
ଭୁବନେଶ୍ବର: କୋଭିଡ୍ ମହାମାରୀ ସମୟରେ ବି ରାଜ୍ୟରେ ୮୫.୪ ପ୍ରତିଶତ ଟିକାକରଣ ହୋଇଛି। ବିଶ୍ବ ଟିକାକରଣ ସପ୍ତାହ ଅବସରରେ ଏମ୍ସ ଭୁବନେଶ୍ବର ପକ୍ଷରୁ ଆୟୋଜିତ ଏକ ୱେବିନାରରେ ଏହା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ଡ. ବିଜୟ ପାଣିଗ୍ରାହୀ।
ଏପ୍ରିଲ ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଟିକାକରଣ ସପ୍ତାହ ଆୟୋଜିତ ହେଉଛି। ‘ଘନିଷ୍ଠ କରୁଛି ଟିକା’ ଶୀର୍ଷକ ଏହି ୱେବିନାରରେ ଏମ୍ସ ଭୁବନେଶ୍ବରର ସ୍ବାସ୍ଥ୍ୟ, ପରିବାର କଲ୍ୟାଣ ବିଭାଗର ମୁଖ୍ୟ ଡ. ସୋନୁ ସୁବ୍ବା କହିଛନ୍ତି, ୩୦ ବର୍ଷ ମଧ୍ୟରେ ଟିକାକରଣ ଯୋଗୁଁ ୫୦ ପ୍ରତିଶତ ଶିଶୁ ଅବସ୍ଥାର ମୃତ୍ୟୁକୁ ରୋକା ଯାଇପାରିଛି। ଟିକା ଯୋଗୁଁ ହାଡଫୁଟି, ମିଳିମିଳା, ପୋଲିଓ ଭଳି ରୋଗ ହାର୍ ମାନିଛି। ଏମ୍ସ ନିର୍ଦେଶିକା ଗୀତାଞ୍ଜଳି ବି. କହିଛନ୍ତି, ଟିକାକରଣ ଅତି ଗୁରୁତ୍ବପୂର୍ଣ୍ଣ। ଏମ୍ସ ଓପିଡି ବନ୍ଦ ହୋଇଥିଲେ ମଧ୍ୟ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି। ମାତ୍ର ଏବେବି କୋଭିଡ୍-୧୯ ଟିକା ନେବା ପାଇଁ କିଛି ଲୋକ ଭୟ କରୁଛନ୍ତି। ଏଥିପାଇଁ ଆମେ ପରିବାର ସହିତ ଟିକା ନେଇ ଲୋକଙ୍କୁ ପ୍ରୋତ୍ସାହିତ କରିବା।
ଦ୍ବିତୀୟ ଲହର ନିୟନ୍ତ୍ରଣରେ ଟିକାର ଭୂମିକା ନେଇ ଏମ୍ସ ଦିଲ୍ଲୀର କମ୍ୟୁନିଟି ମେଡିସିନ ବିଭାଗର ଡା. ସଞ୍ଜୟ ରାୟ କହିଛନ୍ତି, ସ୍ବାଭାବିକ ସଂକ୍ରମଣ କିମ୍ବା ଟିକାକରଣ ଜରିଆରେ ହିଁ ମହାମାରୀର ଅବସାନ ହେବ। ବର୍ତ୍ତମାନ ଦେଶରେ କୋଭିଡ୍ ମୁକାବିଲା ପାଇଁ କୋଭିସିଲ୍ଡ, କୋଭାକ୍ସିନ, ସ୍ପୁଟନିକ-ଭି ଟିକା ରହିଛି। ଦେଶରେ ୧୫ କୋଟି ଲୋକ ଟିକା ନେଇ ସାରିଛନ୍ତି। ଏଥିରୁ ୨.୫ କୋଟି ଉଭୟ ଡୋଜ୍ ନେଇଛନ୍ତି। ପ୍ରତିଷେଧକ ବ୍ୟବସ୍ଥା ତିଆରି ପାଇଁ ଟିକାକୁ ୬ ସପ୍ତାହ ସମୟ ଲାଗିଥାଏ।
The post କୋଭିଡ୍ ସମୟରେ ବି ରାଜ୍ୟରେ ୮୫.୪% ଟିକାକରଣ ହୋଇଛି: ଡ. ବିଜୟ ପାଣିଗ୍ରାହୀ first appeared on Sambad.from କରୋନା | Sambad https://ift.tt/3aSbqRN
0 Comments