ନୂଆଦିଲ୍ଲୀ: କରୋନାଭାଇରସ୍‌ଦ୍ବାରା ଆକ୍ରାନ୍ତ ହୋଇ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଉତ୍ତର ପ୍ରଦେଶର ରାଜ୍ୟ ରାଜସ୍ବ ଓ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ବିଜୟ କଶ୍ୟପଙ୍କର ମଙ୍ଗଳବାର ଦିନ ଦେହାନ୍ତ ହୋଇଯାଇଛି। ମୁଜାଫର ନଗରର ଅନ୍ତର୍ଗତ ଚାରଥାୱଲ ବିଧାନସଭା ଆସନର ୫୬ ବର୍ଷିୟ ବିଧାୟକ କଶ୍ୟପଙ୍କୁ ମିଶାଇ ଉତ୍ତର ପ୍ରଦେଶର ସମୁଦାୟ ୩ଜଣ ମନ୍ତ୍ରୀ ଏହି ମାରାତ୍ମକ ଭୂତାଣୁ ଯୋଗୁଁ ପ୍ରାଣ ହରାଇଲେଣି।

ଗତବର୍ଷ ଉତ୍ତର ପ୍ରଦେଶର ମନ୍ତ୍ରୀ କମଲରାଣୀ ବରୁଣ ଏବଂ ଚେତନ ଚୌହାନ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। କଶ୍ୟପ ହେଉଛନ୍ତି କରୋନାଭାଇରସ୍‌ ସଂକ୍ରମଣର ଦ୍ବିତୀୟ ପ୍ରବାହରେ ଜୀବନ ହରାଇଥିବା ୫ମ ବିଜେପି ବିଧାୟକ।

Image Courtesy of India Today

କଶ୍ୟପଙ୍କ ମୃତ୍ୟୁ ଯୋଗୁଁ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି। ହିନ୍ଦୀ ଭାଷାରେ ସେ ଲେଖିଛନ୍ତି, ଉତ୍ତର ପ୍ରଦେଶ ସରକାରଙ୍କର ବିଜେପି ନେତା ତଥା ମନ୍ତ୍ରୀ ବିଜୟ କଶ୍ୟପଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ସେ ସଙ୍ଗଠନର ମୌଳିକ ସ୍ତର ସହିତ ସମ୍ପୃକ୍ତ ରହି ସଦାସର୍ବଦା ଜନସ୍ବାର୍ଥ କାର୍ଯ୍ୟରେ ମଗ୍ନ ଥିଲେ। ଏଭଳି ଦୁଃଖର ସମୟରେ ତାଙ୍କ ପରିବାରବର୍ଗ ଓ ସମର୍ଥକଙ୍କ ପ୍ରତି ମୋର ସମବେଦନା। ଓଁ ଶାନ୍ତି!

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡା, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶ ରାଜ୍ୟ ବିଜେପି ସମ୍ପାଦକ ସ୍ବତନ୍ତ୍ର ଦେବ ସିଂହ ଏବଂ ଅନ୍ୟାନ୍ୟ ବହୁ ନେତା ମଧ୍ୟ ବିଜୟ କଶ୍ୟପଙ୍କ ମୃତ୍ୟୁ ଯୋଗୁଁ ଶୋକ ବ୍ୟକ୍ତ କରିଛନ୍ତି।

The post କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ଉତ୍ତର ପ୍ରଦେଶ ମନ୍ତ୍ରୀ ବିଜୟ କଶ୍ୟପ first appeared on Sambad.

from କରୋନା | Sambad https://ift.tt/3uZKg3f