ଭୁବନେଶ୍ବର : କରୋନା ପାଇଁ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଦ୍ବାରା ପ୍ରସ୍ତୁତ ଔଷଧ ୨-ଡିଜିକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ(ଡିସିଜିଆଇ) ଜରୁରୀ ବ୍ୟବହାର ପାଇଁ ଅନୁମତି‌ ଦେଇଛନ୍ତି। ହାଇଦ୍ରାବାଦସ୍ଥିତ ଡ.ରେଡ୍ଡୀ କମ୍ପାନିର ସହାୟତାରେ ଏହି ଔଷଧ ପ୍ରସ୍ତୁତ କରାଯାଇଛି। ଏହି ଔଷଧ ପାଉଡର୍‌ ଆକାରରେ ସ୍ୟାସେରେ ଉପଲବ୍ଧ ହେବ। ହେଲେ ଏହି ଔଷଧ ପ୍ରସ୍ତୁତ ପଛରେ ଓଡ଼ିଆ ପୁଅ ଡା. ଧନଞ୍ଜୟ ପାଣିଗ୍ରାହୀଙ୍କ ଯଥେଷ୍ଟ ଅବଦାନ ରହିଛି। କମ୍ପାନିରେ କାର୍ଯ୍ୟରତ ଡା. ପାଣିଗ୍ରାହୀ ବର୍ଷେ ହେବ ଏହି ଔଷଧ ପ୍ରସ୍ତୁତି ପଛରେ ରହିଥିଲେ ବୋଲି ଜଣାପଡ଼ିଛି।

୨-ଡିଜିର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଏହା କରୋନା ରୋଗୀଙ୍କ କ୍ଷେତ୍ରରେ ୪୨ ପ୍ରତିଶତ ପର୍ଯ୍ୟନ୍ତ ଭାଇରାଲ ଲୋଡ୍‌କୁ ରୋକିବାରେ ସଫଳ ହେଉଥିବା ନଜରକୁ ଆସିଥିଲା। ତେଣୁ ଏହାକୁ ନେଇ ଦେଶବ୍ୟାପୀ ଡାକ୍ତରମାନେ ଭରସା ଜାହିର କରିଛନ୍ତି। କରୋନା ପାଇଁ ଏହା ଏକ ମହୌ‌ଷଧୀ ପାଲଟିବ ବୋଲି ଆଶା କରାଯାଉଛି। ଡିଆରଡିଓ ପକ୍ଷରୁ ଏଭଳି ଏକ ପ୍ରସ୍ତୁତ କରିବା ଲାଗି ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା। ସଂସ୍ଥାର ବଛାବଛା ବୈଜ୍ଞାନିକମାନେ ଏଥିରେ ସାମିଲ ହୋଇଥିଲେ। ଔଷଧର ମଲିକ୍ୟୁଲକୁ ଡ.ରେଡ୍ଡୀର ଲ୍ୟାବ୍‌କୁ ଦିଆଯାଇଥିଲା। ପରେ ଏହାର ଗବେଷଣା ଜାରି ରହିଥିଲା। କମ୍ପାନିର ୪ଜଣ ଗବେଷକଙ୍କୁ ଏହି ଔଷଧ ପ୍ରସ୍ତୁତିର ଦାୟିତ୍ବ ମିଳିଥିଲା। ଡା. ପାଣିଗ୍ରାହୀ ଔଷଧର ଫର୍ମୁଲେସନ୍‌ର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଏହାସହ ଆଉ ଜଣେ ଓଡ଼ିଆ ଡା. ଅନୁପ ଚୌଧୁରୀ ମଧ୍ୟ ଏହି ୪ ଜଣିଆ ଟିମ୍‌ର ନେତୃତ୍ବ ନେଉଥିବା ଜଣାପଡ଼ିଛି। ଏହା ପୂର୍ବରୁ ଡା. ପାଣିଗ୍ରାହୀ ମଧୁମେହ ରୋଗୀଙ୍କ ପାଇଁ ବଜାରରେ ଉପଲବ୍ଧ ହେଉଥିବା ଏକ ଔଷଧ ଉପରେ ମଧ୍ୟ କାର୍ଯ୍ୟ କରିଛନ୍ତି। କରୋନା ସଂକ୍ରମିତ ହୋଇ ମଧ୍ୟ ଡା. ପାଣିଗ୍ରାହୀ ଔଷଧ ପ୍ରସ୍ତୁତି ଉପରେ କଡ଼ା ନଜର ରଖିଥିଲେ।

କରୋନା ସଂକ୍ରମିତଙ୍କୁ ଦୈନିକ ଏହି ଔଷଧ ୬ ମି.ଗ୍ରା ଖାଇବାକୁ ହେବ। ମାତ୍ର ବିନା ଡାକ୍ତରଙ୍କ ପରାମର୍ଶରେ ଏହି ଔଷଧ ଖାଇବା ଉଚିତ ନୁହେଁ। ଏହାସହ କେଉଁ ରୋଗୀଙ୍କୁ କେତେଦିନ ପର୍ଯ୍ୟନ୍ତ ଏହି ଔଷଧ ଖାଇବାକୁ ହେବ, ତାହା ଚିକିତ୍ସା କରୁଥିବା ଡାକ୍ତର ନିଷ୍ପତ୍ତି ନେବେ। ଯେହେତୁ ଥରକରେ ୬ ମି.ଗ୍ରା ଖାଇବାକୁ ହେବ, ତେଣୁ ଏହାକୁ ବଟିକା ଆକାରରେ ପ୍ରସ୍ତୁତ କରିବା ସମ୍ଭବ ନଥିଲା। ବାଧ୍ୟ ହୋଇ ବୈଜ୍ଞାନିକମାନେ ଏହାକୁ ସ୍ୟାସେରେ ରଖିବା ଲାଗି ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଏହା ବେଶ୍‌ ଆଶାଜନକ ସଫଳତା ପାଇଥିଲା। ତୃତୀୟ ପର୍ଯ୍ୟାୟରେ ଦେଶର ୨୭ଟି ହସ୍ପିଟାଲରେ ଏହାର ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି।

The post ‘ଡିଆରଡିଓ’ର କରୋନା ଔଷଧ ୨-ଡିଜି, ଔଷଧ ପ୍ରସ୍ତୁତି ପଛରେ ଓଡ଼ିଆ ପୁଅ ଡା. ଧନଞ୍ଜୟ first appeared on Sambad.

from କରୋନା | Sambad https://ift.tt/3y7Gl6L