ଅନୁଗୁଳ: କରୋନାର ଭୟଙ୍କର ରୂପ ଏବେ ଜନମାନସକୁ ସ୍ତବ୍ଧ କରିଦେଇଛି। ଗୋଟିଏ ପରେ ଗୋଟିଏ ଛାତି ଥରେଇ ଦେଲା ପରି ଦୃଶ୍ୟ ପଦାକୁ ଆସୁଛି। କେଉଁଠି ୭୦ ବର୍ଷ ବୟସର ବାପା ଭୂତାଣୁକୁ ହରାଇ ବିଜେତା ହେଉଥିବା ବେଳେ ଆଉ କେଉଁଠି ଜୀବନ ଯୁଦ୍ଧରେ ହାରି ଯାଉଛି ୨୧ ବର୍ଷର ଭେଣ୍ଡିଆ ପୁଅ। ଅନୁଗୁଳ ଜିଲ୍ଲା ତାଳଚେର କୋଭିଡ ହସ୍ପିଟାଲରୁ ଶୁକ୍ରବାର ଏମିତି ଏକ ହୃଦୟ ବିଦାରକ ଘଟଣା ପଦାକୁ ଆସିଛି।
ଛଅ ଦିନ ତଳେ ଚିକିତ୍ସିତ ହେବା ପାଇଁ କୋଭିଡ ହସ୍ପିଟାଲକୁ ଆସିଥିବା ବାପ-ପୁଅଙ୍କ ମଧ୍ୟରୁ ବାପା ସୁସ୍ଥ ହୋଇ ଶୁକ୍ରବାର ମେଡିକାଲରୁ ଫେରିଥିବାବେଳେ ତାର କେଇ ଘଣ୍ଟା ପୂବର୍ରୁ ହସ୍ପିଟାଲରେ ଭେଣ୍ଡିଆ ପୁଅ ସବୁ ଦିନ ପାଇଁ ଆଖି ବୁଜିବା ଘଟଣା ଗ୍ରାମବାସୀଙ୍କୁ ସ୍ତବ୍ଧ କରି ଦେଇଛି।
ତଥ୍ୟ ମୁତାବକ, ଏ ବାପ-ପୁଅ ହେଉଛନ୍ତି ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ରଜଡ଼ଙ୍ଗ ପଞ୍ଚାୟତ ପାଉଁଶିଆ ଗାଁର ଧନେଶ୍ବର ଗଡ଼ନାୟକ ଓ ପୁଅ ଦେବାଶିଷ ଗଡ଼ନାୟକ। ବାପା ଧନେଶ୍ବରଙ୍କ ବୟସ ପ୍ରାୟ ୭୦ ବର୍ଷ। ପୁଅ ଦେବାଶିଷଙ୍କ ବୟସ ପ୍ରାୟ ୨୧ ବର୍ଷ। ଧନେଶ୍ବରଙ୍କ ପରିବାର କହିଲେ ଗୋଟିଏ ପୁଅ ଓ ଦୁଇ ଝିଅ।
କୌଣସି କାରଣରୁ ଉଭୟ ଦେବାଶିଷ ଓ ଧନେଶ୍ବର ଭୂତାଣୁ କବଳିତ ହୋଇଥିଲେ। ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଘରେ ରହି ଉଭୟ ଚିକିତ୍ସିତ ହେଉଥିଲେ। ଗତ ୮ ତାରିଖ ଦିନ ଉଭୟ ବାପ-ପୁଅଙ୍କୁ ତାଳଚେର କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୋଟିଏ ଡାକ୍ତରଖାନାର ଭିନ୍ନ ଭିନ୍ନ ବେଡରେ ଉଭୟ ବାପ-ପୁଅ ଭୂତାଣୁ ସହ ଲଢେ଼ଇ କରୁଥିଲେ।
୭୦ ବର୍ଷ ବୟସ୍କ ବୁଢା ବାପା ଓ ୨୧ ବର୍ଷ ବୟସ୍କ ପୁଅଙ୍କର ଜୀବନ ସଂଗ୍ରାମ ଚାଲିଥିଲା। କିନ୍ତୁ, ଗତକାଲି ବିଳମ୍ବିତ ରାତିରେ ପୁଅ ଦେବାଶିଷ ଲଢେଇ ରେ ହାରି ଯାଇ ସବୁ ଦିନ ପାଇଁ ଆଖି ବୁଜିଥିବା ବେଳେ ଶୁକ୍ରବାର ସକାଳେ ତାଙ୍କ ବାପା ଧନେଶ୍ବର କରୋନାରୁ ଭଲ ହୋଇ ମେଡିକଲରୁ ଡିସଚାର୍ଜ ହୋଇ ଫେରିଛନ୍ତି। ଗୋଟିଏ ଦିନରେ ବାପ-ପୁଅ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ୭୦ ବର୍ଷ ବୟସ୍କ ବାପା କରୋନା ଯୁଦ୍ଧରେ ବିଜୟୀ ହୋଇଥିବା ବେଳେ ୨୧ ବର୍ଷ ବୟସ୍କ ଭେଣ୍ଡିଆ ପୁଅର ମୃତ୍ୟୁ ଘଟଣା ଗ୍ରାମବାସୀଙ୍କୁ ଚକିତ କରିଛି। ଭୂତାଣୁ କାହାକୁ କେତେବେଳେ କବଳିତ କରୁଛି ତାହାକୁ ନେଇ ଭୟ ଖେଳି ଯାଇଛି।
The post ଜୀବନ ଯୁଦ୍ଧରେ ବାପା-ପୁଅ: ଜିତିଲେ ବୃଦ୍ଧ ବାପା, ହାରିଗଲା ଭେଣ୍ଡିଆ ପୁଅ first appeared on Sambad.from କରୋନା | Sambad https://ift.tt/2RcVH9q
0 Comments