
ନୂଆଦିଲ୍ଲୀ : କେତେକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଛି ଯେ, କୋଭାକ୍ଲିନ୍ ଟିକାରେ ନବଜାତ ବାଛୁରିର ସେରମ୍ (ରକ୍ତର ଏକ ଜଳୀୟ ଅଂଶ)କୁ ବ୍ୟବହାର କରାଯାଇଛି। ଏଥିରେ ବାସ୍ତବ ତଥ୍ୟକୁ ବଦଳାଯାଇ ବିକୃତ ଭାବେ ଉପସ୍ଥାପନ କରାଯାଇଛି। ବାସ୍ତବତା ହେଲା, ଟିକା ପ୍ରସ୍ତୁତି ପ୍ରକ୍ରିୟାରେ ସେରମ୍କୁ ବ୍ୟବହାର କରାଯାଇଥାଏ, ମାତ୍ରରେ ଟିକାରେ ଏହା ନ ଥାଏ।
ନବଜାତ ବାଛୁରିର ସେରମ୍ ଉପଯୋଗ କେବଳ ଭେରୋ ସେଲ୍ (vero cell)ର ପ୍ରସ୍ତୁତି ଓ ବିକାଶ ନିମନ୍ତେ ହିଁ କରାଯାଇଥାଏ। ବିଭିନ୍ନ ପ୍ରକାର ଗୋଜାତୀୟ ଏବଂ ଅନ୍ୟ ପ୍ରାଣୀ ସେରମ୍କୁ ବିଶ୍ୱ ସ୍ତରରେ ଭେରୋ ସେଲ୍ର ବିକାଶ ନିମନ୍ତେ ଉପଯୋଗ କରାଯାଇ ଆସୁଛି। ଭେରୋ ସେଲ୍ଗୁଡ଼ିକର ଉପଯୋଗ ସେଲ୍ ଲାଇନ୍ (cell line)ଗୁଡ଼ିକର ସ୍ଥାପନା ନିମନ୍ତେ କରାଯାଇଥାଏ, ଯାହା ଟିକା ଉତ୍ପାଦନରେ ସହାୟକ ହୁଏ। ଏହି ପଦ୍ଧତି ପୋଲିଓ, ଜଳାତଙ୍କ ଏବଂ ଫ୍ଲୁ ଭଳି ରୋଗର ପ୍ରତିଷେଧକ ଟିକା ପାଇଁ ଦଶନ୍ଧି ଦଶନ୍ଧି ଧରି ବ୍ୟବହାର କରାଯାଇ ଆସୁଛି। ଏହି ଭେରୋ ସେଲ୍ର ବିକାଶ ଘଟାଯିବା ପରେ ତାକୁ ଜଳ ଓ ରାସାୟନିକ (ବଫର)ରେ ସଫା କରାଯାଇଥାଏ। ଏହାକୁ ବାଛୁରିର ସେରମ୍ରୁ ମୁକ୍ତ କରିବା ନିମନ୍ତେ ଏପରି ପ୍ରକ୍ରିୟା ଅନେକ ଥର କରାଯାଇଥାଏ। ଏହା ପରେ ସେହି ଭେରୋ ସେଲ୍କୁ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ କରାଯାଇଥାଏ, ଯା’ଦ୍ୱାରା ସେଥିରେ ଭାଇରାଲ ଗ୍ରୋଥ୍ ହୋଇପାରିବ।
ଭାଇରାଲ୍ ଗ୍ରୋଥ୍ ପ୍ରକ୍ରିୟାରେ ଭେରୋ ସେଲ୍ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥାଏ। ଏହାପରେ ସେହି ବିକଶିତ ଭୂତାଣୁକୁ ମରାଯାଇ (ନିଷ୍କ୍ରିୟ କରାଯାଇ) ଶୁଦ୍ଧ କରାଯାଇଥାଏ। ଏହି ନିଷ୍କ୍ରିୟ ଭୂତାଣୁକୁ ହିଁ ଚୂଡ଼ାନ୍ତ ଟିକା ପ୍ରସ୍ତୁତି ନିମନ୍ତେ ଉପଯୋଗ କରାଯାଇଥାଏ। ତେଣୁ ଚୂଡ଼ାନ୍ତ ଟିକା ପ୍ରସ୍ତୁତିରେ କୌଣସି ନବଜାତ ବାଛୁରିର ସେରମ୍ ବ୍ୟବହାର କରାଯାଇ ନ ଥାଏ। ଏଥିପାଇଁ ଚୂଡ଼ାନ୍ତ ଟିକା (କୋଭାକ୍ସିନ)ରେ କୌଣସି ନବଜାତ ବାଛୁରିର ସେରମ୍ ଆଦୌ ନାହିଁ କିମ୍ବା ଚୂଡ଼ାନ୍ତ ଟିକା ପ୍ରସ୍ତୁତିରେ ବାଛୁରିର ସେରମ୍କୁ ଏକ ଉପାଦାନ ଭାବେ ବ୍ୟବହାର କରାଯାଉ ନାହିଁ।
The post କୋଭିଡ଼ ଟିକା ସଂପର୍କିତ ଶୁଣାକଥା ବନାମ ବାସ୍ତବତା first appeared on Sambad.from କରୋନା | Sambad https://ift.tt/3zxFWeo
0 Comments