କାକରୁଦ୍ରପୁରରୁ ୧୭ ପଜିଟିଭ୍‌ ଚିହ୍ନଟ, ସପ୍ତାହକରେ ମଲେଣି ୨

ବାଲିଅନ୍ତା : ସ୍ଥାନୀୟ କାକରୁଦ୍ରପୁର ପଞ୍ଚାୟତରେ ସଂକ୍ରମଣ ଉଗ୍ରରୂପ ନେଇଛି। ସପ୍ତାହକ ମଧ୍ୟରେ କରୋନାରେ ଚିକିତ୍ସିତ ହେଉଥିବା ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ସ୍ଥାନୀୟ ଖମଙ୍ଗଶାସନ ଗ୍ରାମର ଜଣେ କୋଲକାତା ଫେରନ୍ତା ଯୁବ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଥିବା ବେଳେ ଅନ୍ୟଜଣଙ୍କ ପଡ଼ୋଶୀ ଗଣ୍ଡିଲୋ ଗ୍ରାମର ୬୨ବର୍ଷୀୟ ବୃଦ୍ଧ। ଏହାବାଦ୍‌ ପଞ୍ଚାୟତର ବିଭିନ୍ନ ୱାର୍ଡର ୧୭ଜଣ ବ୍ୟକ୍ତି ଗୃହ ସଂଗେରୋଧରେ ଚିକିତ୍ସାଧୀନ ଅଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମଦ୍ବୟକୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ବିଡିଓ ଆଦିକନ୍ଦ ବେହେରା ଏବଂ ତହସିଲଦାର ସରୋଜ କୁମାର ପଣ୍ଡା ବ୍ୟାପକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଅଗ୍ନିଶମ ସେବା ବିଭାଗ ପକ୍ଷରୁ ଖମଙ୍ଗଶାସନ ଗ୍ରାମକୁ ବିଶୋଧନ କରାଯାଇଛି। ହେଲେ ଗଣ୍ଡିଲୋ ଗ୍ରାମ ଏଯାଏ ବିଶୋଧନ କରାଯାଇନାହିଁ। ଏନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି।

ବାରଙ୍ଗ ବ୍ଲକରେ ୧୮ ପଜିଟିଭ୍‌
ବାରଙ୍ଗ/ତ୍ରିଶୁଳିଆ : ବାରଙ୍ଗ ବ୍ଲକରେ ଆଜି ୧୮ଜଣ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ବ୍ଲକର ମୁଣ୍ଡଳୀ ପଞ୍ଚାୟତର ୪, ବେଲଗଛିଆ ପଞ୍ଚାୟତର ୩, କୋରକରାର ୩, ଖଲର୍ଦ୍ଧା ପଞ୍ଚାୟତରେ ୨, ନରାଜ ମର୍ଥାପୁରର ୨ ଓ ଦାଢ଼ାପାଟଣା, ସାଇଁସୋ, ଉଷୁମା, ରାମଦାସପୁର ପଞ୍ଚାୟତରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ନରାଜ ମାର୍ଥାପୁରରୁ ଜଣେ ଓ ମଧୁପୁର ପଞ୍ଚାୟତରୁ ଜଣଙ୍କୁ ମିଶାଇ ମୋଟ ୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

ରିପୋର୍ଟ ପଜିଟିଭ୍‌ ଆସିବାରକେଇ ଘଣ୍ଟାରେ ବ୍ୟବସାୟୀଙ୍କ ମୃତ୍ୟୁ
ବାଲିପାଟଣା : ବାଲିପାଟଣା ବ୍ଲକ୍‌ରେ କରୋନା ଆଜି ଆଉ ଜଣଙ୍କ ଜୀବନ ନେଇଥିବା ସୂଚନା ମିଳିଛି। ସ୍ଥାନୀୟ ବରିଲୋ ଗ୍ରାମର ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ କିଛି ଦିନ ତଳେ ଜ୍ବର ହୋଇଥିଲା। ସେ ଘରେ ସଂଗରୋଧରେ ରହିବା ସହ ଔଷଧ ଖାଉଥିଲେ। ତେବେ ସୁଧୁରିବା ପରିବର୍ତ୍ତେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ସେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ପରୀକ୍ଷା କରାଇଥିଲେ। ରିପୋର୍ଟ ପଜିଟିଭ୍‌ ଆସିବାରୁ ତାଙ୍କୁ ନୀଳାଚଳ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଭର୍ତ୍ତି ହେବାର କେଇ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କୋଭିଡ୍‌ ନିୟମାନୁସାରେ ପରିବାରଲୋକଙ୍କ ଉପସ୍ଥିତିରେ ତାଙ୍କର ଶବଦାହ କରାଯାଇଛି।

The post କାକରୁଦ୍ରପୁରରୁ ୧୭ ପଜିଟିଭ୍‌ ଚିହ୍ନଟ, ସପ୍ତାହକରେ ମଲେଣି ୨ first appeared on Sambad.

from କରୋନା | Sambad https://ift.tt/3tBngpM

Post a Comment

0 Comments