ନୂଆଦିଲ୍ଲୀ: କୋଭିଡ୍‌-୧୯ ମୁକାବିଲା ଭାର କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉପରେ ନ୍ୟସ୍ତ କରାଯାଉ ବୋଲି ଆଜି ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣିଆନ୍‌ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରସ୍ତାବ ଦେଇଛନ୍ତି।

ଟୁଇଟ୍‌ କରି ସେ ସତର୍କ କରାଇ ଦେଇଛନ୍ତି ଯେ, କୋଭିଡ୍‌-୧୯ର ତୃତୀୟ ପ୍ରବାହ ପିଲାଙ୍କୁ ଅଧିକ ଆକ୍ରାନ୍ତ କରିପାରେ। ତେଣୁ, ସରକାରଙ୍କୁ ଅନୁରୋଧ ‘ଏହି ଯୁଦ୍ଧ ପରିଚାଳନା ଭାର ଗଡ଼କରୀଙ୍କୁ ଦିଆଯାଉ।

ଟୁଇଟ୍‌ରେ ସେ ଲେଖିଛନ୍ତି, ଇସ୍‌ମୀୟ ଆକ୍ରମଣକାରୀ ଏବଂ ବ୍ରିଟିସ୍‌ ସାମ୍ରାଜ୍ୟବାଦରୁ ତିଷ୍ଠିବା ପରି ଭାରତ କରୋନାଭାଇରସ୍‌ ମହାମାରୀ ଠାରୁ ମଧ୍ୟ ତିଷ୍ଠି ରହିବ। କଠୋର ସତର୍କତା ଅବଲମ୍ବନ ନ କଲେ ପିଲାଙ୍କୁ ଆକ୍ରାନ୍ତ କଲା ଭଳି ଆମେ ଆଉ ଏକ ପ୍ରବାହର ସମ୍ମୁଖୀନ ହୋଇ ପାରନ୍ତି। ତେଣୁ, ମୋଦୀ ଏହି ଯୁଦ୍ଧ ପରିଚାଳନା ଭାର ଗଡ଼କରୀଙ୍କୁ ଦେବା ଉଚିତ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଭରସା କରିବା ବୃଥା।

Image Courtesy of NDTV

ସ୍ବାମୀ କହିଛନ୍ତି ଯେ, ତାଙ୍କର ସମାଲୋଚନା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତି। ତାହା ଗୋଟିଏ ବିଭାଗ ମାତ୍ର, ସ୍ବୟଂ ପ୍ରଧାନମନ୍ତ୍ରୀ ନୁହନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କୁ ହଟାଇ ଦେବାକୁ ପରାମର୍ଶ ଦେଇଥିବା ବିଷୟକୁ ଅନ୍ୟ ଏକ ଟୁଇଟ୍‌ରେ ସ୍ପଷ୍ଟ କରି ସ୍ବାମୀ ଲେଖିଛନ୍ତି, ନା, ନା। ହର୍ଷ ବର୍ଦ୍ଧନଙ୍କୁ ଆବାଧ ସ୍ବାଧୀନତା ଦେବା କଥା ନୁହେଁ। ସେ ଅତ୍ୟନ୍ତ ଭଦ୍ର ହୋଇଥିବାରୁ କର୍ତ୍ତୃତ୍ବ ଜାହିର କରିପାରୁ ନାହାନ୍ତି। ଗଡ଼କରିଙ୍କୁ ସାମିଲ କରାଗଲେ ହର୍ଷ ଆହୁରି ସୁନାମ କରିବେ।

ସୂଚନାଯୋଗ୍ୟ, କେତେଗୁଡ଼ିଏ ରାଜ୍ୟର ସହରମାନଙ୍କରେ ଅକ୍ସିଜେନ୍‌ ଅଭାବ ହେବା ଓ ଅକ୍ସିଜେନ୍‌ ସିଲିଣ୍ଡର୍‌ ଯୋଗାଡ଼ କରିବା ଲାଗି ରୋଗୀମାନଙ୍କ ଆତ୍ମୀୟମାନଙ୍କୁ ପଠାଇବା ଘଟଣାରେ ବ୍ୟଥିତ ହୋଇ ସେ ଏଭଳି ଟୁଇଟ୍‌ କରିଛନ୍ତି। ଏହି ସଙ୍କଟକୁ ମୁକାବିଲା କରିବାରେ ସରକାରଙ୍କ ପାରିବାରପଣିଆ ତାଙ୍କର ସନ୍ଦେହ ସୃଷ୍ଟି ହୋଇଛି।

The post କୋଭିଡ୍‌-୧୯ ମୁକାବିଲା ଭାର ଗଡ଼କରୀଙ୍କୁ ଦିଆଯାଉ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଭରସା କରିବା ବୃଥା: ସୁବ୍ରମଣିଆନ୍‌ ସ୍ବାମୀ first appeared on Sambad.

from କରୋନା | Sambad https://ift.tt/3vFd5ly