ଜେନିଭା: ସମଗ୍ର ବିଶ୍ବର ୪୪ଟି ଦେଶରେ ଗୁଣସୂତ୍ର କ୍ରମ-ପରିବର୍ତ୍ତିତ ଭାରତୀୟ ପ୍ରଜାତିର କୋଭିଡ୍‌-୧୯ ଭୂତାଣୁ ଚିହ୍ନଟ ହୋଇଥିବା କଥା ବୁଧବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।

ଜାତିସଂଘର ସ୍ବାସ୍ଥ୍ୟ ଏଜେନ୍‌ସି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କହିବା ଅନୁସାରେ, ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଗୁଣସୂତ୍ର କ୍ରମ-ପରିବର୍ତ୍ତିତ କୋଭିଡ୍‌-୧୯ ଭୂତାଣୁ ‘ବି.୧.୬୧୭’ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅଞ୍ଚଳ ଅନ୍ତର୍ଗତ ୪୪ଟି ଦେଶରେ ଚିହ୍ନଟ ହୋଇଛି। ଏକ ‘ଓପେନ୍‌ ଆକ୍‌ସେସ୍‌ ଡାଟା-ବେସ୍‌’ରେ ଅପ୍‌ଲୋଡ୍‌ ହୋଇଥିବା ୪୫୦୦ରୁ ଊର୍ଦ୍ଧ୍ବ ନମୁନାରେ ଏହି ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

Image Courtesy of Reuters

ଏହା ବ୍ୟତିରେକେ, ଆହୁରି ୫ଟି ଦେଶରେ ମଧ୍ୟ ଉପରୋକ୍ତ ଭୂତାଣୁ ଚିହ୍ନଟ ହୋଇଥିବାର ରିପୋର୍ଟ ମିଳିଥିବା କଥା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ତା’ର ମହାମାରୀ ସଂକ୍ରାନ୍ତ ସଦ୍ୟତମ ସାପ୍ତାହିକ ସୂଚନାରେ ଉଲ୍ଲେଖ କରିଛି।

ଭାରତୀୟ ଗୁଣସୂତ୍ର କ୍ରମ-ପରିବର୍ତ୍ତିତ କୋଭିଡ୍‌-୧୯ ଭୂତାଣୁ ଇଂଲଣ୍ଡ୍‌ରେ ସର୍ବାଧିକ ଚିହ୍ନଟ ହୋଇଥିବା କଥା ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସୂଚନା ଦେଇଛି। ପ୍ରଥମେ ଏହି ଭୂତାଣୁ ଇଂଲଣ୍ଡ୍‌, ବ୍ରାଜିଲ୍‌ ଏବଂ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା। ଅନାୟାସରେ ସଂକ୍ରମଣ କରାଇ ପାରୁଥିବାରୁ ଏହି ଭୂତାଣୁ ସବୁ ମୂଳ କୋଭିଡ୍‌-୧୯ ଭୂତାଣୁ ଠାରୁ ଅଧିକ ବିପଜ୍ଜନକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମତ ଦେଇଛି।

The post ଗୁଣସୂତ୍ର କ୍ରମ-ପରିବର୍ତ୍ତିତ ଭାରତୀୟ କୋଭିଡ୍‌ ଭୂତାଣୁ ୪୪ଟି ଦେଶରେ ଚିହ୍ନଟ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ first appeared on Sambad.

from କରୋନା | Sambad https://ift.tt/3hlJMk6