କେନ୍ଦୁଝର: ମହାମାରୀ କରୋନାର ଭୟାବହତାରେ ଜନସାଧାରଣ ଆତଙ୍କିତ ହୋଇପଡ଼ିଥିବା ବେଳେ ଏଥିରୁ ଉଦ୍ଧାର ପାଇବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଲୋକମାନେ କରୋନା ଟିକାନେବା ପାଇଁ ବ୍ୟାକୁଳ ହୋଇପଡ଼ିଛନ୍ତି। ଟିକା ନେବା ପାଇଁ ଅସ୍ଥାୟୀ ଟିକା‌କେନ୍ଦ୍ର ସମ୍ମୁଖରେ ଅଧରାତିରୁ ଧାଡ଼ି ଲଗାଉଛନ୍ତି। ଲୋକଙ୍କୁ ସୂଚନା ନଦେଇ ଆଜି ନଗର ଭବନ ଓ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପରେ ହେବାକୁଥିବା ଟିକାକରଣକୁ ବନ୍ଦ କରିଦିଆଯାଇଥିଲା। ଲୋକମାନେ ରାତିରୁ ଧାଡ଼ିରେ ଥିବା ବେଳେ ଟିକା ଦେବା ସମୟ ଗଡି ଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ନଆସିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।

ଟିକା ନେବାକୁ ଆସିଥିବା ଲୋକେ ଉତ୍ତ୍ୟକ୍ତ ହୋଇ ଜିଲ୍ଳାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖବର ପାଇ ଜିଲ୍ଲାପାଳ ଆଶିଷ ଠାକରେ ବାହାରକୁ ଆସି ଲୋକଙ୍କ ସହିତ ଆଲୋଚନା କରିଥିଲେ। ବହୁ ବରିଷ୍ଠ ନାଗରିକ ଜିଲ୍ଲାପ‌ାଳଙ୍କୁ ଅନୁରୋଧ କରିଥିଲେ ଯେ, ଟିକା ପାଇବାକୁ ଥିବା ଲୋକଙ୍କୁ ପୂର୍ବରୁ ସୂଚନା ପ୍ରଦାନ କରିବାର ବ୍ୟବସ୍ଥା କରାଯାଉ।

ଜିଲ୍ଲାପାଳ ଲୋକଙ୍କ ଅଭିଯୋଗ ଶୁଣିବା ପରେ ଆସନ୍ତାକାଲି କେଉଁଠାରେ ଏବଂ କେଉଁ କେଉଁ କେନ୍ଦ୍ରରେ ଟିକାକରଣ ହେବ ସେ ନେଇ ସୂଚନା କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟର ଏବଂ ଫେସବୁକରେ ରାତି ୯ଟାରେ ଅପଲୋଡ କରାଯିବ ବୋଲି କହିଥିଲେ। ସାମାଜିକ ଏବଂ ବିଭିନ୍ନ ଗଣମାଧ୍ୟମରେ ଅଧିକ ପ୍ରଚାରପ୍ରସାର କିମ୍ବା ରାତି ୯ଟା ପରିବର୍ତ୍ତେ ସଂଧ୍ୟା ୬ଟାରେ ଏହି ସୂଚନା ଦିଆଗଲେ ଟିକା ନେବାକୁ ଥିବା ଲୋକମାନେ ଶୀଘ୍ର ସୂଚନା ପାରିବେ ବୋଲି କହିଥିଲେ।

The post ଟିକାକରଣ ଅବ୍ୟବସ୍ଥା ନେଇ ଅସନ୍ତୋଷ, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଲୋକେ first appeared on Sambad.

from କରୋନା | Sambad https://ift.tt/3u0l6Au