
ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ପୁରୁଣାଗଡ଼ଠାରେ କୋଭିଡ୍ ନିୟମ ଉଲ୍ଲଂଘନ କରି ବାହାଘର ଭୋଜିଭାତ ଆୟୋଜନ କରିଥିବା ଜଣେ କନ୍ୟାପିତାଙ୍କଠାରୁ ଆଜି ଦେବଗଡ଼ ଥାନା ପୁଲିସ ୧ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। ମିଳିଥିବା ସୂଚନା ଅନୁଯାୟୀ, ପୌରାଞ୍ଚଳ ପୁରୁଣାଗଡ଼ର ପୌର ପରିଷଦରେ କାର୍ଯ୍ୟରତ ଟ୍ୟାକ୍ସ କଲେକ୍ଟର ସୂର୍ଯ୍ୟ ସାହୁ ତାଙ୍କ ଝିଅର ବିବାହ ତାରିଖ ଧାର୍ଯ୍ୟ କରିଥିଲେ।
ବିବାହ ପୂର୍ବରୁ ନିୟମାନୁଯାୟୀ ଥାନାରୁ ୫୦ଜଣ ଲୋକଙ୍କୁ ବିବାହରେ ସାମିଲ ପାଇଁ ଅନୁମତି ଆଣିବା ସହ ଅନୁମତିପ୍ରାପ୍ତ ବ୍ୟକ୍ତିଙ୍କ ନାମ ତାଲିକା ବିବାହ ମଣ୍ଡପରେ ଝୁଲାଇବା ପାଇଁ ପୁଲିସକୁ ସମ୍ମତି ଜଣାଇଥିଲେ। ମାତ୍ର ଆଜି ବିବାହ ପୂର୍ବରୁ ସୂର୍ଯ୍ୟ ନିଜ ଘରେ ୨୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ କରିବା ସହ ବିବାହ ମଣ୍ଡପରେ ସାମିଲ ବ୍ୟକ୍ତିଙ୍କ ନାମ ତାଲିକା ମଧ୍ୟ ଝୁଲାଇ ନଥିଲେ।
ଏନେଇ ଦେବଗଡ଼ ଥାନା ପୁଲିସକୁ ସୂଚନା ମିଳିବା ପରେ ଆଜି ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଦେବଗଡ଼ ଥାନା ପୁଲିସ ସଦଳବଳେ ଉକ୍ତ ସ୍ଥାନରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ଯାଞ୍ଚବେଳେ କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଂଘନ କରି ୨୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ରୋଷେଇ ହୋଇଥିବା ଜଣାପଡ଼ିଥିଲା।
ସେହିପରି ସାମାଜିକ ଦୂରତ୍ୱ ରକ୍ଷା ନକରି ଖାଇବାକୁ ଦେଉଥିବା ଏବଂ ପୁଲିସ ପକ୍ଷରୁ ପାଳନ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରି ନଥିବା ଦେଖିବାକୁ ମିଳିଥିଲା। ଫଳରେ ପୁଲିସ ରନ୍ଧା ଖାଦ୍ୟ ଜବତ କରିବା ସହ କୋଭିଡ୍ ଆଇନ ଉଲ୍ଲଂଘନ କରି ଜନଗହଳି କରୁଥିବା ଅଭିଯୋଗରେ ଏକ ମାମଲା ରୁଜୁ କରିଥିଲା। େସହିପରି ଅମାନିଆ କନ୍ୟାପିତାଙ୍କଠାରୁ ୧ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଏସ୍ଡିପିଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
The post କୋଭିଡ଼ ନିୟମ ଉଲ୍ଲଂଘନ: ବାହାଘର ଭୋଜି ବନ୍ଦ, ୧ଲକ୍ଷ ଟଙ୍କା ଜରିମାନା ଆଦାୟ first appeared on Sambad.from କରୋନା | Sambad https://ift.tt/3v3U7oK
0 Comments