
ମୁମ୍ବାଇ : ମାତ୍ରାଧିକ ଆଣ୍ଟିବାୟୋଟିକ୍ସର ବ୍ୟବହାର ଭାରତରେ ମହାମାରୀ କୋଭିଡ୍-୧୯ ସ୍ଥିତିକୁ ଅତିଶୟ ଖରାପ କରିଦେବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) ସତର୍କ କରାଇଦେଇଛି। ମୁମ୍ବାଇର ସିଅନ୍ ଓ ହିନ୍ଦୁଜା ସଲ୍ପିଟାଲ୍ ସମେତ ଦେଶର ୧୦ଟି ପ୍ରମୁଖ ଡାକ୍ତରଖାନାରେ ଚଳାଇଥିବା ଅନୁଧ୍ୟାନକୁ ଭିତ୍ତି କରି ଆଇସିଏମ୍ଆର୍ ଏପରି ଚେତାବନୀ ଦେଇଛି। ସେହିପରି କୋଭିଡ୍ ସହିତ ଅନ୍ୟ ସଂକ୍ରମଣର ଶିକାର ହେଉଥିବା କୋଭିଡ୍-୧୯ ପୀଡ଼ିତଙ୍କ ଭିତରୁ ୫୬ ପ୍ରତିଶତଙ୍କ ମୃତ୍ୟୁ ଘଟୁଥିବା ଆଇସିଏମ୍ଆର୍ ଅନୁଧ୍ୟାନରୁ ଜଣାଯାଇଛି।
କୌଣସି ସଂକ୍ରମଣ ପାଇଁ ଚିକିତ୍ସିତ ହେଉଥିଲା ବେଳେ ଅଥବା ଚିକିତ୍ସା ସରିବା ପରେ ପରେ ଅନ୍ୟ କୌଣସି ସଂକ୍ରମଣର ଶିକାର ହେବାକୁ ମାଧ୍ୟମିକ ସଂକ୍ରମଣ କୁହାଯାଏ। ସମ୍ପ୍ରତି ଦେଶରେ ସଂଖ୍ୟାଧିକ କୋଭିଡ୍ ସଂକ୍ରମିତ ହିଁ ମ୍ୟୁକୋର୍ମାଇକୋସିସ୍ ବା ବ୍ଳାକ୍ ଫଙ୍ଗସ୍ ସଂକ୍ରମଣର ଶିକାର ହେଉଥିବା ଚିନ୍ତାର ବିଷୟ ହୋଇଛି। ଯଦିଓ ୧୭ ହଜାର କୋଭିଡ୍ ରୋଗୀଙ୍କୁ ମଧ୍ୟରେ କରାଯାଇଥିବା ଏହି ଅନୁଧ୍ୟାନରେ ମାତ୍ର ୪ ପ୍ରତିଶତଙ୍କ ଠାରେ ଏପରି ମାଧ୍ୟମିକ ବୀଜାଣୁ ବା କବକ ସଂକ୍ରମଣ ଦେଖାଦେଇଛି, ତେବେ ଏହି ସଂଖ୍ୟାରୁ କୋଭିଡ୍ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲକ୍ଷ ଲକ୍ଷ ରୋଗୀ ଏପରି ଦୀର୍ଘ ଦିନ ଧରି ଚିକିତ୍ସାଧୀନ ରହିଥିବା ଅନୁମାନ କରାଯାଉଛି ବୋଲି ଆଇସିଏମ୍ଆର୍ର ବରିଷ୍ଠ ବୈଜ୍ଞାନିକ କାମିନୀ ଵାଲିଆ କହିଛନ୍ତି। ସେମାନେ ଭର୍ତ୍ତିହେବାର ୧୦ ଦିନ ପରେ ଡାକ୍ତରଖାନା ରହଣି ଜନିତ ସଂକ୍ରମଣରୁ ମୁକ୍ତି ପାଇବା ଲାଗି ଅଧିକ ମାତ୍ରାରେ ଆଣ୍ଟିବାୟୋଟିକ୍ସ ଲୋଡ଼ିଥିବେ। ଏପରି ଆଣ୍ଟିବାୟୋଟିକ୍ସର ବହୁଳ ବ୍ୟବହାର ବ୍ଳାକ୍ ଫଙ୍ଗସ୍ ସଂକ୍ରମଣର ବୃଦ୍ଧି ପାଇଁ ଅନେକାଂଶରେ ଦାୟୀ ଥିବା ଅନେକ ବିଶେଷଜ୍ଞ ବିଶ୍ବାସ କରନ୍ତି। ମାତ୍ରାଧିକ ଆଣ୍ଟିବାୟୋଟିକ୍ସର ବ୍ୟବହାର ଦ୍ବାରା ଶରୀରରେ ଉପକାରୀ ବୀଜାଣୁଗୁଡ଼ିକ ନିଷ୍କ୍ରିୟ ହୋଇଯାଆନ୍ତି ଏବଂ ଶରୀରକୁ ଆକ୍ରମଣ କରିବା ପାଇଁ ମଉକା ଅପେକ୍ଷାରେ ଥିବା ବ୍ଲାକ୍ ଫଙ୍ଗସ୍ ପରି ବୀଜାଣୁ ସଫଳ ହୋଇଥାନ୍ତି।
The post କୋଭିଡ୍ ସହିତ ଅନ୍ୟ ସଂକ୍ରମଣ ଘାତକ, ମାଧ୍ୟମିକ ସଂକ୍ରମଣରେ ୫୬% ରୋଗୀଙ୍କ ମୃତ୍ୟୁ ଘଟୁଛି: ଆଇସିଏମ୍ଆର୍ first appeared on Sambad.from କରୋନା | Sambad https://ift.tt/34rY5Mj
0 Comments