ୍ତ ରୋଗୀଙ୍କର ମୃତ୍ୟୁ ଘଟିଛି। କୋଭିଡ ଆକ୍ରାନ୍ତଙ୍କ କ୍ଷେତ୍ରରେ ୧୦ ଦିନ ହେଉଛି ଗୋଲଡେନ ସମୟ। ତେଣୁ ଏଭଳି ସମୟରେ ସିସିସିରେ ରୋଗୀଙ୍କୁ ପକାଇ ନରଖି ଉପଯୁକ୍ତ ଚିକିତ୍ସା କରାଯିବା ଦରକାର ବୋଲି ଡାକ୍ତର ସଲିମ୍ କହିଛନ୍ତି।

ସୂଚନା ଅନୁଯାୟୀ କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଗୋଟିଏ ଟୋସଲିଜୁମାବ୍‌ ଇଂଜେକସନର ଦାମ ହେଉଛି ୪୦ ହଜାର ଟଙ୍କା। କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଏହାର ବ୍ୟବହାର ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ରହିଛି। କେଉଁ ଆକ୍ରାନ୍ତଙ୍କଠାରେ ଏହାର ପ୍ରୟୋଗ କରାଯିବ, ସେଥିପାଇଁ ଏକ କମିଟି ବସି ନିଷ୍ପତ୍ତି ନେବା ପରେ ତାହାର ପ୍ରୟୋଗ କରାଯାଇଥାଏ। ଇତିମଧ୍ୟରେ ଏସସିବି କୋଭିଡ୍ ହସ୍ପିଟାଲରେ ମଧ୍ୟ ଏଯାଏ ୫ଜଣ ଆକ୍ରାନ୍ତଙ୍କଠାରେ ଏହି ଟୋସଲିଜୁମାବ୍‌ ଇଞ୍ଜେକସନ୍‌ ପ୍ରୟୋଗ କରାଯାଇଥିବା ସୂଚନା ରହିଛି।

The post ସଫଳ ହେଲାନି ଟୋସଲିଜୁମାବ୍‌ ପ୍ରୟୋଗ, କୋଭିଡ୍ ଆକ୍ରାନ୍ତ ଯୁବକଙ୍କୁ ବଞ୍ଚାଇ ପାରିଲେନି first appeared on Sambad.

from କରୋନା | Sambad https://ift.tt/3cNmZuk