ବରଗଡ଼: ପଶ୍ଚିମ ଓଡ଼ିଶା ପାଇଁ କରୋନା ମହାମାରୀ ଉପରମୁହାଁ ଥିବାବେଳେ ଛତିଶଗଡ଼କୁ ଏଥିପାଇଁ ଦାୟୀ କରାଯାଉଛି। କାରଣ ମହାରାଷ୍ଟ୍ର ଏବଂ ଛତିଶଗଡ଼ରୁ ହଜାର ହଜାର ଲୋକ ନିଜ ଭିଟାମାଟି ପଶ୍ଚିମ ଓଡ଼ିଶାକୁ ଫେରିବା ପରେ ସୀମାନ୍ତବର୍ତୀ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ପରେ ବଲାଂଗୀର ଏବଂ ସମ୍ବଲପୁର ମଧ୍ୟ ଏଥିରେ ପ୍ରଭାବିତ ହୋଇଛନ୍ତି। ଏକଦା ମହାରାଷ୍ଟ୍ର ପରେ ଛତିଶଗଡ଼ ଦେଶର ସବୁଠୁ ଶୀର୍ଷ କରୋନା ଆକ୍ରାନ୍ତ ରାଜ୍ୟ ତାଲିକାରେ ଥିଲା। ଛତିଶଗଡ଼ରେ ବର୍ତମାନ ଯାଏ ୯.୫୩ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହେ ତଳେ ଏଠାରେ ଗୋଟିଏ ଦିନରେ ୧୭,୩୯୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ବି ଅ‌ଲୋଡ଼ା ରେକର୍ଡ ରହିଛି। କିନ୍ତୁ କିଛି ଦିନ ହେଲା ଛତିଶଗଡ଼ରେ କରୋନାର ତୀବ୍ରତା ଧିମେଇ ଯାଇଛି। ସେଠାକାର ବିଶେଷଜ୍ଞଙ୍କ ମତ ଏବଂ ପରିସଂଖ୍ୟାନ ଆଧାରରେ ଛତିଶଗଡ଼ ସଫଳତାର ସହ କରୋନାକୁ ହରାଇବାରେ ଲାଗିଛି।

ଏହା ପଛରେ ଗୋଟିଏ କାରଣ ହେଉଛି, ଛତିଶଗଡ଼ରେ କଂଗ୍ରେସ ଶାସିତ ସରକାର ଥିଲେ ହେଁ କୋଭିଡ୍‌ ପରିଚାଳନାରେ ସବୁ ଦଳ ଏକାଠି ହୋଇଥିବା ଦେଖିବାକୁ ମିଳିଛି। ଏପରିକି କିଛି ବିଧାୟକ ନିଜସ୍ବ ଉଦ୍ୟମ‌ରେ କୋଭିଡ୍‌ ହସ୍ପିଟାଲ ଖୋଲି ସଂପୂର୍ଣ୍ଣ ମାଗଣାରେ ରୋଗୀଙ୍କୁ ଚିକିତ୍ସା ଯୋଗାଇଦେବା ଉଦାହରଣ ସାମନାକୁ ଆସିଛି। ରାୟପୁରର କଂଗ୍ରେସ ବିଧାୟକ ତଥା ଏଆଇସିସି ସଂପାଦକ ବିକାଶ ଉପାଧ୍ୟାୟ ନିଜେ କୋଭିଡ୍‌ ହସ୍ପିଟାଲ ଖୋଲିଛନ୍ତି। ଏହାବାଦ ସେହି ରାୟପୁରରେ ହିଁ ବିଜେପି ବିଧାୟକ ବ୍ରିଜ୍‌ମୋହନ ଅଗ୍ରୱାଲ ଶତାଧିକ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଖୋଲିଥିବା ନଜିର ରହିିଛି। ଏପରିକି ଇନ୍‌ଡୋର୍‌ ଷ୍ଟାଡିୟମକୁ ଅକ୍ସିଜେନ୍‌ ଶଯ୍ୟାଯୁକ୍ତ କରୋନା ହସ୍ପିଟାଲରେ ପରିଣତ କରାଯାଇଛି।

