ଭୁବନେଶ୍ବର: ରାଜଧାନୀରେ ଯୁବବର୍ଗ ଏବେ ଟିକା ପାଇଁ ବିକଳ ହେଲେଣି। ବିଏମ୍‌ସି ଟିକା ପାଇଁ ସ୍ଲଟ୍ ବୁକିଂ ଆରମ୍ଭ କରିବା ବେଳକୁ ହଠାତ୍ ସବୁ ସ୍ଲଟ୍ ବୁକ୍‌ ହୋଇଯାଉଛି। ଟିକା ମିଳୁନି ଏପଟେ ଟିକା ବୁକିଂ କରିହେଉନି। କରୋନା ବି କମୁନି। ତେଣୁ ଯୁବବର୍ଗ ଏବେ କରୋନା ଟିକା ପାଇଁ ଡହଳ ବିକଳ ହେଲେଣି। ଯେମିତି ହେଉ ଆମକୁ ଗୋଟିଏ ଟିକା ଦେଇଦିଅ ବୋଲି ଦୈନିକ ଶହ ଶହ ଲୋକ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ସ୍ବାସ୍ଥ୍ୟ ବିଭାଗ, ବିଏମ୍‌ସିକୁ ଟୁଇଟ୍ କରି ଅନୁରୋଧ କରୁଛନ୍ତି। ହେଲେ କିଛି ସୁଫଳ ମିଳୁନି। ରାଜଧାନୀରେ ୫ଲକ୍ଷ ୧୭ହଜାର ଲୋକଙ୍କୁ (୧୮ରୁ ୪୪ବର୍ଷ) ଟିକା ଦେବାକୁ ଯୋଜନା ରଖାଯାଇଥିଲେ ହେଁ ଏବେ ସୁଦ୍ଧା ପ୍ରାୟ ୧ଲକ୍ଷ ୭୦ହଜାର ଲୋକ ଟିକା ନେଇଛନ୍ତି। ଏହି ବର୍ଗରେ ୩ଲକ୍ଷ ୪୦ହଜାରରୁ ଅଧିକ ଲୋକ ଏବେ ଟିକା ଅପେକ୍ଷାରେ। ଯେଉଁମାନେ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଖାଲି ଟିକା ଟିକା ହେଉଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁନଥିବାବେଳେ ଏହି ବର୍ଗର ଲୋକମାନେ ମୁଖ୍ୟତଃ ଅଫିସ୍‌ ଓ ଅନ୍ୟାନ୍ୟ କାର୍ଯ୍ୟରେ ବାହାରକୁ ଆସିଥାନ୍ତି। ତେଣୁ ନିଜକୁ କରୋନା ଦାଉରୁ ରକ୍ଷା କରିବା ପାଇଁ ଟିକାଟିଏ ନେବା ପାଇଁ ବିକଳ ହେଉଛନ୍ତି। ହେଲେ ଟିକା ମିଳୁନି।

