
ବାଲିଅନ୍ତା : କରୋନା କେବଳ ମଣିଷ ମାରୁନି, ମାନବିକତାକୁ ବି ମାରିଦେଉଛି। କରୋନା ଏତେ ମାତ୍ରାରେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ଯେ ବେଳେବେଳେ ମଣିଷପଣିଆ ତା’ ଆଗରେ ହାର୍ ମାନି ଯାଉଛି। ଆଜି ବାଳକାଟି ରଙ୍ଗଣିସାହି ଅଞ୍ଚଳରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାର୍ଧକ୍ୟଜନିତ ରୋଗରେ ପ୍ରାଣ ହରାଇଥିବା ଜଣେ ଶତାୟୁ ବୃଦ୍ଧାଙ୍କ ଶବକୁ କୋଭିଡ୍ ସନ୍ଦେହରେ କେହି ଛୁଇଁଲେନି। ପରିବାରବର୍ଗ, ବନ୍ଧୁ, ଆତ୍ମୀୟସ୍ବଜନ ତଥା ଜ୍ଞାତିକୁଟୁମ୍ବ; କେହି ବି ବୃଦ୍ଧାଙ୍କୁ ଅନ୍ତିମ ସଂସ୍କାର କରିବା ପାଇଁ ନେଲେ ନାହିଁ। ଫଳରେ ଦୀର୍ଘ ୬ ଘଣ୍ଟା ଧରି ଘରେ ଶବ ପଡ଼ି ରହିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଶ୍ରୀଜୟଦେବ ପ୍ରେସ୍ ୟୁନିଅନ୍ର ସାମ୍ବାଦିକମାନେ ଶବକୁ ସତ୍କାର କରି କରୋନା ଯୋଦ୍ଧାର ଭୂମିକା ନିଭାଇଥିଲେ। ଏହି ଖବର ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି।

ମୃତ ଶତାୟୁ ବୃଦ୍ଧାଜଣଙ୍କ ହେଲେ, ତଅପୋଇ। ସେ ଦୀର୍ଘ ଦିନ ଧରି ବାର୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ। ରବିବାର ଭୋର୍ ପ୍ରାୟ ୪ଟାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ଏ ସଂପର୍କରେ ପରିବାରଲୋକ ଜାଣିବା ପରେ ପଡ଼ୋଶୀ, ବନ୍ଧୁ ପରିଜନ ଓ ଗ୍ରାମବାସୀଙ୍କୁ ଜଣାଇଥିଲେ। କିନ୍ତୁ କାଳେ ବୃଦ୍ଧାଙ୍କୁ କରୋନା ହୋଇଥିବ ଭାବି କେହି ତାଙ୍କ ଶବକୁ ଦାହ ସଂସ୍କାର କରିବାକୁ ନେଲେ ନାହିଁ। ପରିବାରଲୋକ ମଧ୍ୟ ଡରିମରି ଶବ ପାଖକୁ ଗଲେ ନାହିଁ। ଫଳରେ ଦୀର୍ଘ ୬ ଘଣ୍ଟା ଧରି ଘରେ ଶବ ପଡ଼ି ରହିଥିଲା। ଏହି ଖବର ସ୍ଥାନୀୟ ଅଞ୍ଚଳରେ ଖେଳିଯିବା ପରେ ଶ୍ରୀଜୟଦେବ ପ୍ରେସ୍ ୟୁନିଅନ୍ର ସାମ୍ବାଦିକମାନେ ଆଗେଇ ଆସିଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟାରେ ସେମାନେ କୋକେଇ ବାନ୍ଧି ଶବକୁ କାନ୍ଧେଇ ସତ୍କାର ପାଇଁ ଦୁଇ କିଲୋମିଟର ଦୂର ରଥିଜେମାସ୍ଥତି ଶ୍ମଶାନକୁ ନେଇଥିଲେ। ବାଲିଅନ୍ତା ପୁଲିସ୍ ସେମାନଙ୍କୁ ପିପିଇ କିଟ୍ ଯୋଗାଇ ଦେଇଥିଲା। ସେଠାରେ ପରମ୍ପରା ମୁତାବକ ବୃଦ୍ଧାଙ୍କୁ ମୁଖାଗ୍ନି ଦେଇ ଶବଦାହ କରାଇଥିଲେ।
ଏହି ମହତ୍ କାର୍ଯ୍ୟରେ ୟୁନିୟନ୍ର ସଭାପତି ନିରଞ୍ଜନ ସେନାପତି, ସଂପାଦକ ବଟକୃଷ୍ଣ ମହାପାତ୍ର, ଯୁବ ସଭାପତି ଗଗନ ଭୋଇ, ପୀତବାସ ଦାଶ, ବିଭୂତି ଭୂଷଣ ପ୍ରଧାନ, ଜିତେନ୍ଦ୍ର କୁମାର ବେଉରା, ଆଶୁତୋଷ ଚୌଧୁରୀ, ଲୁକେଶ ସାହୁ, ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇଙ୍କ ସମେତ ସ୍ଥାନୀୟ ସରପଞ୍ଚ ଭାଗ୍ୟଧର ନନ୍ଦୀ ପ୍ରମୁଖ ସହଯୋଗ କରିଥିଲେ। ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତଙ୍କ ସହ ଅନ୍ୟ ୩ ପୁଲିସ୍ କର୍ମଚାରୀ ଉପସ୍ଥିତ ଥିଲେ। ହେଲେ ଏଭଳି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀ ସହଯୋଗ କରିନଥିଲେ।
The post କରୋନା ଭାବି ଛୁଇଁଲେନି ପରିବାର, ଗ୍ରାମବାସୀ; ଘରେ ୬ ଘଣ୍ଟା ପଡ଼ି ରହିଲା ବୃଦ୍ଧାଙ୍କ ଶବ first appeared on Sambad.from କରୋନା | Sambad https://ift.tt/3txZQBN
0 Comments