ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ ୧୫ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୪ଦିନ ତଳେ ନନ୍ଦନକାନନ ପରିସରରେ ମୋଟ ୧୪୭ଜଣ ସ୍ଥାୟୀ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ସମସ୍ତ ସଂକ୍ରମିତ ଗୃହ ସଂଗରୋଧରେ ଅଛନ୍ତି। ଏବେ ଆହୁରି ୧୫ ସ୍ଥାୟୀ ଓ ୧୫୦ ଅସ୍ଥାୟୀ କର୍ମଚାରୀଙ୍କ ପରୀକ୍ଷା କରାଯିବ ବୋଲି ଜଣାଯାଇଛି। ସେମାନଙ୍କ କୋଭିଡ୍‌ ପରୀକ୍ଷା ଲାଗି ମେଣ୍ଢାଶାଳ ସ୍ବାସ୍ଥ୍ୟକେନ୍ଦ୍ର ସହ ଯୋଗଯୋଗ ଚାଲିଛି।

ଅପରପକ୍ଷେ ନିକଟରେ ଲୋକସେବା ଭବନରେ ହୋଇଥିବା ଟିକାଦାନ କେନ୍ଦ୍ରରେ ନନ୍ଦନକାନନର ୧୫୦ଜଣ ସ୍ଥାୟୀ କର୍ମଚାରୀଙ୍କୁ କୋଭିଡ୍‌ ଟିକା ଦିଆଯାଇଛି। କେତେକ ଦ୍ବିତୀୟ ଡୋଜ୍ ‌ଟିକା ନେଇଥିବା ବେଳେ କେତେକ ପ୍ରଥମ ଡୋଜ୍ ନେଇସାରିଛନ୍ତି। ବାକି ରହିଥିବା ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ଟିକାକରଣ କରାଯିବାର ଯୋଜନା କରାଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ସ୍ବତନ୍ତ୍ର ନଜର ରଖଯାଇଛି। ଜୀବମାନଙ୍କୁ ଋତୁକାଳୀନ ସଂକ୍ରମଣରୁ ରକ୍ଷା ଲାଗି ନିୟମିତ ଭାବେ ଔଷଧ ଓ ଇଞ୍ଜେକ୍ସନ ଦିଆଯାଉଛି।

ଦୁଇ କରୋନା ଯୋଦ୍ଧା ପଜିଟିଭ୍‌
ବାଲିଅନ୍ତା : ବାଲିଅନ୍ତା ଥାନାରେ କାର୍ଯ୍ୟରତ ଜଣେ ଏଏସଆଇ ଓ ଜଣେ ମହିଳା ଏଏସଆଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଭୟଙ୍କୁ ଗୃହ ସଂଗରୋଧରେ ରଖାଯିବା ପାଇଁ ଡାକ୍ତର ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ପୁଲିସ ଅଧିକାରୀ ଏବଂ କର୍ମଚାରୀଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି। ଥାନାର ଦୁଇ ଜଣ ଅଧିକାରୀ ପଜିଟିଭ୍‌ ଚିହ୍ନଟ ହେବା ପରେ ଥାନା କାର୍ଯ୍ୟ ପରିଚାଳନାରେ ସମସ୍ୟା ଉପୁଜିଛି।

The post ନନ୍ଦନକାନନର ୧୫ କର୍ମଚାରୀ ସଂକ୍ରମିତ first appeared on Sambad.

from କରୋନା | Sambad https://ift.tt/3yOjxJf