ବିଏମ୍‌ସି ଟିକାକରଣ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ କଲେ ମାତ୍ର କେଇ ସେକେଣ୍ଡରେ ବୁକିଂ ହୋଇଯାଉଛି। ଏପରିକି କିଏ ସ୍ଲଟ୍ ପାଉଛି, କିଏ ଟିକା ନେଉଛି ଲୋକ ଜାଣିପାରୁନାହାନ୍ତି। ଫଳରେ ଲୋକମାନେ ସାମାଜିକ ଗଣମାଧ୍ୟମରେ ବିଏମ୍‌ସିକୁ ଗାଳି ଦେଉଛନ୍ତି। ହେଲେ ବିଏମ୍‌ସିର ଟିକା ଅଭାବ ଥିଲେ ବି ତାହା କର୍ତ୍ତୃପକ୍ଷ ଦେଖାଉନାହାନ୍ତି। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ପାଖରେ ଟିକା ନାହିଁ। କିନ୍ତୁ ସବୁଦିନ ଟୁଇଟ୍ କରି ଜଣାଉଛନ୍ତି ଟିକାକରଣ ସୁରୁଖୁରରେ ଚାଲିଛି। ଯାହା ଯୁବବର୍ଗଙ୍କୁ ଅଧିକ ଉତ୍ତେଜିତ କରୁଛି। ଯଦି ସବୁ ଠିକଠାକ୍ ଚାଲିଛି ତେବେ ସ୍ଲଟ୍ ବୁକିଂ ଆରମ୍ଭ ହେଉ ହେଉ କାହିଁକି ସରିଯାଉଛି, କେବେ ସମସ୍ତଙ୍କୁ ଟିକା ମିଳିବ ବୋଲି ସମସ୍ତେ ପ୍ରଶ୍ନ କରୁଛନ୍ତି। ଯୁବବର୍ଗଙ୍କ ପାଇଁ ଖୋଲିଥିବା ଟିକାକରଣ କେନ୍ଦ୍ରରୁ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇ ଚାଲିଥିବାବେଳେ ବିଏମ୍‌ସି କର୍ତ୍ତୃପକ୍ଷ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ଟିକାକରଣର ଫଟୋ ଟୁଇଟ୍ କରି କହୁଛନ୍ତି ସବୁ ଠିକଠାକ୍ ଚାଲିଛି। ଯଦି ସବୁ ଠିକଠାକ୍ ଚାଲିଛି ତେବେ ଯୁବବର୍ଗଙ୍କୁ କାହିଁକି ପର୍ଯ୍ୟାପ୍ତ ପ୍ରଥମ ଡୋଜ୍‌ ଏବଂ ଆବଶ୍ୟକୀୟ ଦ୍ବିତୀୟ ଡୋଜ୍‌ ଟିକା ଦିଆଯାଇପାରୁନି ବୋଲି ପ୍ରଶ୍ନ ଉଠିଛି।

୪୫ବର୍ଷର ଲୋକଙ୍କ ଟିକା ବଳୁଛି
ଏବେ ବିଏମ୍‌ସି ପକ୍ଷରୁ ପ୍ରାୟ ୩୦ରୁ ଅଧିକ କେନ୍ଦ୍ରରେ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକା ଦିଆଯାଉଛି। ପୂର୍ବରୁ ଯେଉଁଠି କେବଳ ଦ୍ବିତୀୟ ଡୋଜ୍ ଟିକା ଦିଆଯାଉଥିଲା ଏବେ ସେଠାରେ ଦୁଇଟି ଯାକ ଡୋଜ୍‌ ଦିଆଯାଉଛି। ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ସ୍ଲଟ୍ ବୁକିଂ ହେଲେ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ସ୍ଲଟ୍ ଖାଲି ପଡ଼ୁଛି। ଏପରିକି ଲୋକମାନେ ବାହାର ଜିଲ୍ଲାର ସମ୍ପର୍କୀୟଙ୍କୁ ଡାକିକି ଏଠାରେ ଟିକା ଦେଉଛନ୍ତି। ଏସବୁ ସତ୍ତ୍ବେ ବି ବିଏମ୍‌ସିର ଟିକା କୋଟା ସରୁନି। ବିଭିନ୍ନ ୱାର୍ଡରେ ପୂର୍ବତନ କର୍ପୋରେଟରମାନଙ୍କୁ ଟିକା ଟୋକନ୍ ଦିଆଯାଉଥିଲେ ବି ଲୋକ ନଥିବାରୁ ଟିକା ବଳୁଛି। ମିଳିଥିବା ସୂଚନା ଅନୁଯାୟୀ, ଏବେ ପ୍ରତି କେନ୍ଦ୍ରରେ ଦିନକୁ ଟାର୍ଗେଟ୍‌ରୁ ୨୦ରୁ ୩୦ଜଣ କମ୍‌ ଲୋକ ଟିକା ନେଉଛନ୍ତି। ତେଣୁ ଏହି ଟିକାକୁ ଏବେ ଯୁବବର୍ଗଙ୍କୁ ଦେବାକୁ ଦାବି ହେଲାଣି।

The post ଟିକା ପାଇଁ ବିକଳ ହେଲେଣି: ଏବେ ବି ୩ଲକ୍ଷ ୪୦ ହଜାର ଟିକା ଅପେକ୍ଷାରେ, ୪୫ବର୍ଷର ଲୋକଙ୍କ ଟିକା ବଳୁଛି first appeared on Sambad.

from କରୋନା | Sambad https://ift.tt/3c8ADry