ଭୁବନେଶ୍ବର : ରାଜଧାନୀର ଆଇଗିଣିଆ ଡେ’କେୟାର ସେଣ୍ଟରର ଏଏନ୍‌ଏମ୍‌ ରଜନୀବାଳା ସାହୁ(୪୨) କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସେ ଟିକାକରଣରେ ଦାୟିତ୍ବରେ ଥିଲେ। କିଛି ଦିନ ପୂର୍ବରୁ ତାଙ୍କୁ ଜ୍ବର ହୋଇଥିଲା, ପରୀକ୍ଷା ପରେ କୋଭିଡ ପଜିଟିଭ୍ ଜଣାପଡ଼ିଥିଲା। ଏହାପରେ ସେ ଚିକିତ୍ସା ଲାଗି ସ୍ଥାନୀୟ ଘରୋଇ କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ଅନ୍ତେ ପରିବାରରେ ସ୍ବାମୀ, ଜଣେ ପୁଅ ଅଛନ୍ତି।

ସୂଚନା ଅନୁଯାୟୀ, ରଜନୀବାଳାଙ୍କୁ ଠିକା କର୍ମଚାରୀ ଭାବରେ ୨୦୨୦ ମସିହା କୋଭିଡ ସମୟରେ ନିଯୁକ୍ତି ଦିଆଯାଇଥିଲା। ନଭେମ୍ବରରେ କୋଭିଡ ସ୍ଥିତି ନିୟନ୍ତ୍ରଣ ହେବା ପରେ ଅନ୍ୟ ଠିକା କର୍ମଚାରୀଙ୍କ ଭଳି ଛଟେଇ କରି ଦିଆଯାଇଥିଲା। ଚଳିତ ବର୍ଷ ପୁଣି କୋଭିଡ ସ୍ଥିତି ଗୁରୁତର ହେବାରୁ ତାଙ୍କୁ କିଛି ଦିନ ପୂର୍ବରୁ ଆଉଥରେ ନିଯୁକ୍ତି ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ କୋଭିଡ ପରିସ୍ଥିତିକୁ ଦୃଷ୍ଟି‌ରେ ରଖି ଗତବର୍ଷ ସରକାର ରଜନୀଙ୍କ ଭଳି ମହିଳା ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇଥିଲେ। ମାତ୍ର କାର୍ଯ୍ୟ ସରିବା ପରେ ସେମାନଙ୍କୁ ବାହାର କରାଯାଇଥିଲା। ଏହାର ପ୍ରତିବାଦରେ ସେମାନେ ଦୀର୍ଘ ଦିନ ଧରି ଆନ୍ଦୋଳନରେ ବସିଥିଲେ ମଧ୍ୟ କେହି ଦୃଷ୍ଟି ଦେଇନଥିଲେ। ଚଳିତ ବର୍ଷ ପୁଣି ଆବଶ୍ୟକ ପଡ଼ିବାରୁ ଏହି ସ୍ବାସ୍ଥ୍ୟ କର୍ମୀମାନଙ୍କ ମଧ୍ୟରୁ ଅନେକଙ୍କୁ ପୁଣି ଠିକାରେ ନିଯୁକ୍ତି ଦିଆଗଲା। ତେଣୁ ବର୍ତ୍ତମାନ ପରିସ୍ଥିତିରେ ମୃତ୍ୟୁ ହେଲେ ସରକାରଙ୍କ ପକ୍ଷରୁ କୋଭିଡ ଯୋଦ୍ଧାମାନଙ୍କୁ ଦିଆଯାଉଥିବା ସହାୟତା ରାଶି ଏମାନଙ୍କୁ ମିଳିବ ନା ନାହିଁ ନେଇ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

The post କରୋନାରେ ଆଖି ବୁଜିଲେ ଟିକା ଦାୟିତ୍ବରେ ଥିବା ଏଏନ୍‌ଏମ୍ first appeared on Sambad.

from କରୋନା | Sambad https://ift.tt/2QVUhQp