ସେହିଭଳି, ଛତିଶଗଡ଼ରେ ଗୃହ ସଂଗରୋଧକୁ ଗୁରୁତ୍ବ ଦିଆଯାଇଛି। ପରିସଂଖ୍ୟାନ ଅନୁସାରେ ବର୍ତମାନ ଯାଏ ସେଠାରେ ୮.୮ ଲକ୍ଷ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାର ୯୦ପ୍ରତିଶତ ରୋଗୀ ଗୃହ ସଂଗରୋଧରେ ଥାଇ କରୋନାକୁ ହରାଇ ପାରିଛନ୍ତି। ଏହି ସଂଗରୋଧକୁ କଡ଼ାକଡ଼ି କରିବା ପାଇଁ ଛତିଶଗଡ଼ ସରକାର ନାନାଦି ପଦକ୍ଷେପ ନେଇଛନ୍ତି। ରୋଗୀଙ୍କ ଘରେ କୌଣସି ଷ୍ଟିକର୍‌ ନ ମାରି, ଘର କାନ୍ଥରେ ରଂଗରେ କରୋନା ସତର୍କ ସୂଚନା ଦିଆଯାଉଛି। ବହୁ କରୋନା ରୋଗୀଙ୍କୁ ଘରେ ରହି ଉପଚାର କରିବାକୁ ପରାମର୍ଶ ଦିଆଯାଇଛି।
ବିଶେଷଜ୍ଞଙ୍କ ମତ ଅନୁସ‌ାରେ ଛତିଶଗଡ଼ରେ ଠିକଣା ସମୟରେ କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ବ ଦିଆଯାଇଛି। ମହାରାଷ୍ଟ୍ର ଏବଂ କରୋନା ଆକ୍ରାନ୍ତ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ କଣ୍ଟାକ୍ଟ ଟ୍ରେସିଂ ଜରିଆରେ ମାତ୍ରାଧିକ କରୋନା ରୋଗୀଙ୍କୁ ଚିହ୍ନଟ ଏବଂ ଚିକିତ୍ସା ସେବା ଯୋଗାଇ ଦେବା‌ରେ ସହାୟକ ହେଲା ବୋଲି କୁହାଯାଉଛି। ଏହାବାଦ୍‌ ଟେଷ୍ଟିଂ ବ୍ୟବସ୍ଥାକୁ ତୃଣମୂଳ ସ୍ତରକୁ ନିଆଯାଇଛି। ଏଠା‌ରେ ପ୍ରତି ଜିଲ୍ଲାରେ ଆର୍‌ଟିପିସିଆର୍‌ ପରୀକ୍ଷା ବ୍ୟବସ୍ଥା ଥିବା ଯୋଗୁଁ ରୋଗୀ ଶୀଘ୍ର ଚିହ୍ନଟ ହେବାରେ ସହାୟକ ହୋଇଛି। ଛତିଶଗଡ଼ରେ ଦୈନିକ ପରୀକ୍ଷା ସଂଖ୍ୟା ହାରାହାରି ୭୫ହଜାର ରହିଛି। ୨୪ ତାରିଖ ଏଠା‌ରେ ୭୪,୫୮୪ଟି ନମୁନା ପରୀକ୍ଷା ହୋଇ ୪,୨୦୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମେ’ ୧୬ ତାରିଖ ଏଠାରେ ଆରୋଗ୍ୟ ହାର ୮୭ ପ୍ରତିଶତ ରହିଥିଲା। ଯାହା ସପ୍ତାହେ ପରେ ୯୨ ପ୍ରତିଶତ ଛୁଇଁଛି।

ଅନ୍ୟପକ୍ଷରେ, ଛତିଶଗଡ଼ ସରକାର କରୋନା ସମୟରେ ଚିକିତ୍ସା ସେବାକୁ ନୂଆ ସ୍ତରକୁ ପହଂଚାଇବା ପାଇଁ ଯୋଜନା କରିଥିବା ବିଶେଷଜ୍ଞଙ୍କ ମତ ରହିଛି। ସଂଗରୋଧରେ ଥିବା ୪୦/୫୦ ରୋଗୀ ପିଛା ଜଣେ ଡାକ୍ତରଙ୍କୁ ଦାୟିତ୍ବ ଦିଆଯାଇଛି। ଗୋଟିଏ ନିର୍ଦ୍ଦିଷ୍ଟ ୱେବ୍‌ସାଇଟ୍‌ ଜରିଆରେ ପ୍ରତି ରୋଗୀ ନିଜ ରକ୍ତଚାପ, ଅମ୍ଳଜାନ ସ୍ତର ଏବଂ ଦେହ ତାପମାତ୍ରାର ପରିସଂଖ୍ୟାନ ଦାଖଲ କରୁଛନ୍ତି। ଦୈନିକ ଏହି ପ୍ରକ୍ରିୟା ୩ଥର ଚାଲୁଛି। ଯାହା ପ୍ରତି ରୋଗୀଙ୍କ ସ୍ଥିତି ସଂପର୍କରେ ସଂପୃକ୍ତ ଡାକ୍ତର ସଠିକ୍‌ ବିବରଣୀ ପାଉଛନ୍ତି। ଜଣେ ବ୍ୟକ୍ତ ଉକ୍ତ ପରିସଂଖ୍ୟାନ ଦାଖଲ ନକଲେ ତାଙ୍କୁ ହେଲ୍‌ପ ଡେକ୍ସ ଜରିଆରେ ପୁଣି ସୂଚନା ଦିଆଯାଉଛି। ପ୍ରତି ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ ବ୍ଲାକ୍‌ ଫଙ୍ଗସ୍‌ର ଅସ୍ତ୍ରୋପଚାର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜାଣିବାକୁ ମିଳିଛି।

The post କିଭଳି କରୋନାକୁ ହରାଉଛି ଛତିଶଗଡ଼, ୪ଟି କାରଣକୁ ଗୁରୁତ୍ବ ଦେଉଛନ୍ତି ବିଶେଷଜ୍ଞ first appeared on Sambad.

from କରୋନା | Sambad https://ift.tt/2St4rrU