ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ସରକାରଙ୍କର କୋଭିଡ୍‌-୧୯ ଗଣଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କହିଲେ, ନିର୍ବାଚନ ବେଳେ ଲୋକେ ଯେଉଁ ବୁଥ୍‌କୁ ଯାଇ ଭୋଟ୍‌ ଦେଇଥିଲେ, ସେହି ବୁଥ୍‌କୁ ଯାଇ ଟିକା ନେଇପାରିବେ।

ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ କେଜ୍ରିୱାଲ୍ କହିଲେ, ଆଜି ଠାରୁ ଆମେ ‘ଭୋଟ୍‌ ଯେଉଁଠି, ଟିକା ସେଇଠି’ ଅଭିଯାନ ଆରମ୍ଭ କରୁଛୁ। ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଭୋଟ୍‌ ଦାନ କେନ୍ଦ୍ରକୁ ଯାଇ ଟିକା ନେବାକୁ ଏହି ଅଭିଯାନରେ ଆମେ ଲୋକମାନଙ୍କୁ କହିବୁ। ଅବିଳମ୍ବେ ଘରକୁ ଘର ବୁଲି ଟିକା ଦେବା ଅଭିଯାନ ମଧ୍ୟ ଆରମ୍ଭ କରାଯିବ।

Image Courtesy of The Hindu

ଆଗାମୀ ୪ ସପ୍ତାହ ମଧ୍ୟରେ ୪୫ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ଟିକା ଦେବା ନିମନ୍ତେ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା କଥା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଛନ୍ତି।

ଟିକାକରଣ କେନ୍ଦ୍ରମାନଙ୍କରେ ଲୋକ ହେଉ ନ ଥିବା କଥା ଲକ୍ଷ୍ୟ କରି କେଜ୍ରିୱାଲ୍‌ କହିଲେ ଯେ, ଗଣ ପ୍ରଚାର ଅଭିଯାନ ସୁବିଧା କରିବା ପାଇଁ ଏବେ ଦିଲ୍ଲୀ ସରକାର ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କୁ ମୁତୟନ କରିବେ। ୭୦ଟି ୱାର୍ଡର ବୁଥ୍‌ସ୍ତରୀୟ ଅଧିକାରୀମାନେ ଆଗାମୀ ଦୁଇ ଦିନ ଧରି ସମସ୍ତଙ୍କ ଘରକୁ ଯାଇ ଟିକାର ପ୍ରଥମ ଡୋଜ୍ ଦେବା ପାଇଁ ବ୍ୟବସ୍ଥା କରିବେ।

Image Courtesy of Mint

ଉଲ୍ଲେଖଯୋଗ୍ୟ, ଆଜି ଠାରୁ ଦିଲ୍ଲୀରେ ‘ଅନ୍‌ଲକିଙ୍ଗ୍’ ପ୍ରକ୍ରିୟା ଆରମ୍ଭ ହେବା ପରେ ଲୋକେ ଯେ’ଯାହାର କାର୍ଯ୍ୟସ୍ଥଳୀକୁ ଯିବା ଆରମ୍ଭ କରିବାରୁ ରାସ୍ତାଘାଟରେ କେତେକ କାର୍, ଦୁଇଚକିଆ ଯାନ, ଅଟୋ-ରିକ୍ସା ଏବଂ ସ୍ବଳ୍ପ ବସ୍ ଚଳାଚଳ କରିଥିବା ଦେଖାଯାଇଛି।

ଏ ଅବସରରେ ହିନ୍ଦୀରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ଲେଖିଛନ୍ତି, ଆଜିଠାରୁ ଦିଲ୍ଲୀରେ ଅନେକ କାର୍ଯ୍ୟକଳାପ ପୁନରାରମ୍ଭ ହେଉଛି। କିନ୍ତୁ, କରୋନାକୁ ସମ୍ପୂର୍ଣ୍ଣ ବାଧା ଦେବାକୁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରନ୍ତୁ। ମାସ୍କ୍‌ ପିନ୍ଧନ୍ତୁ, ଶାରୀରିକ ଦୂରତ୍ବ ବଜାୟ ରଖନ୍ତୁ ଏବଂ ହସ୍ତ ପ୍ରକ୍ଷାଳନ କରନ୍ତୁ। ଏଥିରେ କୌଣସି ପ୍ରକାରର ଅବହେଳା କରନ୍ତୁ ନାହିଁ।

The post ଦିଲ୍ଲୀରେ ଗଣଟିକାକରଣ ଆରମ୍ଭ କରି କେଜ୍ରିୱାଲ୍‌ କହିଲେ, ଭୋଟ୍‌ ଦେଇଥିଲେ ଯେଉଁଠି, ଟିକା ନିଅନ୍ତୁ ସେଇଠି first appeared on Sambad.

from କରୋନା | Sambad https://ift.tt/34XtaYq