ମୁମ୍ବାଇ: ଭାରତକୁ ପ୍ରତ୍ୟାବର୍ତ୍ତନ କରିବା ପରେ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ’ର (ଏସ୍‌ଆଇଆଇ) ‘ସିଇଓ’ ଅଦର ପୁନାୱାଲାଙ୍କ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ କହିଛନ୍ତି। ପୁନାୱାଲାଙ୍କ କମ୍ପାନିଦ୍ବାରା ଉତ୍ପାଦିତ ‘କ‌ୋଭିସିଲ୍‌ଡ୍‌’ ଟିକା ଯୋଗାଇବା ପାଇଁ ତାଙ୍କୁ ଧମକ ଦିଆଯାଉଥିବା କଥା ସେ ଅଭିଯୋଗ କରି ବେଶ୍‌ କିଛି ଦିନ ତଳେ ଇଂଲଣ୍ଡ୍‌ ଚାଲିଯାଇଥିଲେ।

ବିଚାରପତି ଏସ୍‌ଏସ୍‌ ସିନ୍ଧେ ଏବଂ ଅଭୟ ଆହୁଜାଙ୍କୁ ନେଇ ଗଠିତ ‘ଭେକେସନ୍‌ ବେଞ୍ଚ୍‌’ କହିଲେ, କୋଭିଡ୍-୧୯ ନିରୋଧୀ ଟିକା ଉତ୍ପାଦନ କରି ପୁନାୱାଲା ଦେଶ ଲାଗି ମହାନ୍ ସେବା କରୁଛନ୍ତି। ତେଣୁ, ତାଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାରଙ୍କର ସର୍ବୋଚ୍ଚ କାର୍ଯ୍ୟକର୍ତ୍ତା ଧ୍ୟାନ ଦେବା ବାଞ୍ଛନୀୟ।

ସୂଚନାଯୋଗ୍ୟ, ପୁନାୱାଲାଙ୍କ ନିମନ୍ତେ ‘ଜେଡ୍+’ ନିରାପତ୍ତା ବ୍ୟବସ୍ଥା କରିବା ଲାଗି ନିବେଦନ କରି ଦତ୍ତ ମାନେ ଫାଇଲ୍‌ କରିଥିବା ପିଟିସନ୍‌ର ଶୁଣାଣି କରି ଖଣ୍ଡପୀଠ ଉପରୋକ୍ତ କଥା କହିଛନ୍ତି।

Image Courtesy of NDTV

ପୁଣେର ଶିଳ୍ପପତି ପୁନାୱାଲାଙ୍କୁ କେନ୍ଦ୍ର ସରକାର ‘ୱାଇ’ ବର୍ଗର ସୁରକ୍ଷା ଯୋଗାଇ ସାରିଛନ୍ତି। ଆଡ୍‌ଭୋକେଟ୍‌ ପ୍ରଦୀପ ହାୱନୁରଙ୍କ ଜରିଆରେ ଆବେଦନକାରୀ ହାଇକୋର୍ଟଙ୍କୁ କହିଛନ୍ତି ଯେ, ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାଜନେତା ଏବଂ ଅନ୍ୟ କେତେକ ପ୍ରଭାବଶାଳୀ ବ୍ୟକ୍ତି ସେମାନଙ୍କ ରାଜ୍ୟକୁ ଅଧିକ ଟିକା ଯୋଗାଇ ଦେବାକୁ ଦାବି କରି ଚାପ ପକାଉଥିବାରୁ ପୁନାୱାଲା ଭୟଭୀତ ହୋଇଯାଇଛନ୍ତି। ଧମକ ପାଇବା ପରେ ପୁନାୱାଲା ଲଣ୍ଡନ୍‌ ଚାଲିଯାଇଥିବା କଥା ମଧ୍ୟ ସେ କହିଛନ୍ତି।

ମହାରାଷ୍ଟ୍ର ସରକାରଙ୍କ ଆଡ୍‌ଭୋକେଟ୍‌ ଦୀପକ ଠାକ୍‌ରେ ହାଇକୋର୍ଟଙ୍କୁ କହିଲେ ଯେ, ପୁନାୱାଲାଙ୍କୁ ରାଜ୍ୟ ‘ୱାଇ’ ବର୍ଗର ସୁରକ୍ଷା ଯୋଗାଇ ଦେଇଥିବାରୁ କେତେକ ‘ସିଆର୍‌ଏଫ୍‌’ ଯବାନ ଏବଂ ରାଜ୍ୟ ପୁଲିସରୁ ଦୁଇଜଣ ବନ୍ଧୁକଧାରୀ ଅହର୍ନିଶ ତାଙ୍କ ସୁରକ୍ଷା ପାଇଁ ମୁତୟନ ହେବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ପରିସ୍ଥିତିର ସମୀକ୍ଷା କରୁଛି। ପୁନାୱାଲା ସ୍ବଦେଶ ଫେରିବା ପରେ ‘ଜେଡ+’ ବର୍ଗର ସୁରକ୍ଷା ଯୋଗାଇ ଦେବା କଥା ବିଚାର କରାଯିବ।

The post ଅଦର ପୁନାୱାଲା ଭାରତ ଫେରିବା ପରେ ତାଙ୍କ ସୁରକ୍ଷା ପ୍ରସଙ୍ଗ ସୁନିଶ୍ଚିତ କର: ମହାରାଷ୍ଟ୍ର ସରକାରଙ୍କୁ କହିଲେ ବମ୍ବେ ହାଇକୋର୍ଟ first appeared on Sambad.

from କରୋନା | Sambad https://ift.tt/3uGJVlf