
ଋଷର ଗମାଲେୟା ପ୍ରତିଷ୍ଠାନ ଦ୍ବାରା ପ୍ରସ୍ତୁତ ସ୍ପୁଟ୍ନିକ-ଭି ଟିକା କରୋନା ଭୂତାଣରୁ ଡେଲ୍ଟା ଭାରଏଣ୍ଟ କ୍ଷେତ୍ରରେ ମଧ୍ୟ ଅଧିକ ପ୍ରଭାବୀ ବୋଲି ଗବେଷଣାରୁ ଜଣାପଡ଼ିଛି। ବିଶ୍ବରେ ଉପଲବ୍ଧ ହେଉଥିବା ସମସ୍ତ ଟିକା ଭିତରେ ସ୍ପୁଟ୍ନିକ-ଭି ଅଧିକ ଫଳପ୍ରଦ ହେଉଥିବା ଏହାର ନିଜସ୍ବ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି। ଗମାଲେୟା ପ୍ରତିଷ୍ଠାନ ପକ୍ଷରୁ ହୋଇଥିବା ଗବେଷଣାକୁ ଅନ୍ତର୍ଜାତୀୟ ସ୍ତରରେ ଜର୍ଣ୍ଣାଲରେ ପ୍ରକାଶିତ ତଥ୍ୟକୁ ଅଧାର କରି ଏହି ସୂଚନା ଦିଆଯାଇଛି। ସ୍ପୁଟ୍ନିକ-ଭିର ସଫଳତା ହାର ୯୧.୬ ପ୍ରତିଶତ ରହିଥିବା ସଂସ୍ଥା ଦାବି କରିଥିବା ବେଳେ ୬୭ଟି ଦେଶ ଏହି ଟିକାକୁ ମଞ୍ଜୁର କରିଛନ୍ତି। ରସିଆନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ବା ଆରଡିଆଇଏଫ୍ ପକ୍ଷରୁ ଚଳିତମାସ ୧୦ତାରିଖରେ ଟିକାର ଫଳପ୍ରଦ ହାର ୯୪.୩ ପ୍ରତିଶତ ରହିଥିବା ବାହାରିନ୍ରେ ହୋଇଥିବା ଟିକାକରଣ ଅଭିଯାନକୁ ଭିତ୍ତି କରି କୁହାଯାଇଥିଲା।
ମାତ୍ର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ‘ହୁ’ ଏହି ଟିକାକୁ ଜରୁରୀକାଳୀନ ଭିତ୍ତିରେ ବ୍ୟବହାରକୁ ମଧ୍ୟ ଅନୁମତି ଦେଇନାହିଁ। ଭାରତରେ ଗତମାସ ୧୭ତାରିଖରେ ସ୍ପୁଟ୍ନିକ-ଭି ଟିକା ଆପୋଲୋ ହସ୍ପିଟାଲ ଓ ହାଇଦ୍ରାବାଦର ଡ. ରେଡ୍ଡି ଲାବୋରେଟାରିରେ ଉପଲବ୍ଧ ହୋଇଥିଲା। ପରଦିନ ବିଶାଖାପାଟଣାରେ ମଧ୍ୟ ଟିକା ଦିଆଯାଇଥିଲା। ଆପୋଲୋ ହସ୍ପିଟାଲ ବାଦ୍ ଦିଲ୍ଲୀସ୍ଥିତ ମଧୁକର ରେନ୍ବୋ ଶିଶୁ ହସ୍ପିଟାଲରେ ଚଳିତ ସପ୍ତାହ ଶେଷ ଆଡ଼କୁ ଉପଲବ୍ଧ ହେବ ବୋଲି କୁହାଯାଉଛି। କେନ୍ଦ୍ର ସରକାର ସ୍ପୁଟ୍ନିକ-ଭି ଟିକାର ଦର ୧୧୪୫ ଟଙ୍କା ଧାର୍ଯ୍ୟ କରିଛନ୍ତି। ସ୍ପୁଟ୍ନିକ-ଭି ଟିକା ଆସିବା ପରେ ଦେଶରେ ଟିକାକରଣକୁ ଅଧିକ ବଳ ମିଳିବ ବୋଲି ଆଶା କରାଯାଉଛି। ଟିକାର ଅଭାବ ପାଇଁ ଅନେକ ରାଜ୍ୟରେ ଟିକାକରଣ ଠିକ୍ ଭାବେ ହୋଇପାରୁ ନାହିଁ। ଭାରତ ବିଶ୍ବର ସର୍ବାଧିକ ଟିକା ପ୍ରସ୍ତୁତକାରୀ ଦେଶ ହୋଇଥିଲେ ହେଁ ଟିକାର ଅଭାବ ପାଇଁ ମାତ୍ର ୩ ପ୍ରତିଶତ ଲୋକଙ୍କ ଟିକାକରଣ ସମ୍ଭବ ହୋଇପାରିଛି।
The post ଡେଲ୍ଟା ଭାରିଏଣ୍ଟ ପ୍ରତି ସ୍ପୁଟନିକ୍-ଭି ଅଧିକ ପ୍ରଭାବୀ first appeared on Sambad.from କରୋନା | Sambad https://ift.tt/35qt6kk
0 Comments