
ଜୟପୁର: ଜୟପୁର ଚିଡ଼ିଆଖାନାରେ ରହୁଥିବା ତ୍ରିପୁର ନାମରେ ଗୋଟାଏ ସିଂହ କୋଭିଡ୍-୧୯ ପଜିଟିଭ୍ ହୋଇଥିବା କଥା ବୁଧବାର ଦିନ ‘ଇଣ୍ଡିଆନ୍ ଭେଟ୍ରିନ୍ରି ରିସର୍ଚ ଇନ୍ଷ୍ଟିଚ୍ୟୁଟ୍’ର (ଆଇଭିଆର୍ଆଇ) ଅଧିକାରୀମାନେ କହିଛନ୍ତି।
ତ୍ରିପୁର, କୋଭିଡ୍-୧୯ ଆକ୍ରାନ୍ତ କରାଉଥିବା ‘ସାର୍ସ-କୋଭ୍-୨’ ପଜିଟିଭ୍ ହୋଇଥିବା ବେଳେ ଜୟପୁର ଚିଡ଼ିଆଖାନାର ଗୋଟାଏ କଲରାପତରିଆ, ଗୋଟାଏ ଧଳାବାଘ ଏବଂ ଗୋଟାଏ ସିଂହୀର ନମୁନା ରିପୋର୍ଟ ନେଗେଟିଭ୍ କି, ପଜିଟିଭ୍ ତାହା ଚିହ୍ନଟ କରାଯାଇ ପାରିନାହିଁ। ପୁଣି ଥରେ ସେମାନଙ୍କ ନମୁନା ସଂଗ୍ରହ କରାଯିବ ବୋଲି ‘ଆଇଭିଆର୍ଆଇ’ର ଯୁଗ୍ମ ନିର୍ଦେଶକ କେ ପି ସିଂହ କହିଛନ୍ତି।
ତିନୋଟି ସିଂହ, ତିନୋଟି ବ୍ୟାଘ୍ର ଏବଂ ଗୋଟାଏ କଲରାପତରିଆ ସମେତ ରାଜସ୍ଥାନର ରାଜଧାନୀ ଜୟପୁରସ୍ଥିତ ଏହି ଚିଡ଼ିଆଖାନାରୁ ୧୩ଟି ଜନ୍ତୁଙ୍କ ନମୁନା ସଂଗ୍ରହ କରାଯାଇଥିଲା।
ସିଂହ କହିଛନ୍ତି, ପଞ୍ଜାବର ଛତବୀ ଚିଡ଼ିଆଖାନାରୁ ସଂଗୃହୀତ ତିନୋଟି ବ୍ୟାଘ୍ର, ଗୋଟାଏ ଶାଳିଆପତନୀ, ଗୋଟାଏ କୃଷ୍ଣସାର ମୃଗଙ୍କ ସମେତ ଆଠଟି ଜନ୍ତୁଙ୍କ ନମୁନା ନେଗେଟିଭ୍ ଆସିଛି। ସେହିପରି, ବରେଲିର ଗୋଟାଏ କୃଷ୍ଣସାର ମୃଗର ନମୁନା ମଧ୍ୟ ନେଗେଟିଭ୍ ଆସିଛି।
ଜୀବଜନ୍ତୁମାନଙ୍କର ଦେଖାରଖା କରୁଥିବା କୌଣସି କୋଭିଡ୍-୧୯ ଲକ୍ଷଣବିହୀନ କର୍ମଚାରୀଙ୍କ ଯୋଗୁଁ ସେମାନେ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ସିଂହ ସନ୍ଦେହ କରୁଛନ୍ତି।
ସ୍ମରଣଯୋଗ୍ୟ, ହାଇଦ୍ରାବାଦ ଚିଡ଼ିଆଖାନାରେ ୮ଟି ଏସିଆଟିକ୍ ସିଂହ କୋଭିଡ୍-୧୯ ପଜିଟିଭ୍ ହୋଇଥିବା କଥା ମେ ୪ ତାରିଖ ଦିନ ‘ସିଏସ୍ଆଇଆର୍-ସେଣ୍ଟର୍ ଫର୍ ସେଲୁଲାର୍ ଆଣ୍ଡ୍ ମଲିକ୍ୟୁଲାର୍ ବାୟୋଲୋଜି’ କହିଥିଲା।
The post କରୋନାଭାଇରସ୍ଦ୍ବାରା ଆକ୍ରାନ୍ତ ହେଲା ଜୟପୁର ଚିଡ଼ିଆଖାନାର ସିଂହ ତ୍ରିପୁର first appeared on Sambad.from କରୋନା | Sambad https://ift.tt/3vZjbxi
0 Comments