ନୂଆଦିଲ୍ଲୀ : ଚଳିତ ବର୍ଷ କୋଭିଡ୍‌ ଦ୍ବିତୀୟ ଲହର ସଂକ୍ରମଣ ଶୀର୍ଷରେ ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଯେତିକି ଦୈନିକ ସଂକ୍ରମଣ ଦେଖାଯାଉଥିଲା, ସେଥିରେ ଯଥେଷ୍ଟ ହ୍ରାସ ପାଇଛି। ଏବେ ତାହାର ଏକ ପଞ୍ଚମାଂଶ ପରିଲକ୍ଷିତ ହେଉଛି। ତେବେ ଏହାର ଆର୍-ମୂଲ୍ୟ(ସଂକ୍ରମଣ ଦ୍ରୁତତା) ଓ ପଜିଟିଭିଟି ହାର ପରି ଅନ୍ୟାନ୍ୟ ପରିସଂଖ୍ୟାନକୁ ବିଚାରକୁ ନେଲେ ଦିଲ୍ଲୀରେ ମହାମାରୀ ଧିମେଇ ଯାଇଥିବା ସ୍ପଷ୍ଟ ହେଉଛି। ସେହିପରି ଜାତୀୟ ସ୍ତରରେ ମଧ୍ୟ ସାପ୍ତାହିକ ହାରାହାରି ନୂତନ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ କମି ଆସିଛି। ଏପରିକି ଗତ ୧୬ ବେଳକୁ ସକ୍ରିୟ ମାମଲା ପୂର୍ବ ଦିନ ତୁଳନାରେ ପ୍ରାୟ ଏକ ଲକ୍ଷ କମି ଆସିଥିବା ବେଳେ ତା’ ପରଦିନ ୧.୬ ଲକ୍ଷ କମିଥିଲା। ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ମଧ୍ୟ ଦୈନିକ ସଂକ୍ରମଣ ୯ ହଜାର ତଳେ ରହିବା ବହୁତ ବଡ଼ ଆଶ୍ବସ୍ତିର କାରଣ ହୋଇଛି। ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମଣ ହ୍ରାସ ପାଇଛି। ସେହିପରି ଅନେକ ରାଜ୍ୟରେ ପଜିଟିଭିଟି ହାର ମଧ୍ୟ କମିବା ସାଙ୍ଗକୁ ଆର୍-ମୂଲ୍ୟ ମଧ୍ୟ ୦.୯କୁ ଖସି ଆସିଛି।

ବିଶ୍ବ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଆର୍-ମୂଲ୍ୟ ୧ ତଳକୁ ରହିଲେ ସଂକ୍ରମଣ ଧିମେଇ ଯାଉଥିବାକୁ ବୁଝାଯିବ। ଅନେକ ରାଜ୍ୟରେ ସମ୍ପ୍ରତି ଲକ୍‌ଡାଉନ୍‌ ଜାରି ରହିଥିବାରୁ ସଂକ୍ରମଣରେ ଏପରି ଲଗାମ ଲଗାଇବା ସମ୍ଭବ ହୋଇଛି। ସେହିପରି ଦେଶର ଗଣଟିକାକରଣ କାର୍ଯ୍ୟକ୍ରମ ଯଦିଓ ପ୍ରାରମ୍ଭିକ ଅବସ୍ଥାରେ ରହିଥିବା ଭଳି ଲାଗୁଛି, ତେବେ ସଂକ୍ରମଣ ଅଟକାଇବାରେ ତାହାର ମଧ୍ୟ କିଛି ପ୍ରଭାବ ପଡ଼ିଛି।

ସୂଚନାଯୋଗ୍ୟ ଯେ ଦେଶରେ ଗତ ୩ ତାରିଖରୁ ୯ ତାରିଖ ଭିତରେ ହାରାହାରି ସାପ୍ତାହିକ ସଂକ୍ରମଣ ୩.୯୨ ଲକ୍ଷ ରହିଥିବା ବେଳେ ପରବର୍ତ୍ତୀ ସପ୍ତାହରେ ତାହା ୩.୨୯ ଲକ୍ଷକୁ ଖସି ଆସିଛି। ତେବେ ସେହି ସମୟ ଭିତରେ ହାରାହାରି ମୃତକଙ୍କ ସଂଖ୍ୟା ୩,୮୮୮ରୁ ୪,୦୩୮କୁ ବୃଦ୍ଧିପାଇଛି। ସଂକ୍ରମଣ ହ୍ରାସ ଦୃଷ୍ଟିରୁ ତାହା ମଧ୍ୟ ଧୀରେ ଧୀରେ କମିବ ବୋଲି ଆଶା କରାଯାଉଛି। ହେଲେ ସଂକ୍ରମଣର ଭୟାବହତା ସମ୍ପୂର୍ଣ୍ଣ ହଟିଗଲା ଭାବି ସୁରକ୍ଷା ପ୍ରାବଧାନଗୁଡ଼ିକୁ ଆଦୌ ଖିଲାପ କରିବା ଠିକ୍‌ ହେବନାହିଁ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।

The post ଥମୁଛି ମହାମାରୀ; ସୁଧୁରୁଛି ଦିଲ୍ଲୀ, ୟୁପି first appeared on Sambad.

from କରୋନା | Sambad https://ift.tt/3owGtbc