
ମାଲକାନଗିରି: ମାଓ ସଂଗଠନରେ ଏବେ ଧସେଇ ପଶିଛି କରୋନା। ଶତାଧିକ ନକ୍ସଲ ଏବେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ଲଢେଇ କରୁଥିବା ବେଳେ ୭ ଜଣ କ୍ୟାଡର ନକ୍ସଲଙ୍କର ମୃତ୍ୟୁ ହୋଇଥିବା ନେଇ ଆଜି ଦନ୍ତେଵାଡା ଏସପି ଅଭିଷେକ ପଲ୍ଲବ ପ୍ରକାଶ କରିଛନ୍ତି। ଏସପି ଶ୍ରୀ ପଲ୍ଲବଙ୍କ ନିକଟରେ ପହଞ୍ଚିଥିବା ଗୁଇନ୍ଦା ସୂଚନା ଅନୁଯାୟୀ ଟପ୍ ମାଓ ନେତା ହରିଭୁଷଣର ମୃତ୍ୟୁ ହେବା ପରେ ଏବେ ମାଓ ନେତ୍ରୀ ତଥା କମାଣ୍ଡର ବୁଦ୍ରିକାର ମଧ୍ୟ କରୋନାରେ ଦେହାନ୍ତ ହୋଇଯାଇଛି।
ଯାହାକୁ ନେଇ ସଂଗଠନ ଚିନ୍ତାରେ ପଡିଛି।ଏବେ ସୁଦ୍ଧା ୭ ଜଣ ଟପ୍ କ୍ୟାଡର ନକ୍ସଲଙ୍କର ମୃତ୍ୟୁ ହୋଇସାରିଲାଣି। ଏବେ ବି ବହୁ ନକ୍ସଲ ସଂକ୍ରମିତ ହୋଇ ଘରକୁ ଯିବାକୁ ଚାହୁଁଛନ୍ତି। କିନ୍ତୁ ସଂଗଠନର ନେତାମାନେ ସେମାନଙ୍କୁ ଦେଶୀ ଚିକିତ୍ସା କରାଉଛନ୍ତି। ଜଂଗଲରେ ଜଡିବୁଟି ଚିକିତ୍ସା କରାଇବାରୁ ସଂକ୍ରମିତ ନକ୍ସଲମାନେ ଅକାଳରେ ମରୁଥିବା ଜଣାପଡିଛି।
ପୂର୍ବରୁ ନକ୍ସଲ ନେତାମାନେ ସଂଗଠନରେ କାହାରିକୁ କରୋନା ହୋଇନଥିବା ନେଇ ସ୍ପଷ୍ଟିକରଣ ଦେଉଥିବା ବେଳେ ଏବେ ନିଜ ସଂଗଠନର ବଡ ବଡ ନେତାମାନେ କରୋନାରେ ପ୍ରାଣତ୍ୟାଗ କରୁଥିବା ସ୍ବୀକାର କରିଛନ୍ତି। ଏସପି ଶ୍ରୀ ପଲ୍ଲବଙ୍କ କହିବା ଅନୁଯାୟୀ ସଂକ୍ରମିତ ନକ୍ସଲମାନେ କୌଣସି ନିୟମ କାନୁନ ମାନୁନାହାନ୍ତି। ଏବେ ବି ଜଂଗଲରେ ଏବଂ ବିଭିନ୍ନ ଦୁର୍ଗମ ଗ୍ରାମରେ ପଶି ଲୋକଙ୍କୁ ଡାକି ସଭା ସମିତି କରୁଛନ୍ତି। ଯାହାର ଫଳସ୍ବରୂପ ଦୁର୍ଗମ ଅଂଚଳର ଲୋକେ କରୋନାରେ ସଂକ୍ରମିତ ହୋଇ ମରୁଛନ୍ତି। ତେଣୁ ପୁଲିସ ପ୍ରଶାସନ ତରଫରୁ ଦୁର୍ଗମ ଗ୍ରାମର ଲୋକଙ୍କୁ ନିବେଦନ କରାଯାଇଛି ଯେ ନକ୍ସଲଙ୍କୁ ଗ୍ରାମରେ ପଶାନ୍ତୁ ନାହିଁ। ନକ୍ସଲ ଯୋଗୁଁ ବହୁ ଗ୍ରାମବାସୀ ଅକାଳରେ ମରିବେ।ଯେଉଁ ନକ୍ସଲମାନେ ଦେଶୀ ଚିକିତ୍ସା କରାଉଛନ୍ତି ସେମାନେ ତୁରନ୍ତ ମେଡିକାଲ ଚିକିତ୍ସା ପାଇଁ ସହରକୁ ଆସନ୍ତୁ। ସେମାନଙ୍କର ସମସ୍ତ ଚିକିତ୍ସା ପ୍ରଶାସନ ବୁଝିବ ବୋଲି ଆହ୍ବାନ ଦିଆଯାଇଛି। ଟପ୍ ପିଏଲଜିଏ ନେତା ହିଡମା ଏବେ କରୋନାରେ ଗୁରୁତର ହେବା ପରେ ସଂଗଠନରେ ଭାଳେଣି ବଡିଯାଇଛି।ଛତିଶଗଡରେ ହୋଇଥିବା ସବୁବଡ ଆକ୍ରମଣର ମାଷ୍ଟର ମାଇଣ୍ଡ ହେଉଛି ହିଡମା।
ତେବେ ହିଡମାର ଯଦି ମୃତ୍ୟୁ ହୋଇଯାଏ ତେବେ ସଂଗଠନ ଛତିଶଗଡରେ ଭୁଷୁଡିବାର ସମ୍ଭାବନା ରହିଛି।ତେଣୁ ହିଡମାକୁ ଡାକ୍ତରି ଚିକିତ୍ସା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରାଯାଉଛି। ଡାକ୍ତର ଖୋଜା ଚାଲିଥିବା ଜଣାପଡିଛି।ପୁଲିସ କିନ୍ତୁ ନକ୍ସଲଙ୍କର ଏହି ଗତିବିଧି ଉପରେ ନଜର ରଖିଛି। ଏବେ କେନ୍ଦ୍ରୀୟ କମିଟିର ନେତାମାନେ କିପରି ରହିଛନ୍ତି ସେନେଇ କୌଣସି ସୂଚନା ମିଳିନଥିଲେ ମଧ୍ୟ ସେମାନେ ବି ଆତଙ୍କରେ ରହିଥିବା ଜଣାପଡିଛି।
The post କରୋନା ସଂକ୍ରମିତ ନକ୍ସଲଙ୍କୁ ଦେଶୀ ଚିକିତ୍ସା; ମାଓ କମାଣ୍ଡର ବୁଦ୍ରିକାର ବି କରୋନାରେ ମୃତ୍ୟୁ first appeared on Sambad.from କରୋନା | Sambad https://ift.tt/3deyQSo
0 Comments