ଭୁବନେଶ୍ବର : ସ୍ବାସ୍ଥ୍ୟକର୍ମୀ ଓ ତାଙ୍କ ପରିବାର‌ଲୋକଙ୍କ କରୋନା ଚିକିତ୍ସା ପାଇଁ ସ୍ବୀକୃତିପ୍ରାପ୍ତ ହସ୍ପିଟାଲଗୁଡ଼ିକରେ ଏଣିକି ୫ପ୍ରତିଶତ ସାଧାରଣ ଶଯ୍ୟା ଓ ଆଇସିୟୁ ସଂରକ୍ଷିତ ରହିବ। ରାଜ୍ୟ ସରକାର ଚଳିତବର୍ଷ ଜାନୁଆରି ୨୮ତାରିଖରେ ଜାରି କରିଥିବା ନିର୍ଦ୍ଦେଶନାମାରେ ଗୁରୁବାର ପରିବର୍ତ୍ତନ କରିଛନ୍ତି।

ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୁହାଯାଇଛି ଯେ ଆଇପିଡି ଓ ଓପିଡିରେ ଥିବା ରୋଗୀଙ୍କୁ ଯଦି ସନ୍ଦେହ କରାଯାଏ, ତାହାଲେ ତାଙ୍କର ରାପିଡ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା କରାଯିବ। ଫଳରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସଂକ୍ରମଣରୁ ରୋକାଯାଇପାରିବ। ଏହା କରୋନାର ତୃତୀୟ ଲହର ପ୍ରସ୍ତୁତିରେ ସହାୟକ ହୋଇପାରିବ। ହସ୍ପିଟାଲର ପ୍ରବେଶପଥରେ ଥର୍ମାଲ ସ୍କ୍ରିନିଂ ସହିତ ସାନିଟାଇଜର୍‌ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟକର୍ମୀମାନଙ୍କୁ ପିପିଇ କିଟ୍ ସହିତ କୋଭିଡ ନିୟାମବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ବିନା ମାସ୍କରେ କୌଣସି ସ୍ବାସ୍ଥ୍ୟକର୍ମୀ ପ୍ରବେଶ କରିପାରିବେ ନାହିଁ। ସେହିପରି ‌ସବୁ ସ୍ବାସ୍ଥ୍ୟକର୍ମୀଙ୍କୁ କୋଭିଡ୍‌ ଯୋଦ୍ଧାର ମାନ୍ୟତା ଦିଆଯିବା ସହିତ ପୂର୍ବରୁ ଜାରି ହୋଇଥିବା ନିର୍ଦେଶାବଳୀ ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

The post ସ୍ବାସ୍ଥ୍ୟକର୍ମୀ ଓ ପରିବାର ପାଇଁ ସଂରକ୍ଷିତ ରହିବ ୫% ଶଯ୍ୟା first appeared on Sambad.

from କରୋନା | Sambad https://ift.tt/3gbri3o