ନୂଆଦିଲ୍ଲୀ : ଦେଶରେ ମାସକ ଭିତରେ ପ୍ରଥମ ଥର ପାଇଁ ଗତ ଶନିବାର ପୂର୍ବଦିନ ଅପେକ୍ଷା ଦୈନିକ ସଂକ୍ରମଣ କମ୍‌ ରହିଛି। ଅପରପକ୍ଷେ, ଦୈନିକ ମୃତ୍ୟୁସଂଖ୍ୟା ସର୍ବାଧିକ ହୋଇଛି। ରବିବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୩,୯୨,୪୮୮ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବଦିନ(ଶୁକ୍ରବାର) ସଂକ୍ରମିତଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ ଡେଇଁ ୪,୦୧,୯୯୩ ରହିଥିଲା। ଏପ୍ରିଲ ମାସ ସାରା(କେବଳ ସୋମବାରକୁ ଛାଡ଼ି) ପ୍ରତ୍ୟହ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ମେ’ ପହିଲାରେ ଟିକେ ସଂଖ୍ୟାଗତ ଆଶ୍ବସ୍ତି ଆଣିଛି।

ତେବେ ବର୍ତ୍ତମାନ ସୁଦ୍ଧା ଶନିବାରର ଏହି ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୯୫,୫୭,୪୫୭ ହୋଇଛି, ସୁତରାଂ ୨ କୋଟି ଛୁଇଁବାକୁ ଅଳ୍ପ ବାକି ଅଛି। ସେହିପରି ଏହି ୨୪ ଘଣ୍ଟା ଭିତରେ ମୃତ୍ୟୁସଂଖ୍ୟା ରେକର୍ଡ ୩,୬୮୯ ହେବା ସହ ଏହାକୁ ମିଶାଇ ଦେଶରେ ମହାମାରୀ କୋଭିଡ୍‌ରେ ମୋଟ ୨,୧୫,୫୪୨ ଜଣଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାରୁ ଜଣାଯାଇଛି। ଅପରପକ୍ଷେ, ଏହି ଦିନକ ଭିତରେ ଦେଶରେ ୩,୦୭,୮୬୫ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଅଦ୍ୟାବଧି ମୋଟ ୧,୫୯,୯୨,୨୭୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଦେଶରେ ବର୍ତ୍ତମାନ ୩୩,୪୯,୬୪୪ଟି ସକ୍ରିୟ ମାମଲା ରହିଥିବା ବେଳେ ଅଦ୍ୟାବଧି ମୋଟ ୧୫,୬୮,୧୬,୦୩୧ ଜଣଙ୍କର ଟିକାକରଣ ସରିଥିବା ମନ୍ତ୍ରଣାଳୟ ସୂଚନାରୁ ସ୍ପଷ୍ଟ ହୋଇଛି।

The post ଦେଶରେ ଦୈନିକ ସଂକ୍ରମଣ ୩.୯୨ଲକ୍ଷ, ୩,୬୮୯ ମୃତ first appeared on Sambad.

from କରୋନା | Sambad https://ift.tt/3te4Zi4