ନୂଆଦିଲ୍ଲୀ: କୋଭିଡ୍‌-୧୯ ଟିକା ‘ସ୍ପୁଟ୍‌ନିକ୍‌ ଭି’ ଉତ୍ପାଦନ କରିବାକୁ ‘ଟେଷ୍ଟ୍‌ ଲାଇସେନ୍‌ସ୍‌’ ପାଇବା ପାଇଁ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ‘ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ଙ୍କୁ (ଡିସିଜିଆଇ) ଆବେଦନ କରିଥିବା କଥା ଗୁରୁବାର ଦିନ ବିଶେଷସୂତ୍ରରୁ ଜଣାପଡ଼ିଛି।

ଉପରୋକ୍ତ ଲାଇସେନ୍ସ୍‌ ହାସଲ କଲେ ‘ଏସ୍ଆଇଆଇ’ ଉକ୍ତ ଟିକାର ପରୀକ୍ଷା ଅନୁଶୀଳନ ଏବଂ ବିଶ୍ଳେଷଣ କରିବ।

Image Courtesy of The Times of India

ସୂଚନାଯୋଗ୍ୟ, ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆଦ୍ବାରା ଉତ୍ପାଦିତ ‘ଆଷ୍ଟ୍ରାଜେନିକା’ର ‘କୋଭିସିଲ୍‌ଡ୍‌’ ଏବଂ ‘ଭାରତ ବାୟୋଟେକ୍‌’ର ‘କୋଭାକ୍ସିନ୍‌’ ପରେ ଭାରତର ଡ୍ରଗ୍‌ ରେଗୁଲେଟର୍‌ ଅନୁମୋଦନ କରିଥିବା ତୃତୀୟ ଟିକା ହେଉଛି ‘ସ୍ପୁଟ୍‌ନିକ୍‌ ଭି’। ରୁଷ୍ ନିର୍ମିତ ‘ସ୍ପୁଟ୍‌ନିକ୍‌ ଭି’ ଆମଦାନି କରାଯାଇ ସମ୍ପ୍ରତି ‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରିଜ୍‌’ଦ୍ବାରା ଭାରତରେ ବଣ୍ଟନ ହେଉଛି।

ମଙ୍ଗଳବାର ଦିନ ମଧ୍ୟ ହାଇଦ୍ରାବାଦରେ ୩୦ ଲକ୍ଷ ଡୋଜ୍‌ ‘ସ୍ପୁଟ୍‌ନିକ୍‌ ଭି’ ଆସି ପହଞ୍ଚିଛି। ଏହି ଟିକା ନେଇ ଆସିଥିବା ‘ଆର୍‌ୟୁ-୯୪୫୦’ ନାମକ ସ୍ବତନ୍ତ୍ର ଚାଟର୍ଡ ବିମାନ ପାହାନ୍ତା ୩.୪୩ରେ ହାଇଦ୍ରାବାଦ ବିମାନ ବନ୍ଦରରେ ଅବରତଣ କରିଥିଲା। ପୂର୍ବରୁ ମଧ୍ୟ ସରକାରୀ ସୂତ୍ରରୁ ଜଣାପଡ଼ିଥିଲା ଯେ, ଜୁନ୍‌ ୨୦୨୧ ସୁଦ୍ଧା ୧କୋଟି ‘ସ୍ପୁଟ୍‌ନିକ୍‌ଭି’ ଡୋଜ୍‌ ଆମଦାନି କରାଯିବ। ୨୦୨୧ ଜୁଲାଇରେ ତାହା ଭାରତରେ ଉତ୍ପାଦନ ହେବ ଓ ଅଗଷ୍ଟ ମାସରେ ବଜାରରେ ମିଳିବ।

ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ‘ଫାଇଜର୍‌’ ଏବଂ ‘ମଡର୍ଣ୍ଣା’ ଭଳି ବିଦେଶୀ ଟିକା ନିର୍ମାତାଙ୍କୁ ଭାରତ ସରକାର ସମ୍ଭାବ୍ୟ ଆଇନଗତ ସୁରକ୍ଷା ପ୍ରଦାନ କରିବାକୁ ବିଚାର କରୁଥିବା ବେଳେ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ପ୍ରତି ମଧ୍ୟ ତାହା ଲାଗୁ କରାଯାଉ ବୋଲି କମ୍ପାନି ଦାବି କରିଛି।

The post କୋଭିଡ୍‌ ଟିକା ‘ସ୍ପୁଟ୍‌ନିକ୍‌ ଭି’ ଉତ୍ପାଦନ ପାଇଁ ‘ଡିସିଜିଆଇ’ଙ୍କୁ ଆବେଦନ କଲା ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ first appeared on Sambad.

from କରୋନା | Sambad https://ift.tt/3fLGTYz