
ଉମରକୋଟ: ନବରଙ୍ଗପୁର ଜିଲ୍ଲାରେ କରୋନାର ଭୟାବହତା ମଧ୍ୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୋଭିଡ୍ ଟେଷ୍ଟ ସେଣ୍ଟର ପରିସରରେ ଜଣେ ଗର୍ଭବତୀ ମହିଳା ଏକ ପୁତ୍ର ପ୍ରସବ କରିଛନ୍ତି। ଏହା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ସୂଚନା ମୁତାବକ, ରାଇଘର ବ୍ଳକ ପାରୁଆ ଗ୍ରାମର ଭକ୍ତ ମାଳୀଙ୍କ ସ୍ତ୍ରୀ ଊର୍ମିଳା ମାଳୀ (୨୫) ପ୍ରସବ ଯନ୍ତ୍ରଣା ହେବା ପରେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦିନ ସାଢ଼େ ୧୦ଟା ବେଳେ ପହଞ୍ଚିଥିଲେ।
ସ୍ତ୍ରୀ ବିଶେଷଜ୍ଞ ଡାକ୍ତର ପ୍ରଥମେ କୋଭିଡ୍ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ। ହେଲେ କୋଭିଡ୍ ଟେଷ୍ଟ ସେଣ୍ଟର୍ ନିକଟରେ ଗର୍ଭବତୀ ମହିଳା ଜଣକ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏହାପରେ ସେ ସେହି ସ୍ଥାନରେ ହିଁ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଶିଶୁ ବିଶେଷଜ୍ଞ ଡାକ୍ତର ସନ୍ତୋଷ ପଣ୍ଡା ମା’ ଓ ନବଜାତ ପୁତ୍ର ସନ୍ତାନ ଦୁହେଁ ସୁସ୍ଥ ଥିବା ପ୍ରକାଶ କରିଛନ୍ତି। ଅପରପକ୍ଷେ ପରୀକ୍ଷା ପରେ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ମହିଳାଙ୍କର କରୋନା ପଜିଟିଭ୍ ବାହାରିଥିବା ବେଳେ ଶିଶୁଟିର କୋଭିଡ୍ ପରୀକ୍ଷା ଆସନ୍ତାକାଲି କରାଯିବ ବୋଲି ମେଡିକାଲ୍ ସୂତ୍ରରୁ ପ୍ରକାଶ।
The post କୋଭିଡ୍ ଟେଷ୍ଟ ସେଣ୍ଟରରେ ପୁତ୍ର ସନ୍ତାନ ପ୍ରସବ first appeared on Sambad.from କରୋନା | Sambad https://ift.tt/3v64ZTm
0 Comments