ବେଜିଙ୍ଗ୍: ଭୂତାଣୁ ସଂକ୍ରମିତ ନେପାଳର ଆରୋହୀମାନଙ୍କ ଠାରୁ କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କା ଥିବାରୁ ଚୀନ୍‌ ଏଭରେଷ୍ଟ୍‌ ଶୃଙ୍ଗ ଶିଖରରେ ବାଡ଼ ପୋତିବ ବୋଲି ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ଏଭରେଷ୍ଟ୍‌ ଶୃଙ୍ଗ ‘ବେସ୍‌ କ୍ୟାମ୍ପ’ରେ ୩୦ରୁ ଅଧିକ ଆରୋହୀ କୋଭିଡ୍‌-୧୯ ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିବା ପରେ ଚୀନ୍‌ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ପ୍ରକାଶ।

୨୦୧୯ ଶେଷ ଭାଗରେ ପ୍ରଥମେ ଚୀନ୍‌ରେ ଦେଖା ଦେଇଥିବା ଏହି ଭୂତାଣୁ ସଂକ୍ରମଣକୁ ଚୀନ୍‌ ମୋଟାମୋଟି ନିୟନ୍ତ୍ରଣକୁ ଆଣି ପାରିଛି। ଏଥିପାଇଁ ଅବଶ୍ୟ ଚୀନ୍‌କୁ ଅନେକ ଥର କଠୋର ଲକ୍‌ଡାଉନ୍‌ ଜାରି କରିବା ସହ ସୀମାନ୍ତ ବନ୍ଦ କରିବାକୁ ପଡ଼ିଥିଲା।

ଏଭରେଷ୍ଟ୍‌ ଶୃଙ୍ଗ ଚୀନ୍ ଓ ନେପାଳ ସୀମାନ୍ତରେ ଅବସ୍ଥିତ ହୋଇଥିବାରୁ ଏହାର ଉତ୍ତର ପାର୍ଶ୍ବ ଢାଲୁ ଚୀନ୍‌ ମାଲିକାନାରେ ରହିଛି।

Image Courtesy of NDTV

ଏକ ସାମ୍ବାଦିକ ସମ୍ମିଳନୀରେ ତିବ୍ବତୀୟ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, ଉତ୍ତର ଏବଂ ଦକ୍ଷିଣ ଢାଲୁ କିଂବା ଚୂଡ଼ା ଆରୋହଣ କରୁଥିବା ଆରୋହୀଙ୍କ ସଂସ୍ପର୍ଶରେ ନ ଆସିବା ଲାଗି ସେମାନେ ‘କଠୋରତମ ମହାମାରୀ ସତର୍କତା ପଦକ୍ଷେପ’ ଅବଲମ୍ବନ କରିବେ। ‘ମାଉଣ୍ଟେନ୍‌ ଗାଇଡ୍‌ମାନେ’ ଏଭରେଷ୍ଟ ଶୃଙ୍ଗରେ ଏହି ସୀମାନ୍ତ ବାଡ଼ ପୋତିବେ ବୋଲି ‘ତିବ୍ବତ ମାଉଣ୍ଟେନିୟରିଙ୍ଗ୍‌ ଆସୋସିଏସନ୍‌’ କହିଥିବା କଥା ରବିବାର ଦିନ ରାଷ୍ଟ୍ରାୟତ ସମ୍ବାଦ ସରବରାହ ସଂସ୍ଥାନ ‘ସିନ୍‌ହୁଆ ନିଉଜ୍‌’ ଏଜେନ୍‌ସି କହିଛି।

କିନ୍ତୁ, ଏହି ବିଭାଜିକା ବାଡ଼ କେଉଁଥିରେ ତିଆରି ସେ ସଂକ୍ରାନ୍ତରେ ସରକାରୀ କର୍ତ୍ତୃପକ୍ଷମାନେ କିଛି କହି ନାହାନ୍ତି। ସୂଚନାଯୋଗ୍ୟ, ଭୂତାଣୁ ବିସ୍ତାର କାରଣରୁ ଗତ ବର୍ଷରୁ ଚୀନ୍‌ ବିଦେଶୀ ଆରୋହୀଙ୍କୁ ଏଭରେଷ୍ଟ୍‌ ଆରୋହଣ ନିମନ୍ତେ ବାରଣ କରିଛି।

ସେହିପରି, ମହାମାରୀ ଯୋଗୁଁ ୨୦୨୦ ବର୍ଷରେ ନେପାଳ ପର୍ଯ୍ୟଟନ ଶିଳ୍ପ‌ର ବ୍ୟାପକ କ୍ଷତି ହେବାରୁ ଏବର୍ଷ ଅନେକ ପର୍ଯ୍ୟଟକ ଓ ଆରୋହୀଙ୍କୁ ଏଭରେଷ୍ଟ୍‌ ଶୃଙ୍ଗ ଆରୋହଣ ନିମନ୍ତେ ନେପାଳ ଅନୁମତି ଦେଇଛି।

The post କୋଭିଡ୍‌ ସଂକ୍ରମଣ ଆଶଙ୍କା କରି ‘ଏଭରେଷ୍ଟ୍‌ ଶୃଙ୍ଗ‌’ରେ ବାଡ଼ ପୋତିବ ଚୀନ୍‌ first appeared on Sambad.

from କରୋନା | Sambad https://ift.tt/3ezGcRO