
ନୂଆଦିଲ୍ଲୀ: ବିଶ୍ବରେ ସମ୍ପ୍ରତି ଅଧିକ ସଂକ୍ରାମକ ହେବାର କ୍ଷମତା ରଖିଥିବା ଡେଲ୍ଟା(ବି.୧.୬୧୭.୨) ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ନିଜକୁ ପୁଣି ଥରେ ରୂପାନ୍ତର କରି ‘ଡେଲ୍ଟା ପ୍ଲସ୍’ ବା ଏଵାଇ-୧ ନାମକ ପ୍ରଜାତି ସୃଷ୍ଟି କରିଥିବା ଜଣାଯାଇଛି। ସୂଚନା ଥାଉ କି, ଭାରତରେ ପ୍ରଥମେ ଠାବ ହୋଇଥିବା ତଥା ଦ୍ବିତୀୟ ଲହର ସଂକ୍ରମଣର ଭୟାବହତାରେ ପ୍ରମୁଖ ଭୂମିକା ନିଭାଇଥିବା ଏହି ଡେଲ୍ଟା ପ୍ରଜାତିର ୬୩ ପ୍ରକାର ଆନୁବଂଶିକ ଜୈବିକ ଉପାଦାନ ବା ଜିନୋମ୍ ଚିହ୍ନଟ କରାଯାଇଛି ବୋଲି ବ୍ରିଟେନ୍ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ସେହିପରି ଜୁନ୍ ୭ ସୁଦ୍ଧା ଭାରତରୁ ଆସିଥିବା କରୋନାଭୂତାଣୁର ଜିନୋମ୍ଗୁଡ଼ିକ ମଧ୍ୟରେ ୬ଟିରେ ଡେଲ୍ଟା ପ୍ରଜାତି ରହିଥିବା ବିଶ୍ବସ୍ତରୀୟ ସ୍ବାସ୍ଥ୍ୟଭିତ୍ତିକ ଅନୁଷ୍ଠାନ ଜିସେଡ୍(ଗ୍ଲୋବାଲ ଇନିସିଏଟିଭ୍ ଅନ୍ ସେୟାରିଂ ଏଭିଆନ୍ ଇନ୍ଫ୍ଲୁଏଞ୍ଜା ଡାଟା) ପକ୍ଷରୁ କୁହାଯାଇଛି। ସେହିପରି ସମ୍ପ୍ରତି ନୂଆକରି ଆବିର୍ଭୂତ ହେଉଥିବା ରୂପାନ୍ତରିତ ପ୍ରଜାତିଙ୍କ ଭିତରେ କେ୪୧୭ଏନ୍ ରୂପାନ୍ତରକୁ ବହନ କରୁଥିବା ବି.୧.୬୧୭.୨.୧ ନାମକ ଡେଲ୍ଟା ପ୍ଲସ୍ ବା ଏଵାଇ-୧ ପ୍ରଜାତି ଅନ୍ୟତମ ବୋଲି ଦିଲ୍ଲୀ ସ୍ଥିତ ସିଏସ୍ଆଇଆର୍ ଅଧୀନ ଆଇଜିଆଇବି(ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଜିନୋମିକ୍ସ ଆଣ୍ଡ୍ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି)ର ନୈଦାନିକ ବୈଜ୍ଞାନିକ ବିନୋଦ ସ୍କାରିଆ ନିଶ୍ଚିତ କରାଇଛନ୍ତି।
ଏହି ରୂପାନ୍ତରଟି ସାର୍ସ-କୋଭ୍-୨ର ସ୍ପାଇକ୍ ପ୍ରୋଟିନ୍ରେ ରହିଥିବା ବେଳେ ଏହା ବହନ କରୁଥିବା କେ୪୧୭ଏନ୍ ନାମକ ରୂପାନ୍ତରର ଆବୃତ୍ତି ବା ପୁନଃପୌନିକତା ଭାରତରେ ସେତେ ଅଧିକ ନୁହେଁ। ତେବେ ଚିନ୍ତାର ବିଷୟ, ଏହି ପ୍ରଜାତି ମୂଳ ଭୂତାଣୁ ବିରୋଧରେ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡି ସୁରକ୍ଷାକୁ ଟପିଯିବାରେ ସକ୍ଷମ। ଏପରିକି ନିକଟରେ ଦେଶରେ ଅନୁମୋଦିତ ହୋଇଥିବା ମନୋକ୍ଲୋନାଲ ଆଣ୍ଟିବଡି କକ୍ଟେଲ୍ ଚିକିତ୍ସାର ମଧ୍ୟ ଏହା ପ୍ରତିରୋଧୀ ବୋଲି ଜଣାଯାଇଛି। ତେବେ ଏହାର ସଂକ୍ରମଣ କ୍ଷମତା ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ। ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟପକ୍ଷରୁ କୁହାଯାଇଛି ଯେ ଡେଲ୍ଟା ପ୍ଲସ୍କୁ ନେଇ ଅଧିକ ଗବେଷଣା ଜାରି ରହିଛି ଏବଂ ଏହା ଏ ପର୍ଯ୍ୟନ୍ତ ଉଦ୍ବେଜନକ ପ୍ରଜାତି ଭାବେ ପରିଗଣିତ ହୋଇନାହିଁ।
The post ‘ଡେଲ୍ଟା’ ଭୂତାଣୁର ପରବର୍ତ୍ତୀ ରୂପାନ୍ତର ‘ଡେଲ୍ଟା ପ୍ଳସ୍’ first appeared on Sambad.from କରୋନା | Sambad https://ift.tt/2U9zCcR
0 Comments