
ଭୁବନେଶ୍ବର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ହଠାତ୍ କାହିଁକି ଦିନକୁ ଦିନ ବଢ଼ୁଛି? ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦-୧୧ହଜାର ମଧ୍ୟରେ ଏକପ୍ରକାର ସ୍ଥିର ରହିଥିବା ବେଳେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏମିତି ନୁହେଁ ଯେ ଚଳିତ ମାସରେ ପ୍ରଥମଥର ଲାଗି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ସଂଖ୍ୟା ଛୁଇଁଛି। ଚଳିତମାସରେ ୨୧ଥର ୧୦ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାସର ପ୍ରଥମ ଓ ଦ୍ବିତୀୟ ସପ୍ତାହ ଆଡ଼କୁ ଦୈନିକ ୧୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ସମୟରେ ମୃତ୍ୟୁ ସଂଖ୍ୟା ୧୯-୨୧ ଭିତରେ ସୀମିତ ରହୁଥିଲା। ହେଲେ ଏହି ସଂଖ୍ୟା ଏବେ ୩୫ ଛୁଇଁଲାଣି। ଏହା ପଛରେ କ’ଣ ନିର୍ଦ୍ଦିଷ୍ଟ କାରଣ ରହିଛି? ଗତବର୍ଷ କମ୍ ସଂକ୍ରମଣ ସମୟରେ ଅଧିକ ମୃତ୍ୟୁ ଦର୍ଶାଇ ରାଜ୍ୟ ସରକାର ପ୍ରଶ୍ନ ବାଣର ସମ୍ମୁଖୀନ ହୋଇଥିଲେ। ତେଣୁ ଏହାକୁ ଏଡ଼ାଇବାକୁ ଯାଇ ସ୍ବାସ୍ଥ୍ୟ ବିଭାଗ ଏବେଠାରୁ ମୃତ ବ୍ୟକ୍ତିଙ୍କ ସଂପର୍କରେ ଘୋଷଣା କରିବାକୁ ଆରମ୍ଭ କରିଥିବା କୁହାଯାଉଛି।
ଜିଲ୍ଲାସ୍ତରରୁ ଡେଥ୍ ଅଡିଟ ପରେ ଆସୁଥିବା ମୃତକଙ୍କ ସଂଖ୍ୟା ପଛକୁ ଯେପରି ବଳି ନ ପଡ଼େ ତାହାକୁ ଧ୍ୟାନ ଦିଆଯାଉଛି। ଆଗକୁ ରାଜ୍ୟରେ କରୋନାଜିନତ ମୃତ୍ୟୁ ଘୋଷଣା ସଂଖ୍ୟା ଆହୁରି ବଢ଼ିପାରେ ବୋଲି ବିଶେଷଜ୍ଞ ମହଲରେ ଜୋରଦାର ଆଲୋଚନା ହେଉଛି।
ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ଯେ ସଂକ୍ରମଣ ବୃଦ୍ଧି ହେବାର ୨-୪ ସପ୍ତାହ ପରେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଥାଏ। ଲକ୍ଷଣ ପ୍ରକାଶ ପାଇବା ଓ ରୋଗୀ ହସ୍ପିଟାଲରେ ଏହି ସମୟରେ ଚିକିତ୍ସିତ ହୋଇଥାଏ। ଏହାସହ ଡେଥ୍ ଅଡିଟ/ସମୀକ୍ଷା ପାଇଁ ମୃତ୍ୟୁ ସଂଖ୍ୟା ଘୋଷଣା ହେବା ପାଇଁ କିଛିଦିନ ଲାଗୁଥିବା ଶ୍ରୀମତୀ ପଣ୍ଡିତ କହିଛନ୍ତି।
ସ୍ବାସ୍ଥ୍ୟ ବିଭାଗ ଘୋଷଣା କରିଥିବା ୩୫ ମୃତକଙ୍କ ମଧ୍ୟରେ ଅନୁଗୁଳ, ଖୋର୍ଧାରୁ ୫ ଲେଖାଏଁ, ସୁନ୍ଦରଗଡ଼ ଓ ନବରଙ୍ଗପୁରରେ ୪ ଲେଖାଏଁ, କେନ୍ଦ୍ରାପଡ଼ା ୩, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟରେ ୨ଜଣ ଲେଖାଏଁ, ଭଦ୍ରକ, ବୌଦ୍ଧ, କଟକ, ଗଞ୍ଜାମ, ଜଗତସିଂହପୁର, କେନ୍ଦୁଝର, ନୟାଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି। ଏହାସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୫୮୪କୁ ବୃଦ୍ଧି ପାଇଛି।
ରାଜ୍ୟରେ ବୁଧବାର ଆଉ ୧୧ ହଜାର ୬୨୩ ଜଣ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିଛି। ଖୋର୍ଧାରେ ପୁଣିଥରେ ଦୈନିକ ସଂକ୍ରମଣ ୨ହଜାର ଅତିକ୍ରମ କରିଛି। ଜିଲ୍ଲାରୁ ୨୦୨୧ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୯ହଜାର ୯୩୭କୁ ବୃଦ୍ଧି ପାଇଛି। ଜିଲ୍ଲାରେ ପଜିଟିଭ୍ ହାର ଏବେ ବି ୩୦ ପ୍ରତିଶତ ରହିଛି। ସେହିପରି କଟକରୁ ୯୯୮, ଅନୁଗୁଳ ୮୨୩, ସୁନ୍ଦରଗଡ଼ ୬୯୯, ବାଲେଶ୍ବର ୫୦୮, ପୁରୀ ୪୬୨, ଭଦ୍ରକ ୪୬୧, ଢେଙ୍କାନାଳ ୪୪୧ ଓ ଷ୍ଟେଟ ପୁଲ୍ରୁ ୩୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୨୬ହଜାର ୩କୁ ବୃଦ୍ଧି ପାଇଛି। ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୬୯,୪୦୭ କୋଭିଡ୍ ନମୁନା ପରୀକ୍ଷା କରାଯାଇଥିବା ବେଳେ ପଜିଟିଭ୍ ହାର ୧୬.୭ ପ୍ରତିଶତକୁ ଖସି ଆସିଛି। ମାତ୍ର ରାଜ୍ୟର ସାମଗ୍ରିକ ପଜିଟଭ୍ ହାର ୬.୩୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅପରପକ୍ଷରେ ଆଜି ରାଜ୍ୟରେ ୧୦,୬୩୫ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୬ଲକ୍ଷ ୨୩ହଜାର ୬୨୮ ଟପିଥିବା ବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯୯,୭୩୮ ରହିଛି। ରାଜ୍ୟର ୫ଟି ଜିଲ୍ଲା ଏବେ ୟେଲୋ ଜୋନ୍କୁ ଫେରି ଆସିଛି।
The post ସଂକ୍ରମଣ ସ୍ଥିର, ମୃତ୍ୟୁ ସଂଖ୍ୟାରେ ହଠାତ୍ ବୃଦ୍ଧି first appeared on Sambad.from କରୋନା | Sambad https://ift.tt/3uq3PRd
0 Comments