ସୁନ୍ଦରଗଡ଼: ମୁହଁରେ ଥିଲା ‘ରାମ ନାମ ସତ୍ୟ ହୈ’। ମଶାଣିବନ୍ଧୁଙ୍କ ସହ ଧରିଥିଲେ କୋକେଇ ରୂପକ ଷ୍ଟ୍ରେଚର୍। କୋକେଇ ସହ ଜୁଇ ଚାରିପଟେ ଘେରା ମାରିଥିଲେ । ହିନ୍ଦୁ ରୀତିନୀତିରେ କରିଥିଲେ ଶବ ସତ୍କାର। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି, ଜଣେ ହିନ୍ଦୁଙ୍କ ଶବ ସତ୍କାରରେ ଏସବୁ ହିନ୍ଦୁ ରୀତି ନିଭାଇଥିବା ଯୁବକ ଜଣକ ଥିଲେ ମୁସଲମାନ। ମୃତକ ଓ ତାଙ୍କ ପରିବାର ସହ ଥିଲା ତାଙ୍କ ନିବିଡ଼ ସମ୍ପର୍କ, ଆଉ କେବଳ ସମ୍ପର୍କର ଦାୟରେ ସେ ଛୁଟି ଆସିଥିଲେ ମଶାଣିକୁ, ଶବ ସତ୍କାର କରିବାକୁ। ଅବଶ୍ୟ ମୃତକଙ୍କ ପୁତୁରା ଦେଇଥିଲେ ମୁଖାଗ୍ନି।

ଭାରତବର୍ଷରେ ହିନ୍ଦୁ ଓ ମୁସଲମାନକୁ ନେଇ ଧାର୍ମିକ ଅସହିଷ୍ଣୁତାର କଥା କୁହାଯାଉଥିବା ବେଳେ ଏ ଚିତ୍ର କିନ୍ତୁ ଧର୍ମର ଉର୍ଦ୍ଧ୍ବରେ ମାନବିକତାର କଥା କହି ଯାଉଥିଲା। କରୋନା କାଳରେ ଏ ମାନବୀୟ ଚିତ୍ରଟି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ରାଣୀବଗିଚାସ୍ଥିତ ମଶାଣିରେ। ମଶାଣିବନ୍ଧୁ ସିଦ୍ଧାନ୍ତ ପଣ୍ଡାଙ୍କ ସୂଚନା ଅନୁସାରେ, ଶନିବାର ବନ୍ଧପାଲିର ଜଣେ ଜଣାଶୁଣା ବ୍ୟକ୍ତି ସନାତନ ପଟେଲଙ୍କ କରୋନାରେ ଦେହାନ୍ତ ହୋଇଥିଲା। ରାତି ସାଢ଼େ ୮ଟାରେ ଏନଟିପିସି କୋଭିଡ୍ କେନ୍ଦ୍ରରୁ ଶବ ଆସିଥିଲା ମଶାଣିକୁ। ମୃତ ସନାତନଙ୍କ ସନ୍ତାନ କହିଲେ ଏକମାତ୍ର ଝିଅ ଇଂଲଣ୍ଡରେ ରହନ୍ତି। ତେଣୁ ସନାତନଙ୍କ ବଡ଼ଭାଇ ଚୁଡ଼ାମଣି ପଟେଲଙ୍କ ପୁଅ ମଶାଣିକୁ ଆସିଥିଲେ। ସଙ୍ଗରେ ଆସିଥିଲେ ରିଜେଣ୍ଟ ମାର୍କେଟର ରହମତ ଅଲ୍ଲୀ ନାମକ ଜଣେ ଯୁବକ। ମୃତକଙ୍କ ସହ ଥିଲା ତାଙ୍କ ବହୁଦିନର ସମ୍ପର୍କ। ଶନିବାର ସକାଳେ ସନାତନ କରୋନା ସଂକ୍ରମଣରେ ଅସୁସ୍ଥ ହେବା ପରେ ତାଙ୍କୁ କୋଭିଡ୍ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଅସୁସ୍ଥ ପରଠାରୁ ହସ୍ପିଟାଲରେ ଥିବା ରହମତ ଅଲ୍ଲୀ ଶବ ସହ ମଶାଣିକୁ ଆସିଥିଲେ। ସନାତନଙ୍କ ପୁତୁରା ସହ ହିନ୍ଦୁ ରୀତିନୀତିରେ ଶବ ସତ୍କାର କରି ଫେରିଥିଲେ।

ପ୍ରକାଶଯୋଗ୍ୟ, ଏକ ବିପରୀତ ଘଟଣାକ୍ରମରେ, ଆଜି କୁତ୍ରା ଚୁନିପଡ଼ାରେ କରୋନା ସଂକ୍ରମଣରେ ମୃତ ପତ୍ନୀଙ୍କ ଶବ ସତ୍କାର ପାଇଁ ସ୍ବାମୀ ଜୁଇ କାଠ ଧରି ଘୂରି ବୁଲିଥିଲେ, କିନ୍ତୁ କେଉଁଠି ବି ତାଙ୍କୁ ମଶାଣି ମିଳି ନଥିଲା। କରୋନା ଭୟରେ ପଡ଼ା, ଗାଁ ଲୋକେ ମଶାଣି ଦେବାକୁ ମନା କରି ଦେଇଥିଲେ। ଶେଷକୁ ସ୍ଥାନୀୟ ସରପଞ୍ଚ ବଡ଼ ହୃଦୟ ଦେଖାଇ ନିଜ ଜମିରେ ଶବ ଦାହ ପାଇଁ ବ୍ୟବସ୍ଥା କରିଥିଲେ। ହେଲେ ସୁନ୍ଦରଗଡ଼ର ରହମତ ଅଲ୍ଲୀ ପାଇଁ ତ କରୋନା ଭୟ ସହ ଥିଲା ଧର୍ମର ବେଡ଼ି। କିନ୍ତୁ ଏସବୁକୁ ତୁଚ୍ଛ କରି ସେ ସଦମ୍ଭେ ଗାଇ ଯାଇଥିଲେ ମଣିଷର ସମ୍ପର୍କ ଓ ମାନବିକତାର ଗୀତି।

The post କରୋନା କାଳର ମାନବୀୟ ଚିତ୍ର; ରାମ ନାମ ଧରି ହିନ୍ଦୁଙ୍କ ଶବ ସତ୍କାର କଲେ ମୁସଲିମ ଯୁବକ first appeared on Sambad.

from କରୋନା | Sambad https://ift.tt/3tzVni3